ବାତ୍ୟାକୁ ନେଇ ସବୁଠି ଭୟ

ଆରଡି: ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ସ୍ଥଳଭାଗ ଆଡକୁ ମାଡି ଆସିବା ସହ କେନ୍ଦ୍ରାପଡା ଭିତରକନିକା ଓ ଭଦ୍ରକର ଧାମରା ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବ। ଧାମରା ସମୁଦ୍ର ମୁହାଣଠାରୁ ୧୫କିମି ଦୂର ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ସମେତ ବହୁ ପଞ୍ଚାୟତ ବାତ୍ୟାରେ ପ୍ରଭାବିତ ହେବା ସହିତ ବହୁ କଚାଘର ଓ ଛପର ଘରର କ୍ଷୟକ୍ଷତି ଘଟିବ। ଏପରିକି ଜିଲା ପ୍ରଶାସନର ପ୍ରସ୍ତୁତି ଅନୁଯାୟୀ ନଦୀକୂଳିଆ ଓ ତଳିଆ ଅଞ୍ଚଳର ଲୋକମାନଙ୍କର ସୁରକ୍ଷା ପାଇଁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ ଘର ପ୍ରସ୍ତୁତ ପାଇଁ ନୋଡାଲ ଅଫିସରଙ୍କଠାରୁ ଆରମ୍ଭ କରି ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବି ଦାୟିତ୍ଵ ଦିଆଯାଇଛି। ବୁଧବାର ଅପରାହ୍ନ ସୁଦ୍ଧା ଆରଡି ସମେତ କୌଣସି ତଳିଆ ଅଞ୍ଚଳରେ ଲୋକମାନଙ୍କ ସୁରକ୍ଷା ପାଇଁ ସ୍ଥାନାନ୍ତର ତ ଦୂରର କଥା ବାତ୍ୟା ଆଶ୍ରୟସ୍ଥଳ ଅନ୍ଧକାରମୟ ହୋଇ ରହିବା ସହ ନଦୀକୂଳିଆ ଲୋକ ରହିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅନ୍ୟପଟେ ଏହି ଅଞ୍ଚଳର ହଜାର ହଜାର ଚାଷୀ ଧାରକରଜ କରି କରିଥିବା ସାରଦ ଧାନ କ୍ଷତରେ କଞ୍ଚା ଥିବାରୁ ଅମଳ ନେଇ ଚିନ୍ତାରେ ରହିଛନ୍ତି। ତାହା ସହ ବୁଧବାର ମଧ୍ୟାହ୍ନ ୧୨ଟାରୁ ଆକାଶରେ କଳା ବାଦଲ ଢାଙ୍କି ହୋଇ ରହିବା ସହ ବର୍ଷା ଓ ପବନ ଲାଗି ରହିଛି। ମତ୍ସ୍ୟଜୀବୀମାନେ ନଦୀକୂଳରେ ନିଜର ଜାଳ ଓ ଡଙ୍ଗାକୁ ସୁରକ୍ଷିତ ଭାବେ ରଖୁଥିବାର ଦେଖିବାକୁ ମିଳିଛି। ବାତ୍ୟାକୁ ନେଇ ସବୁଠି ଭୟର ବାତାବରଣ ସୃଷ୍ଟି ହୋଇଛି।

Comments are closed.