ବଏଲ ଯାତ୍ରାରେ ଛୁରାମାଡ, ୨ ଆହତ

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠ ଶାସନ ଥାନା ଅନ୍ତର୍ଗତ ତାଲବ ଗ୍ରାମରେ ବୁଧବାର ରାତ୍ରିରେ ବଏଲ ଯାତ୍ରା ସମୟରେ ଛୁରା ମାଡ ହୋଇଛି। ପୂର୍ବ ବିବାଦରୁ ଛୁରାମାଡ଼ ଯୋଗୁ ୨ ଜଣ ଆହତ ହୋଇଛନ୍ତି । ସଦର ଏସଡିପିଓ ତୁଫାନ ବାଗଙ୍କ ସୂଚନାନୁଯାୟୀ, ମଙ୍ଗଳବାର ରାତ୍ରିରେ ରେଙ୍ଗାଲି ଅଞ୍ଚଳର ନିବାସୀ ମନୀଷ ସାହୁ (୨୩) ଓ ଅବିନାଶ ରାଠୋର (୨୨) ସେମାନଙ୍କ ସାଥିମାନଙ୍କ ସହିତ ତାଲବକୁ ବଏଲ ଯାତ୍ରା ଦେଖିବା ପାଇଁ ଆସିଥିଲେ । ରାତ୍ରି ପ୍ରାୟ ୩ଟା ସମୟରେ ନିବାସ ନାୟକ ଓ ଅବିନାଶଙ୍କ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଏଣୁ ଉତ୍ତ୍ୟକ୍ତ ନିବାସ ନାୟକ ଓ ସାଥିମାନେ ପୁଲିସ ଉପସ୍ଥିତିରେ ଏକ ଧାରୁଆ ଅସ୍ତ୍ରରେ ଅବିନାଶ ଓ ମନିଷଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଅବିନାଶଙ୍କ ପିଠି ସମେତ ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ବେଳେ ମନିଷଙ୍କ ମୁଣ୍ଡ ପଛରେ ଆଘାତ ଲାଗିଛି । ଉଭୟଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ବୋଲି ଏସଡିପିଓ ବାଗ କହିଛନ୍ତି । ଅପରପକ୍ଷରେ ତୁରନ୍ତ ସ୍ଥାନୀୟ ଲୋକେ ଆକ୍ରମଣକାରୀ ନିବାସ ନାୟକ ଓ ଅନ୍ୟମାନଙ୍କୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି । ଘଟଣାସ୍ଥଳରେ ପୁଲିସ ମୁତୟନ ରହିଥିବା ସତ୍ୱେ ମାଡପିଟ ହେବା ସହିତ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଫଳରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Comments are closed.