ଟାଟାଙ୍କ ବଂଶ ପରିଚୟ

ନୂଆଦିଲ୍ଲୀ : ଭାରତର ଜଣାଶୁଣା ବ୍ୟବସାୟୀ ପରିବାରରେ ୧୯୩୭ ଡିସେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ ରତନ ଟାଟା। ଟାଟା ପରିବାରର ବଂଶାବଳୀ ଊନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ଟାଟା ସାମ୍ରାଜ୍ୟର ମୂଳଦୁଆ ପକାଇଥିବା ଟାଟା ପରିବାରର ପ୍ରତିଷ୍ଠାତା ନୁସରୱାନଜୀ ଟାଟାଙ୍କଠାରୁ ଆରମ୍ଭ ହୋଇଥିଲା। ନୁସରୱାନଜୀ ଟାଟା (୧୮୨୨-୧୮୮୬) ଟାଟା ପରିବାରର ମୁଖ୍ୟ ଥିଲେ। ସେ ଜୀବନବାଇ କାଭାସ୍‌ଜୀ ଟାଟାଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ୫ ସନ୍ତାନ ଥିଲେ ଜାମ୍‌ସେଦ୍‌ଜୀ ଟାଟା, ରତନବାଇ ଟାଟା, ମାନେକବାଇ ଟାଟା, ଭୀରବାଇଜୀ ଟାଟା ଓ ଜେରବାଇ ଟାଟା। ସେମାନଙ୍କ ମଧ୍ୟରୁ ଜାମସେଦ୍‌ଜୀ ଟାଟା, ଟାଟା ଗ୍ରୁପ୍‌ର ପ୍ରତିଷ୍ଠା କରିଥିଲେ, ଯାହା ଭାରତର ସବୁଠାରୁ ବଡ଼ ଓ ପ୍ରଭାବଶାଳୀ ସମୂହ ହୋଇଥିଲା।  ଟାଟା ଗ୍ରୁପ୍‌ର ପ୍ରତିଷ୍ଠାତା ଜାମସେଦ୍‌ଜୀ ଟାଟା (୧୮୩୯-୧୯୦୪)ଙ୍କୁ ଭାରତୀୟ ଉଦ୍ୟୋଗର ଜନକ କୁହାଯାଇଥାଏ। ସେ ୧୮୬୮ରେ ଟାଟା ଗ୍ରୁପ୍‌ ପ୍ରତିଷ୍ଠା କରିବା ସହ ୧୮୭୦ରେ ମଧ୍ୟ ଭାରତରେ ଏକ କପଡ଼ା ମିଲ୍‌ରୁ ନିଜର ଉଦ୍ୟୋଗୀ ଜୀବନର ଆରମ୍ଭ କରିଥିଲେ। ତାଙ୍କର ଦୂରଦୃଷ୍ଟି ଭାରତରେ ଇସ୍ପାତ୍‌ ଓ ବିଦ୍ୟୁତ୍‌ ଶିଳ୍ପ, ବୈଷୟିକ ଶିକ୍ଷା ସଂସ୍ଥା ଏବଂ ଭାରତୀୟ ଉଦ୍ୟୋଗ ପ୍ରଗତିରେ ସହାୟ ହୋଇଥିଲା।

ଜାମସେଦ୍‌ଜୀ ହୀରାବାଇ ଡାବୋଙ୍କୁ ବିବାହ କରିଥିଲେ। ସେମାନଙ୍କର ୩ ସନ୍ତାନ ସାର୍‌ ଡୋରାବ୍‌ଜୀ ଟାଟା, ଧୁନାବାଇ ଟାଟା ଏବଂ ସାର୍‌ ରତନ ଟାଟା ଥିଲେ। ଡୋରାବ୍‌ଜୀ ଟାଟା ଜାମସେଦ୍‌ଜୀଙ୍କ ବଡ଼ ପୁଅ ଥିଲେ। ଟାଟା ଗ୍ରୁପ୍‌ର ବିକାଶରେ ସେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଭାରତର ଔଦ୍ୟୋଗିକ ବିକାଶରେ ଭାଗୀଦାରି ପାଇଁ ୧୯୧୦ରେ ତାଙ୍କୁ ‘ନାଇଟ୍‌’ ଉପାଧି ମିଳିଥିଲା। ଡୋରାବ୍‌ଜୀ ନିଃସନ୍ତାନ ଥିଲେ ଓ ଅଧିକାଂଶ ସମୟ ପାରିବାରିକ ବ୍ୟବସାୟର ଉନ୍ନତି ପାଇଁ ଦେଉଥିଲେ। ଜାମସେଦ୍‌ଜୀଙ୍କ ସାନପୁଅ ସାର୍‌ ରତନ ଟାଟା (୧୮୭୧-୧୯୮୯) ମଧ୍ୟ ପାରିବାରିକ ବ୍ୟବସାୟକୁ ବଢ଼ାଇବା ପାଇଁ ସଦା ଚେଷ୍ଟିତ ଥିଲେ। ସେ ନୱାଜବାଇ ସେଟ୍‌ଙ୍କୁ ବିବାହ କରିଥିଲେ। ତେବେ ସେମାନଙ୍କର କୌଣସି ସନ୍ତାନ ନ ଥିଲେ। ସାର୍‌ ରତନ ଟାଟାଙ୍କ ମୃତ୍ୟୁ ପରେ ନୱାଜବାଇ ନୱଲ ଟାଟାଙ୍କୁ ପୋଷ୍ୟପୁତ୍ର ଗ୍ରହଣ କରିଥିଲେ। ସେ ପରିବାର ବ୍ୟବସାୟକୁ ବଢ଼ାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସାର୍‌ ରତନ ଟାଟା ଓ ନୱାଜବାଇ ସେଟ୍‌ଙ୍କ ପୋଷ୍ୟ ସନ୍ତାନ ନୱଲ ଏଚ୍‌ ଟାଟା (୧୯୦୪-୧୯୮୯) ସୋନୋ କମିସରିୟତଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ଦୁଇ ସନ୍ତାନ ଥିଲେ ରତନ ଟାଟା ଓ ଜିମି ଟାଟା। ରତନ ଟାଟାଙ୍କୁ ମାତ୍ର ୧୦ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ବାପା-ମା’ଙ୍କ ବିବାହ ବିଚ୍ଛେଦ ହୋଇଥିଲା। ନୱଲ ପରେ ସିମୋନ ଡୁନୋୟେରଙ୍କୁ ବିବାହ କରିବା ପରେ ଏକ ପୁତ୍ର ସନ୍ତାନ ଜନ୍ମଗ୍ରହଣ କରିଥିଲା, ଯାହାଙ୍କ ନାମ ଥିଲା ନୋଏଲ ଟାଟା। ରତନ ଟାଟାଙ୍କ ସାବତ ଭାଇ ଥିଲେ ନୋଏଲ ଟାଟା। ବାପା-ମା’ଙ୍କ ବିଚ୍ଛେଦ ପରେ ରତନ ଟାଟା ଓ ଜିମ୍ମି ତାଙ୍କ ଜେଜେ ମା’ ନୱାଜବାଇ ସେଟ୍‌ଙ୍କ ପାଖରେ ମୁମ୍ବଇର ଟାଜ୍‌ ପ୍ୟାଲେସ୍‌ରେ ରହିଥିଲେ। ରତନ ଟାଟା ତାଙ୍କ ଅଧିକାଂଶ ସମୟ ଟାଟା ଗ୍ରୁପ୍‌ର ପରିଚାଳନାକୁ ଦେଉଥିଲେ। ୧୯୯୧ରେ ସେ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ପଦ ଗ୍ରହଣ କରି ୨୦୧୨ରେ ଅବସର ଗ୍ରହଣ କରିଥିଲେ। ଟାଟା ଗ୍ରୁପ୍‌କୁ ବିଶ୍ବସ୍ତରରେ ପହଞ୍ଚାଇବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Comments are closed.