ଡିପଥେରିଆ ନେଲା ଜଣଙ୍କ ଜୀବନ: ସ୍ଥିତି ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଡିପଥେରିଆ ଆତଙ୍କ। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମେଡିକାଲ ଟିମ୍ ଗାଁରେ ପହଂଚି ସ୍ଥିତି ଯାଞ୍ଚ କରିଛି।  ମୃତ ଛାତ୍ର ଜଣଙ୍କ ମାଲକାନଗିରି ଜିଲା କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲୀ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ଚତୁର୍ଥ ଶ୍ରେଣୀ ଛାତ୍ର ଶିବୁ ମାଡ଼କାମୀ। ତାଙ୍କୁ ପ୍ରଥ​‌ମେ ଜ୍ବର ହେବାରୁ ୧୪ ତାରିଖରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ରକ୍ତ ନମୁନା ପରୀକ୍ଷା ପରେ ସେ ଡିପଥେରିଆ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ୨୦ ତାରିଖରେ ଉକ୍ତ ଆବାସିକ ବିଦ୍ୟାଳୟର ୩ ଜଣଙ୍କୁ ଜ୍ବର ହେବାରୁ ସେମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ୩ ଜଣଙ୍କ ମଧ୍ୟରୁ ଛାତ୍ର ପିଙ୍କୁ ମାଢ଼ୀ ଡିପଥେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପିଙ୍କୁଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଏଥିସହ ଉକ୍ତ ବିଦ୍ୟାଳୟର ଅନ୍ୟ ୭ ଛାତ୍ର ଜ୍ବରରେ ଆକ୍ରାନ୍ତ ହୋଇ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସେମାନେ ହେଲେ ପଞ୍ଚମ ଶ୍ରେଣୀର ଛାତ୍ର ଅର୍ଜୁନ କର୍ତ୍ତାମୀ, ଚତୁର୍ଥ ଶ୍ରେଣୀର ସୁରେଶ ବାଞ୍ଜାମି, ଦେବା ମାଡକାମି, ତୃତୀୟ ଶ୍ରେଣୀର ରାଜେଶ ବେଟୀ, ପଞ୍ଚମ ଶ୍ରେଣୀର ଚନ୍ଦ୍ର ପୁନେମ, ରଞ୍ଜନ ମାଡ଼କାମୀ, ନନ୍ଦୁ କର୍ତ୍ତାମୀ। ଅସୁସ୍ଥ ସମସ୍ତ ଛାତ୍ରଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଛି। ପରୀକ୍ଷା ରିପୋର୍ଟ ଆସି ନାହିଁ। ଡାକ୍ତରୀ ଦଳ ଚିତ୍ରାଙ୍ଗପଲ୍ଲୀ ଆବାସିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହି ବିଦ୍ୟାଳୟର ସମସ୍ତଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି।

Comments are closed.