www.samajalive.in
Monday, December 8, 2025
24.1 C
Bhubaneswar

ତିରୁପତି ଲଡୁ ବିବାଦ: ପ୍ରାୟଶ୍ଚିତ କରିବେ ପବନ କଲ୍ୟାଣ, ୧୧ ଦିନ ରହିବେ ଉପବାସ

ଅମରାବତୀ: ତିରୁପତି ମନ୍ଦିର ଲଡୁରେ ପଶୁ ଚର୍ବି ମିଶିବା ଘଟଣାକୁ ନେଇ ରାଜନୈତିକ ଉଷ୍ମତା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଦୁଃଖ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ ଏହି ପାପର ପ୍ରାୟଶ୍ଚିତ କରିବା ପାଇଁ ସେ ୧୧ ଦିନ ଉପବାସ କରିବେ। ଏଥିପାଇଁ ସେ ଗୁଣ୍ଟୁର ଜିଲାର ନମ୍ବୁରରେ ଶ୍ରୀ ଦଶାବତାର ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରରେ ସେପ୍ଟେମ୍ବର ୨୨ରୁ ୧୧ ଦିନିଆ ‘ପ୍ରାୟଶ୍ଚିତ ଦୀକ୍ଷା’ ଗ୍ରହଣ କରିବେ ବୋଲି ଶନିବାର ଘୋଷଣା କରିଛନ୍ତି।

ଏକ୍ସରେ ପବନ କଲ୍ୟାଣ ଲେଖିଛନ୍ତି ଯେ, ‘‘ଆମ ସଂସ୍କୃତି, ଆସ୍ଥା, ବିଶ୍ଵାସ ଏବଂ ଶ୍ରଦ୍ଧାର କେନ୍ଦ୍ରବିନ୍ଦୁ ଶ୍ରୀ ତିରୁପତି ବାଲାଜୀ ଧାମର ପ୍ରସାଦରେ କୁତ୍ସିତ ପ୍ରୟାସ ଦ୍ଵାରା ଅପବିତ୍ରତା ସଞ୍ଚାର କରିବାକୁ ଯେଉଁ ଦୁଷ୍ଟ ଉଦ୍ୟମ କରାଯାଇଛି, ତାକୁ ନେଇ ମୁଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ମର୍ମାହତ। ସତ କହିବାକୁ ଗଲେ, ଭିତରୁ ଗଭୀର ବିଶ୍ୱାସଘାତକତା ଅନୁଭବ କରୁଛି। ପ୍ରଭୁ ଭେଙ୍କଟେଶ୍ଵରଙ୍କୁ ମୋର ଏତିକି ପ୍ରାର୍ଥନା ଯେ, ଏହି ଦୁଃଖଦ ମୁହୂର୍ତ୍ତରେ ଆମକୁ ଏବଂ ସମସ୍ତ ସନାତନ ଧର୍ମାବଲମ୍ବୀମାନଙ୍କୁ ତାଙ୍କ ଅହେତୁକ କୃପା ଦ୍ଵାରା ଶକ୍ତି ପ୍ରଦାନ କରନ୍ତୁୁ।’’

- Advertisement -

ସେ ଆହୁରି ଲେଖିଛନ୍ତି, ବର୍ତ୍ତମାନ ଏହି ମୁହୂର୍ତ୍ତରେ ମୁଁ ଭଗବାନଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛି। ପ୍ରାୟଶ୍ଚିତ କରିବାକୁ ଶପଥ ନେଉଛି ଏବଂ ଏକାଦଶ ଦିନର ଉପବାସ ପାଇଁ ଧାର୍ମିକ ସଂକଳ୍ପ ନେଉଛି। ଏକାଦଶ ଦିନିଆ ପ୍ରାୟଶ୍ଚିତ ଦୀକ୍ଷା ଶେଷରେ ମୁଁ ଅକ୍ଟୋବର ୧ ଏବଂ ୨ରେ ତିରୁପତି ଯାଇ ପ୍ରଭୁଙ୍କୁ ସାକ୍ଷାତ ଦର୍ଶନ କରି କ୍ଷମା ପ୍ରାର୍ଥନା ତଥା ମୀନତି କରିବି ଏବଂ ତା’ପରେ ଭଗବାନଙ୍କ ନିକଟରେ ମୋର ପ୍ରାୟଶ୍ଚିତ ଦୀକ୍ଷାର ପୂର୍ଣ୍ଣାହୁତି ହେବ। ଏହାପୂର୍ବରୁ ପବନ କଲ୍ୟାଣ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ‘ସନାତନ ଧର୍ମ ରକ୍ଷଣ ବୋର୍ଡ’ ଗଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସୂଚନାଯୋଗ୍ୟ, ତିରୁପତି ମନ୍ଦିରରେ ଭକ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଲଡୁରେ ପଶୁଙ୍କ ଚର୍ବି ବ୍ୟବହାର କରାଯାଉଛି ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗତ ବୁଧବାର ଗୁରୁତର ଅଭିଯୋଗ ଆଣିଥିଲେ। ଆନ୍ଧ୍ରରେ ପୂର୍ବରୁ କ୍ଷମତାସୀନ ଜଗନ ରେଡ୍ଡିଙ୍କ ସରକାର ଏଭଳି ବ୍ୟବସ୍ଥା କରିଥିବା ନାଇଡୁ କହିଛନ୍ତି। ସହସ୍ରାଧିକ ଭକ୍ତ ଦୈନନ୍ଦିନ ତିରୁପତି ମନ୍ଦିର ପରିଦର୍ଶନ କରୁଥିବାବେଳେ ପ୍ରସାଦ ଭାବେ ସେମାନଙ୍କୁ ଏହି ଲଡୁ ବଣ୍ଟନ କରାଯାଇଥାଏ। ତେଣୁ ଭକ୍ତଙ୍କ ଧାର୍ମିକ ମନୋଭାବ ସହ ଏଭଳି ଚକ୍ରାନ୍ତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ନାଇଡୁ କହିଥିଲେ। ଅପରପକ୍ଷରେ ନାଇଡୁଙ୍କ ଏଭଳି ଅଭିଯୋଗକୁ ୱାଇଏସଆର କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି। ରାଜନୈତିକ ଫାଇଦା ଉଠାଇବାକୁ ନାଇଡୁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣୁଥିବା ୱାଇଏସଆର କଂଗ୍ରସ ପକ୍ଷରୁ କୁହାଯାଇଛି। ରାଜନୀତି ସହ ଧର୍ମକୁ ନ ଯୋଡ଼ିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ଇତିମଧ୍ୟରେ ନାଇଡୁଙ୍କୁ ପରାମର୍ଶ ଦେଇଛନ୍ତି। ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି) ପରିଚାଳନା ବୋର୍ଡ ଅଧ୍ୟକ୍ଷ କରୁଣାକର ରେଡ୍ଡି ନିକଟରେ ଏକ ଆଞ୍ଚଳିକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କୁ ସାଧାରଣରେ ନିନ୍ଦିତ ଓ ଅପମାନିତ କରିବାକୁ ନାଇଡୁ ସରକାର ଏଭଳି ଚକ୍ରାନ୍ତ ଚଳାଇଛନ୍ତି। ଲଡୁରେ କୌଣସି ପଶୁ ଚର୍ବି ମିଶ୍ରଣ କରାଯାଉ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଲଡୁ ପ୍ରସଙ୍ଗ ନେଇ ଜଣେ ଆଇନଜୀବୀ ଶୁକ୍ରବାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି। ଏଭଳି କାର୍ଯ୍ୟ ଦ୍ବାରା ହିନ୍ଦୁ ସଂପ୍ରଦାୟର ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଥିବାବେଳେ ସେମାନଙ୍କର ଧାର୍ମିକ ଭାବନା ପ୍ରତି କୁଠାରାଘାତ କରାଯାଇଥିବା ସେ ପିଟିସନରେ ଉଲ୍ଲେଖ କରିଛନ୍ତି। ଭକ୍ତମାନେ ଭଗବାନଙ୍କ ପ୍ରସାଦ ଭାବେ ଲଡୁ ସେବନ କରୁଥିବାବେଳେ ଲଡୁରେ ପଶୁ ଚର୍ବି ମିଶ୍ରଣ ଜଘନ୍ୟ ଅପରାଧ ବୋଲି କୁହାଯାଇଛି। ଏ ଦିଗରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ତିରୁପତି ମନ୍ଦିର ପରିଚାଳନା ବୋର୍ଡକୁ ନିର୍ଦେଶ ଦିଆଯାଉ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories