କେନ୍ଦୁଝରରେ କାୟା ମେଲାଉଛି ଡେଙ୍ଗୁ, ୫୧ ଆକ୍ରାନ୍ତ ଚିହ୍ନଟ
ସ୍ୱେଚ୍ଛାସେବୀ ନିଯୁକ୍ତିରେ ସୀମିତ ଡେଙ୍ଗୁ ନିରାକରଣ
କେନ୍ଦୁଝରଗଡ଼: ସମଗ୍ର ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏଥିରୁ କେନ୍ଦୁଝର ଜିଲା ବାଦ୍ ପଡ଼ିନାହିଁ। ଜୁଲାଇ ଶେଷ ସୁଦ୍ଧା ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଥିବାବେଳେ ଅଗଷ୍ଟ ଶେଷ ସୁଦ୍ଧା ଏହା ୫୧ରେ ପହଞ୍ଚିଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଜିଲାରେ ମୋଟ ୨୪୬୩ଜଣଙ୍କ ରକ୍ତନମୂନା ପରୀକ୍ଷା ମଧ୍ୟରୁ ୫୧ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କେବଳ ବଡବିଲ ପୌରାଞ୍ଚଳରେ ୧୧ଜଣ ଥିବାବେଳେ କେନ୍ଦୁଝରଗଡ଼ ପୌରାଞ୍ଚଳରୁ ୭ଜଣ, ଯୋଡା ପୌରାଞ୍ଚଳରୁ ୨ଜଣ ଏବଂ ବାସୁଦେବପୁର, ଝୁମ୍ପୁରା ଓ ତେଲକୋଇ ଅଞ୍ଚଳରୁ ଜଣେ ଲେଖାଏଁ ମିଶାଇ ମୋଟ ୩୧ଜଣ ଆକ୍ରାନ୍ତ ଜିଲାରେ ଚିହ୍ନଟ ହୋଇଥିବାବେଳେ ଜିଲା ଓ ରାଜ୍ୟ ବାହାରେ କାର୍ଯ୍ୟରତ ଜିଲାର ୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୫୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଡେଙ୍ଗୁ ୱାର୍ଡରେ ବର୍ତ୍ତମାନ ସୁଦ୍ଧା ୧୨ଜଣ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ସମସ୍ତ ଆକ୍ରାନ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବେଶ୍ ବୃଦ୍ଧି ପାଇବାରେ ଲାଗିଥିଲେ ମଧ୍ୟ ଏହାର ସଫଳ ମୁକାବିଲା ନେଇ ଜିଲା ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନର ନିଦ ନ ଭାଙ୍ଗିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଘୋର ଉଦ୍ବେଗ ପ୍ରକାଶ ପାଇଛି। ଡେଙ୍ଗୁ ନିରାକରଣ ପାଇଁ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦୁଝରଗଡ଼, ବଡବିଲ, ଯୋଡା ଓ ଆନନ୍ଦପୁର ପୌରପାଳିକା ସମେତ ଚମ୍ପୁଆ ବିଜ୍ଞାପିତ ପରିଷଦ ଅଞ୍ଚଳକୁ ମିଶାଇ ମୋଟ ୨୦ଜଣ ସ୍ୱେଚ୍ଛାସେବୀ ମୁତୟନ ଜିଲାରେ ଡେଙ୍ଗୁ ଭଳି ମାରାତ୍ମକ ରୋଗରୁ କିଭଳି ମୁକ୍ତି ମିଳିବ ତାହା ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜିଲା ମୁଖ୍ୟାଳୟରେ ଯେଭଳି ଡେଙ୍ଗୁ ଭଳି ମାରାତ୍ମକ ରୋଗ ସଂକ୍ରମିତ ନହୁଏ ଏବଂ ସଂକ୍ରମିତ ହେଲେ ଏହାର ସଫଳ ମୁକାବିଲା କିଭଳି କରିହେବ ସେ ନେଇ ଏପର୍ଯ୍ୟନ୍ତ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାନଯିବା ସାଧାରଣରେ ଚିନ୍ତାର ବିଷୟ ପାଲଟିଛି। ବିଶେଷକରି କେନ୍ଦୁଝର ସହରର ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ମାସ ମାସ ଧରି କୁଢ଼କୁଢ଼ ଆବର୍ଜନା ଜମାହୋଇ ରହୁଥିବାବେଳେ ଅଧିକାଂଶ ଡ୍ରେନ ପୋତି ହୋଇ ଜଳ ନିଷ୍କାସିତ ହୋଇ ପାରୁନଥିବାରୁ କେନ୍ଦୁଝରରେ ଡେଙ୍ଗୁ ଭୟାବହତା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ସହରର ଗଳିକନ୍ଦିରେ ଥିବା ବୁଦାଗଛ ଉଛେଦ, ବିଭିନ୍ନ ସ୍ଥାନରେ ଜମି ରହୁଥିବା ଜଳ ନିଷ୍କାସନ, ଡ୍ରେନ ମାନଙ୍କରେ ମଶା ତେଲ ସିଞ୍ଚନ, ନାଳନର୍ଦ୍ଦମାରେ ବ୍ଲିଚିଂ ପାଉଡର ପକାଇବା ସହ ସହରର ପ୍ରମୁଖ ସ୍ଥାନ ସମେତ ପ୍ରତି ଗଳିକନ୍ଦିରେ ମଶାଧୂଆଁ ସ୍ପ୍ରେ ପାଇଁ ପଦକ୍ଷେପ ଗ୍ରହଣ ଜରୁରୀ ହୋଇପଡ଼ିଛି। ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲା ସମଗ୍ର ଦେଶରେ ଏକ ମ୍ୟାଲେରିଆପ୍ରବଣ ଜିଲା ଭାବେ ବେଶ୍ ପରିଚିତ ଥିବାବେଳେ ଚଳିତବର୍ଷ ଜୁଲାଇ ଶେଷସୁଦ୍ଧା ୩ଲକ୍ଷ ୪୯ହଜାର ୪୪୬ଜଣଙ୍କ ରକ୍ତ ନମୂନା ପରୀକ୍ଷା ମଧ୍ୟରୁ ୧୯୧ଜଣ ମେଲେରିଆ ଆକ୍ରାନ୍ତ ଚିହ୍ନଟ ହେବା ଏବଂ ସେଥିମଧ୍ୟରୁ ୯୫ପ୍ରତିଶତ ହାରରେ ୧୮୨ଜଣ ମାରାତ୍ମକ ମେଲେରିଆରେ ପୀଡିତ ହେବା ଜଣାପଡ଼ିଛି। ତେବେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ମିଳିତ ସହଯୋଗରେ ଜିଲାରୁ ଡେଙ୍ଗୁ ରୋଗର ସଫଳ ନିରାକରଣ କରିବାକୁ ହେଲେ ସାଧାରଣରେ ବ୍ୟାପକ ସଚେତନତା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ଜରୁରୀ ହୋଇପଡ଼ିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ବ୍ୟତୀତ ଡେଙ୍ଗୁ ରୋଗୀଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଜିଲାର ଅନ୍ୟ କୌଣସି ଚିକିତ୍ସାଳୟରେ ଏଲିସା ଟେଷ୍ଟ ସୁବିଧା ନଥିବାରୁ ଜିଲାର ଅନ୍ୟ ସମସ୍ତ ଚିକିତ୍ସାଳୟରୁ ଆସୁଥିବା ସନ୍ଦିଗ୍ଧ ଡେଙ୍ଗୁ ଆକ୍ରାନ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିବାକୁ ପଡୁଛି। ଏଭଳି ସ୍ଥିତିରେ ଜିଲାର ବଡବିଲ, ଯୋଡା, ଚମ୍ପୁଆ, ଝୁମ୍ପୁରା, ତେଲକୋଇ, ପାଟଣା, ଆନନ୍ଦପୁର, ଘଟଗାଁ, ହରିଚନ୍ଦନପୁର ଆଦି ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଏଲିସା ଟେଷ୍ଟ ସୁବିଧା ଯୋଗାଣ ସହ ବ୍ୟାପକ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇ ପାରିଲେ ଡେଙ୍ଗୁ ଭଳି ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ। ଅନ୍ୟଥା ୨୦୧୬ ମସିହା ବଡବିଲ ସହରରେ ଡେଙ୍ଗୁ ଯୋଗୁଁଁ ୫ଜଣଙ୍କ ଅକାଳ ମୃତ୍ୟୁ ଭଳି ଭୟାବହତାର ଯେ ପୁନରାବୃତ୍ତି ନ ଘଟିବ ଏହି ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।
Comments are closed.