ପିପିଲି: ବାର୍ଡ-ଫ୍ଲୁ’ ପ୍ରଭାବିତ ପୁରୀ ଜିଲାର ପିପିଲି ଅଞ୍ଚଳରେ ୨୪ ତାରିଖଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଥିବା ବେଳେ ରବିବାର ଦିନ ୩ଟି ସଂକ୍ରମିତ ଫାର୍ମରୁ ୪୭୪୯ କୁକୁଡାଙ୍କୁ ମରାଯାଇ ମାଟିରେ ପୋତାଯାଇଛି । ଏହି କୁକୁଡା ମରା ଅଭିଯାନରେ ରାଜ୍ୟର ୪ଟି ଜିଲାରୁ ୧୩ଟି ରାପିଡ୍ ରେସ୍ପନ୍ସ ଟିମ୍ (ଆର୍ଆର୍ଟି)ର ୬୫ଜଣ ସଦସ୍ୟ ସାମିଲ ଥିବା ସୂଚନା ମିଳିଛି।
ପିପିଲି ଅଞ୍ଚଳରେ ଥିବା କେତେକ ବ୍ରଏଲର କୁକୁଡା ଫାର୍ମରେ ଗତ କିଛିଦିନ ହେଲା ଲଗାତର ଭାବେ ଦୈନିକ ଶହ ଶହ ସଂଖ୍ୟାରେ କୁକୁଡା ମଡକ ହୋଇଥିଲା । ଫୁଲନଖରାସ୍ଥିତ ପ୍ରାଣୀସଂପଦ ରୋଗ ଅନୁସନ୍ଧାନ କେନ୍ଦ୍ରର (ଏଡିଆର୍ଆଇ) ବିଶେଷଜ୍ଞମାନେ ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ଆବଲପୁର ଗ୍ରାମର ଏକ କୁକୁଡା ଫାର୍ମରୁ ୧୭ ତାରିଖରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭେଲୋରସ୍ଥିତ ପରୀକ୍ଷାଗାରକୁ ପଠାଇଥିଲେ । ପରୀକ୍ଷା ରିପୋର୍ଟ ବାର୍ଡ-ଫ୍ଲୁ ପଜିଟିଭ୍ ଆସିବା ପରେ ଗତ ୨୩ ତାରିଖରେ ଏହି ଅଞ୍ଚଳରେ ବାର୍ଡ-ଫ୍ଲୁ ହୋଇଥିବା ଘୋଷଣା କରାଯିବା ସହ ସଂକ୍ରମିତ ଅଞ୍ଚଳର ୧କିଲୋମିଟର ପରିସୀମା ମଧ୍ୟରେ ରହିଥିବା ସମସ୍ତ କୁକୁଡା ଫାର୍ମରୁ ସଂକ୍ରମିତ କୁକୁଡାଙ୍କୁ ମରାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହାସହ କୁକୁଡା ଫାର୍ମଗୁଡିକୁ ବିଶୋଧନ କରାଯିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ସଂକ୍ରମିତ ଅଞ୍ଚଳରେ ରହିଥିବା ମୋଟ୍ ୫୪ଟି କୁକୁଡା ଫାର୍ମ ମଧ୍ୟରୁ ୪୩ଟି କୁକୁଡା ଫାର୍ମରେ ଇତିମଧ୍ୟରେ କୌଣସି କୁକୁଡା ନ ଥିବା ବେଳେ ଅବଶିଷ୍ଟ ୧୧ଟି କୁକୁଡା ଫାର୍ମରେ ବଞ୍ଚିଥିବା ୨୦ହଜାର ୧ଶହ କୁକୁଡାଙ୍କୁ ମରାଯିବା ପାଇଁ ଶନିବାରଠାରୁ ଅଭିଯାନ ଆରମ୍ଭ ହୋଇଥିଲା।
ପ୍ରଥମ ଦିନରେ ବାଲିଗାଁ ଅଞ୍ଚଳର ଗୋଟିଏ କୁକୁଡା ଫାର୍ମର ୧ହଜାର କୁକୁଡାଙ୍କୁ ମରାଯାଇଥିବା ବେଳେ ରବିବାର ଆବଲପୁର ଅଞ୍ଚଳର ଗୋଟିଏ ଫାର୍ମରୁ ୨୧୮୮, ଓଡସମୁଦି ଅଞ୍ଚଳର ଗୋଟିଏ ଫାର୍ମରୁ ୩୯୦ ଓ ଜନାର୍ଦ୍ଧନପୁର ଅଞ୍ଚଳର ଏକ ଫାର୍ମରୁ ୨୧୭୧ଟି କୁକୁଡାଙ୍କୁ ମରାଯାଇ ମାଟିରେ ପୋତାଯାଇଛି । ଏଥିସହ ରବିବାର ଦିନ ୪ଟି କୁକୁଡା ଫାର୍ମକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଛି । ତେବେ ଏହି କୁକୁଡା ମରା ଅଭିଯାନକୁ ଅଞ୍ଚଳର ବହୁ କୁକୁଡା ଚାଷୀ ବିରୋଧ କରୁଥିବା ବେଳେ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି । ତେବେ ବଡ କୁକୁଡା ପ୍ରତି ୭୦ଟଙ୍କା, ସାନ କୁକୁଡା ପ୍ରତି ୨୦ଟଙ୍କା ଓ ଅଣ୍ଡା ଦିଆ ବଡ କୁକୁଡା ପ୍ରତି ୯୦ ଟଙ୍କା ଓ କୁକୁଡା ଦାନା କିଲୋପ୍ରତି ୧୨ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବାକୁ ସରକାରଙ୍କ ଗାଇଡ୍ ଲାଇନ ରହିଥିବା ସଂପର୍କରେ ପିପିଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଆଲୋକ ମିଶ୍ର ସୂଚନା ଦେଇଛନ୍ତି।
ଗତ ଜୁନ୍ ମାସଠାରୁ ପିପିଲି ଅଞ୍ଚଳରେ କୁକୁଡା ମଡକ ଆରମ୍ଭ ହୋଇଥିବା ବେଳେ ଜୁଲାଇ ଓ ଅଗଷ୍ଟ ମାସରେ ଏହା ସାଂଘାତିକ ରୂପ ଧାରଣ କରିଥିବା ଅଭିଯୋଗ ହୋଇଛି । ପିପିଲି ଅଞ୍ଚଳରେ ଥିବା ଶତାଧିକ କୁକୁଡା ଫାର୍ମରେ ଦୈନିକ ଶହ ଶହ ସଂଖ୍ୟାରେ କୁକୁଡା ମଡକ ହେଉଥିବା ବେଳେ ମଲା କୁକୁଡାଙ୍କୁ ଜରି ଅଖାରେ ଭର୍ତ୍ତି କରି ରାସ୍ତା କଡ ଓ କେନାଲ ବନ୍ଧ କଡରେ ଫୋପାଡି ଦିଆଯାଉଥିବା ସୂଚନା ମିଳିଛି । ଏଥିଯୋଗୁ ଜାତୀୟ ରାଜପଥ ସମେତ ବିଭିନ୍ନ ଅଞ୍ଚଳରେ ଏକ ପୁତ୍ତିଗନ୍ଧମୟ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ରବିବାର ମଙ୍ଗଳପୁରଠାରେ ଅତିରିକ୍ତ ଜିଲା ପ୍ରାଣୀ ସଂପଦ ଅଧିକାରୀ(ଏଡିଭିଓ) ଡାକ୍ତର ବିଶ୍ୱରଞ୍ଜନ ବେହେରାଙ୍କ ସହ କୁକୁଡ଼ା ଚାଷୀ ଉନ୍ନୟନ ମଞ୍ଚ, ଓଡିଶାର ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡାଙ୍କ ନେତୃତ୍ୱରେ ପିପିଲି, ସତ୍ୟବାଦୀ, ଡେଲାଙ୍ଗ ଆଦି ଅଞ୍ଚଳର କୁକୁଡା ଚାଷୀଙ୍କର ଏକ ଆଲୋଚନା ହୋଇଥିଲା । ଗତ ଜୁନ୍ ମାସଠାରୁ ପିପିଲିର ଦେଢଶହରୁ ଅଧିକ କୁକୁଡା ଫାର୍ମ ସମେତ ଅନ୍ୟ ଅଞ୍ଚଳର ଶତାଧିକ କୁକୁଡା ଫାର୍ମରେ କୁକୁଡା ମଡକ ହୋଇଥିବା ବେଳେ ବିଭାଗ ପକ୍ଷରୁ ସେସବୁ ଅଞ୍ଚଳର କୁକୁଡାର ନମୁନା ଓ ଖାଲି ଫାର୍ମର ବର୍ଜ୍ୟବସ୍ତୁର ନମୁନାକୁ ପରୀକ୍ଷା କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବାକୁ ପରିଡା ଦାବି କରିଥିଲେ । ଚାଷୀଙ୍କ ଦାବିକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେବା ସହ ଆଗାମୀ ଦିନରେ ଏହି ରୋଗର ପ୍ରତିକାର ଓ ସତର୍କତା ସଂପର୍କରେ କୁକୁଡା ଚାଷୀମାନଙ୍କୁ ନେଇ ବିଭିନ୍ନ ସଚେତନତା ଓ ତାଲିମ ଶିବିର ଆୟୋଜନ କରାଯିବ ବୋଲି କହିଥିଲେ । ଏହି ସଂକ୍ରମଣ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ ସେଦିଗରେ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ସମସ୍ତ ପ୍ରକାର ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଉଛି।



