ରାଜ୍ୟସଭାରେ ଆଗତ ହେଲା ସାଧାରଣବର୍ଗ ଗରିବ ସଂରକ୍ଷଣ ବିଲ୍
ନୂଆଦିଲ୍ଲୀ : ସାଧାରଣବର୍ଗ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ସମ୍ବନ୍ଧିତ ୧୨୪ ତମ ସମ୍ବିଧାନ ସଂଶୋଧନ ବିଧେୟକ ବୁଧବାର ରାଜ୍ୟସଭାରେ ଆଗତ ହୋଇଛି। ମଙ୍ଗଳବାର ଲୋକସଭାରେ ପାରିତ ହେବା ପରେ ଆଜି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ୍ ଗେହଲଟ୍ ରାଜ୍ୟସଭାରେ ବିଲକୁ ଉପସ୍ଥାପନ କରିଛନ୍ତି। ଦିନ ୨ ଟାରୁ ବିଲ୍ ସଂପର୍କରେ ଗୃହରେ ସରଗରମ ଆଲୋଚନା ଚାଲିଛି।
ପୂର୍ବରୁ ଲୋକସଭାରେ ଏହି ସମ୍ବିଧାନ ସଂଶୋଧନ ବିଲ୍ ସପକ୍ଷରେ ୩୨୩ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୩ଟି ଭୋଟ୍ ମିଳିଥିଲା। ଏହି ବିଲର ବ୍ୟବସ୍ଥା ଅନୁସାରେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ସାଧାରଣବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।
ଉଭୟ ଗୃହରେ ପାରିତ ହେବା ପରେ ଏକ ଚତୁର୍ଥାଂଶ ରାଜ୍ୟର ସ୍ୱିକୃତୀ ପାଇଲେ ଏହି ବିଲ୍ ଆଇନରେ ପରିଣତ ହେବ। ବିଲ ଆଗତ ହେବା ପରେ ଗୃହରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି।