www.samajalive.in
Monday, December 8, 2025
13.1 C
Bhubaneswar

ଜେଏମଏଫସିଙ୍କ ଘରୁ ଚୋରି ଘଟଣା, ୩ ଅଭିଯୁକ୍ତ ଗିରଫ

ଆଠଗଡ: ଆଠଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି)ଙ୍କ ସରକାରୀ ବାସଭବନରୁ ଗତ ଶୁକ୍ରବାର (ଅଗଷ୍ଟ ୯ ତାରିଖ) ହୋଇଥିବା ଚୋରି ଘଟଣା ଆଠଗଡ ପୁଲିସ ପର୍ଦ୍ଦାଫାସ କରିଛି। ଏହି ଚୋରି ଘଟଣାରେ ସମ୍ପୃକ୍ତ ୪ଜଣଙ୍କ ମଧ୍ଯରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି। ଧରାପଡିଥିବା ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ସବୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିବା ଆଠଗଡ ପୁଲିସ ପକ୍ଷରୁ ଶନିବାର ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କଟକ ଗ୍ରାମାଞ୍ଚଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୃଷ୍ଣ ପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି ଚୋରି ଘଟଣା ଜଣାପଡିବା ପରେ ହାଇକୋର୍ଟ ମୁଖ୍ୟ ବିଚାରପତି ନ୍ୟାୟାଧୀଶ ଚକ୍ରଧାରୀ ଶରଣସିଂହ ଓ ଅନ୍ଯତମ ବିଚାରପତି ନ୍ୟାୟାଧୀଶ ସଙ୍ଗମ ସାହୁ ସୋମବାର ଆଠଗଡ ଗସ୍ତ କରି ଜେଏମଏଫସିଙ୍କ ବାସଭବନ ସମେତ ଅନ୍ୟ ବିଚାର ବିଭାଗୀୟ ଅଧିକାରୀଙ୍କ ବାସଭବନର ସ୍ଥିତି ଅନୁଧ୍ୟାନ କରିଥିଲେ। ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ଘରୁ ଚୋରି ଘଟଣାକୁ ନେଇ ମୁଖ୍ୟ ବିଚାରପତି ଚିନ୍ତା ପ୍ରକଟ କରିବା ସହ ପୁଲିସର କାର୍ଯ୍ୟଧାରାରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିବରଣୀରୁ ପ୍ରକାଶ ଆଠଗଡର ଜେଏମଏଫସି ସମ୍ବେଦନା ସନ୍ଦିପ ଦୁଇଦିନ ଛୁଟି ଥିବାରୁ ଗତ ଶୁକ୍ରବାର ସନ୍ଧ୍ୟାରେ ଜରୁରୀ କାମ ଥିବାରୁ ଭୁବନେଶ୍ବର ଯାଇଥିଲେ । ସେହିଦିନ ରାତିରେ ଏକ ଅଣଆଡିଆ ସ୍ଥାନରେ ଥିବା ତାଙ୍କ ସରକାରୀ ବାସଭବନର ପଛ ରୋଷେଇ ଘର ଝରକା ଭାଙ୍ଗି ୪ଜଣ ଚୋର ଘର ଭିତରେ ପଶି ଆଲମାରୀ  ତାଡି ସେଥିରେ ଥିବା ଏକ ହୀରା ଖଚିତ ସୁନା ମଙ୍ଗଳସୂତ୍ର, ସୁନା ଚେନ ସମେତ ବହୁ ଇମିଟେସନ ଗହଣା ଓ ଏକ ଏଲଇଡି ଟିଭି ନେଇଯାଇଥିଲେ। ତାସହିତ ପ୍ରମାଣ ଲୁଚାଇବା ପାଇଁ ସେହି କକ୍ଷରେ ନିଆଁ ଲଗାଇଦେବାରୁ ବହୁ ଲୁଗାପଟା ଓ ଆସବାବପତ୍ର ପୋଡିଯାଇଥିଲା। ଅଣଆଡିଆ ସ୍ଥାନରେ କ୍ଵାର୍ଟରଟି ଥିବା ଓ ଦୁଇଦିନ ଛୁଟି ଥିବାରୁ ଏ ସମ୍ପର୍କରେ କେହି କିଛି ଜାଣିପାରିନଥିଲେ। ରବିବାର ସନ୍ଧ୍ୟାରେ ଜେଏମଏଫସି ଶ୍ରୀମତି ସନ୍ଦିପ ଆଠଗଡ ବାସଭବନରେ ପହଞ୍ଚିବା ପରେ ସବୁ ଘଟଣା ଜଣାପଡିଥିଲା। ଖବର ଆଠଗଡ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ଓ ଆଇଆଇସି ଅନିରୁଦ୍ଧ ମୁଦୁଲି ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। କଟକରୁ ପୁଲିସ ବିଜ୍ଞାନୀ ଦଳ ଓ ସନ୍ଧାନୀ କୁକୁର ଆସି ତଦନ୍ତରେ ସହଯୋଗ କରିଥିଲେ ବି ସୁରାକ ମିଳିନଥିଲା। ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ଵ ଦେଇ କଟକ ଗ୍ରାମାଞ୍ଚଳ ଏସପି ଏଲ୍ ବିଦ୍ୟା ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନେତୃତ୍ବରେ ଏକ ତଦନ୍ତକାରୀ ଦଳ ଗଠନ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ। ବିଭିନ୍ନ ସୂଚନା ଆଧାରରେ ଏସଡିପିଓ ଶ୍ରୀ ମଲ୍ଲିକ ଓ ଆଇଆଇସି ଶ୍ରୀ ମୁଦୁଲି ପ୍ରଥମେ ଜେଏମଏଫସିଙ୍କ ବାସଭବନ ନିକଟରେ ଏକ ପରିତ୍ୟକ୍ତ ଘରେ ଅନଧିକାର ଭାବେ ପରିବାର ସହ ରହୁଥିବା ୧୭ ବର୍ଷ ୫ମାସ ବୟସର ଜଣେ ନାବାଳକୁ ଧରି ପଚରାଉଚୁରା କରିବାରେ ତା ଘର ପଛପଟେ ଲୁଚାଇ ରଖିଥିବା ଏଲଇଡି ଟିଭି ଧରାପଡିଥିଲା। ତାକୁ କଟକର କିଶୋର ଅପରାଧ ଅଦାଲତରେ ହାଜର କରାଯାଇଛି। ପଚରାଉଚୁରା ସମୟରେ ସମ୍ପୃକ୍ତ ନାବାଳକଠାରୁ ମିଳିଥିବା ସୂଚନା ଆଧାରରେ ଅନ୍ୟତମ ଅଭିଯୁକ୍ତ ବାଉତି ସାହି ପଛପାଖ କାଲୁବସ୍ତିର ଅଶୋକ ନାଏକଙ୍କ ପୁଅ ଆକାଶ ନାଏକ ଘରୁ ଚୋରି ସୁନା ରୂପା ଗହଣା ସହିତ ଏକ ସ୍କୁଟି ଜବତ କରାଯାଇଥିଲା। ତେବେ ଚୋରି ଘଟଣାର ପରଦିନ ଆକାଶକୁ ଏକ ପାଇପ୍ ଚୋରି ମାମଲାରେ ଟାଙ୍ଗି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏଥିରେ ସମ୍ପୃକ୍ତ ସେହି ବାଉତି ସାହି କାଲୁବସ୍ତିର ଗୁଣ୍ଡିଚା ନାଏକଙ୍କ ପୁଅ ଶଙ୍କର ଓରଫ ନଣ୍ଡା ନାଏକ ଠାରୁ ଏକ ଆକ୍ଟିଭା ସ୍କୁଟି ଜବତ କରାଯିବା ସହ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେହିପରି ଏହି ଘଟଣାରେ ଜଡିତ ଅନ୍ୟତମ ଅଭ୍ୟାସଗତ ଅଭିଯୁକ୍ତ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମର ବଳରାମ ଦେହୁରୀଙ୍କ ପୁଅ ମନ ଓରଫ ମନୋଜ ଦେହୁରୀ ଫେରାର ହୋଇ ଯାଇଥିବାବେଳେ ଏକ ଗ୍ଲାମର ବାଇକ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories