ଗଞ୍ଜାମ: ଗଞ୍ଜାମ ବ୍ଲକର ସଭା ଗୃହ ଠାରେ ଶୁକ୍ରବାର ପଞ୍ଚାୟତ ସମିତି ସପ୍ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନବନିର୍ବାଚିତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ ତାଙ୍କ ବକ୍ତବ୍ୟରେ ଗତ ସରକାରଙ୍କୁ ସମାଲୋଚନା କରିବା ସହିତ ଯଦି ଆମେ ବିକାଶ କଥା ଚିନ୍ତା କରିବା ତାହାଲେ ଦଳଗତ ନିର୍ବିଶେଷରେ ସମସ୍ତ ଜନପ୍ରତିନିଧି ମିଳିମିଶି କାମ କରିବା ସହ ଭାଇଚାରା ସୃଷ୍ଟି କଲେ ଅଞ୍ଚଳର ଉନ୍ନତି ସମ୍ଭବ ବୋଲି କହିଥିଲେ। ଏଥିସହ ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦେବା ନିମନ୍ତେ ବିଧାୟକ ଶ୍ରୀ ନାୟକ ସମସ୍ତ ଲୋକପ୍ରତିନିଧିଙ୍କୁ ଆହ୍ୱାନ ଦେଇଥିଲେ। ତେବେ ବୈଠକ ପ୍ରାରମ୍ଭରେ କୃଷି ଅଧିକାରୀ ନିଜ ବିଭାଗ ବିଷୟରେ ଆଲୋଚନା କରୁଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଧିକାରୀ ମାନେ କୌଣସି ବିଷୟରେ ସରପଞ୍ଚ କିମ୍ବା ସମିତି ସଭ୍ୟଙ୍କୁ ଜଣାଉ ନାହାନ୍ତି ବୋଲି ଅଧିକାଂଶ ସରପଞ୍ଚ ଓ ସମିତି ସଭ୍ୟ ଅଭିଯୋଗ କରିଥିଲେ। ଅନୁରୂପ ଭାବେ ଉଦ୍ୟାନ ବିଭାଗ କର୍ମଚାରୀ ମାନେ ମଧ୍ୟ କୌଣସି ବିଷୟ ଅବଗତ କରୁନଥିବା ଅଭିଯୋଗ କରିଥିଲେ। ପରବର୍ତୀ ସମୟରେ ଏଭଳି ଭୁଲ ନକରିବା ପାଇଁ ବିଡ଼ିଓ ତାଗିଦ କରିଥିଲେ।
Popular Categories



