ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହେବା ସତ୍ବେ ହିଂସା ଥମୁନାହିଁ। ହିନ୍ଦୁମାନଙ୍କ ପ୍ରତି ମୁସଲମାନଙ୍କ ଅତ୍ୟାଚାର ଏବଂ ଆକ୍ରମର ବଢ଼ିବାରେ ଲାଗିଛି। ଦେଶରେ ହିନ୍ଦୁମାନଙ୍କ ମଧ୍ୟରେ ବି ଜାଗରଣ ସୃଷ୍ଟି ହୋଇଛି। ହିନ୍ଦୁମାନେ ଏକତ୍ର ହୋଇ ସଂଗ୍ରାମ ଜାରି ରଖିଛନ୍ତି। ଏହା ମଧ୍ୟରେ ବାଂଲାଦେଶର ପୂର୍ବତନ ପ୍ରଧାନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନା ଅନ୍ତରୀଣ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମହମ୍ମଦ ୟୁନୁସ ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବା ଅସାମ୍ବିଧାନିକ ବୋଲି ସିହ୍ନା କହିବା ସହିତ ଯେଉଁ ରାଷ୍ଟ୍ରରେ ଇସଲାମ ହେଉଛି ଜାତୀୟ ଧର୍ମ ସେଠାରେ ଧର୍ମନିରପେକ୍ଷତାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି। ଇସଲାମ ଏବଂ ଧର୍ମନିରପେକ୍ଷତା ଏକତ୍ର ରହିପାରିବେ ନାହିଁ ବୋଲି ସିହ୍ନା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି।
ସିହ୍ନା ଶେଖ ହସିନାଙ୍କୁ ବି ନିନ୍ଦା କରିଛନ୍ତି। ସେ କହିଛନ୍ତି, ହସିନାଙ୍କୁ ବିଦା ହେବାର ଥିଲା। କେବଳ ସମୟକୁ ଅପେକ୍ଷା ଥିଲା। ସେ ଏକମାତ୍ର ହିନ୍ଦୁ ଭାବେ ବାଂଲାଦେଶର ପ୍ରଧାନ ବଚାରପତି ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି। କିନ୍ତୁ ୨୦୧୭ରେ ହସିନାଙ୍କ ସରକାର ତାଙ୍କୁ ଦୁର୍ନୀତି ଅଭିଯୋଗରେ ଅସାମ୍ବିଧାନିକ ଉପାୟରେ ବହିସ୍କାର କରିଥିଲା। ପରେ ୨୦୨୧ରେ ତାଙ୍କୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ମିଳିଥିଲା। ବାଂଲାଦେଶ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହାକୁ ସେ ଖଣ୍ଡନ କରି କହିଛନ୍ତି, ଯେଉଁ ଦେଶ ଇସଲାମକୁ ଜାତୀୟ ଧର୍ମର ମାନ୍ୟତା ଦେଇଛି ତାହାକୁ ଧର୍ମନିରପେକ୍ଷ କୁହାଯାଇପାରିବ ନାହିଁ। ବାଂଲାଦେଶ ଯଦି ପ୍ରକୃତରେ ଧର୍ମନିରପେକ୍ଷ ରାଷ୍ଟ୍ର ହେବାକୁ ଚାହୁଁଛି, ତା’ହେଲେ ପ୍ରଥମେ ଇସଲାମକୁ ନିଜର ଜାତୀୟ ଧର୍ମରୁ ହଟାଇବା ଦରକାର।



