ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳର କାଟିଙ୍ଗିଆରେ ପହଞ୍ଚିଛନ୍ତି ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ। କାଟିଙ୍ଗିଆ ଗ୍ରାମପଞ୍ଚାୟତ ଅଞ୍ଚଳର ଶତାଧିକ ମହିଳା ପୁରୁଷଙ୍କ ସହିତ କଂଗ୍ରେସ୍ କର୍ମୀ ସମୂହ ଏକତ୍ରିତ ହୋଇ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ। ଶତାଧିକ ଜନ ସମାବେଶରେ ବିଧାୟକ ଚାଲି ଚାଲି କାଟିଙ୍ଗିଆ ଗ୍ରାମର ସମସ୍ତ ସାହି ବୁଲି ଲୋକଙ୍କୁ ସାକ୍ଷାତ କରି କଂଗ୍ରେସ କର୍ମୀଙ୍କ ଦ୍ବାରା ଆୟୋଜିତ ସଭାସ୍ଥଳିରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସରପଞ୍ଚ ସୁଭଦ୍ରା ପଡ୍ରାଙ୍କ ସହିତ ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟାଙ୍କ ସହିତ କଂଗ୍ରେସଦଳର ପଞ୍ଚାୟତ ସଭାପତି ରମେଶ ମଲିକ, ସଂପାଦକ ବିପିନ ବିହାରୀ ବସ୍ତିରାୟ, ପୂର୍ବତନ ସମିତି ସଭ୍ୟ କରମ ସିଂ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ।
ବରିଷ୍ଠ କର୍ମୀ ପ୍ରେମାନନ୍ଦ ବସ୍ତି ରାୟ ନିଜ ବକ୍ତବ୍ୟରେ ଅଞ୍ଚଳ ବାସୀଙ୍କ ପକ୍ଷରୁ କାଟିଙ୍ଗିଆ ଅଞ୍ଚଳର ମୁଖ୍ୟ ସମସ୍ୟା ଯଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ, ନେଟୱାର୍କ ସମସ୍ୟା, ସହିତ ମାଓବାଦୀଙ୍କ ଭୟରେ ବନ୍ଦ ରହିଥିବା ପୋଲିସ ଥାନ ଚାଲୁ କରିବାକୁ ବିଧାୟକଙ୍କ ନିକଟରେ ଦାବି ରଖିଥିଲେ। ବିଧାୟକ ପ୍ରଧାନ ନିଜ ବକ୍ତବ୍ୟରେ ଏହି ମୁଖ୍ୟ ସମସ୍ୟା ସମୂହ ପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା ବୁଡୁ କୁମାର ସିଂ କରିଥିବା ବେଳେ ପଞ୍ଚାୟତର ବରିଷ୍ଠ କଂଗ୍ରେସ କର୍ମକର୍ତ୍ତା ସମୂହ ସହଯୋଗ କରିଥିଲେ। ବିଧାୟକ ଆଜି ବ୍ରାହ୍ମଣୀଗାଁ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଗସ୍ତ କରିବା ସହିତ ସ୍ବାଧୀନତା ଦିବସ ଦିନ ପ୍ରଭାତି ତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।



