www.samajalive.in
Saturday, December 13, 2025
26.1 C
Bhubaneswar

‘କାଳିଆ’ ଯୋଜନାକୁ ନେଇ ଦ୍ବନ୍ଦ୍ବରେ ଚାଷୀ

ଭୁବନେଶ୍ବର : ରାଜ୍ୟର କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଆଦି ଶ୍ରେଣୀର ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସକରାର କାଳିଆ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ୬,୭୯୯ଟି ଗ୍ରାମପଞ୍ଚାୟତରେ କାଳିଆ ଯୋଜନାର ହିତାଧିକାରୀଙ୍କ ଚିଠା ତାଲିକା ପ୍ରସ୍ତୁତ କରାଯାଇ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଛି। ତେବେ ଏହି ଯୋଜନାରେ ସ୍ଥାନ ପାଇଥିବା ହିତାଧିକାରୀଙ୍କ ନାମ ଦେଖି ସରକାରୀ କର୍ମଚାରୀ ଛାନିଆ। କାରଣ ସରକାରୀ ଚାକିରି କରିଥିବା ଅନେକ ଲୋକଙ୍କ ନାମ ହିତାଧିକାରୀ ତାଲିକାରେ ରହିଛି। ସେହିପରି ଯାହାର ଚାଷ କାର୍ଯ୍ୟ ସହ କୌଣସି ସମ୍ପର୍କ ନାହିଁ ତାଙ୍କ ନାମ ତାଲିକାରେ ପ୍ରକାଶ ପାଇଥିବା ବେଳେ ସେଥିରେ ପ୍ରକୃତ ଚାଷୀଙ୍କ ନାମ ନାହିଁ। ଯାହା ନାମ ବାଦ୍ ପଡିଛି ତାହା ପଛରେ ଯୋଡ଼ି ହୋଇଯିବ ବୋଲି କର୍ତ୍ତୃପକ୍ଷ କହିଥିଲେ ହେଁ ତାଲିକାରେ ଥିବା ସରକାରୀ କର୍ମଚାରୀ ଚାକିରି ଚାଲିଯିବା କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭୟରେ ନିଜ ନାମ ସେଥିରୁ କାଟିବା ପାଇଁ ବ୍ୟଗ୍ର। ଅପରପକ୍ଷେ ବର୍ତ୍ତମାନ କେବଳ ୱେବ୍‌ସାଇଟ୍‌ରେ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଉଥିବାରୁ ନିଜ ନାମ ଖୋଜି ପାଇବା ସାଧାରଣ ଚାଷୀଟିଏ ପାଇଁ ସହଜ ନୁହେଁ। ଗ୍ରାମାଞ୍ଚଳର ବହୁ ଚାଷୀ ଏଥିପାଇଁ ସମସ୍ୟା ଭୋଗୁଛନ୍ତି।
କାଳିଆ ଯୋଜନା ଆରମ୍ଭ ହେଉ ହେଉ ହିତାଧିକାରୀଙ୍କ ନାମ ତାଲିକା ପ୍ରସ୍ତୁତ କରାଯାଇଛି। ଜାନୁଆରୀ ୨ ତାରିଖରୁ ହିତାଧିକାରୀଙ୍କ ନାମ ତାଲିକା ପ୍ରକାଶ ପାଇଛି। ଡବ୍ଲଡବ୍ଲୁଡବ୍ଲୁ.କାଳିଆ.ସିଓ.ଇନ୍‌ ୱେବ୍ ସାଇଟ୍ ଖୋଲିବା ପରେ ଏହାର ଡାହାଣ ପାର୍ଶ୍ବରେ ଥିବା ହିତାଧିକାରୀ ସ୍ଥାନରେ ଜିଲା, ପଞ୍ଚାୟତ, ଗ୍ରାମ ଆଦି ନାମ ପୂରଣ କରିବା ପରେ ନିଜ ନାମ ଟାଇପ୍ କଲେ କାଳିଆ ଯୋଜନାରେ ସାମିଲ୍ ହିତାଧିକାରୀଙ୍କ ବିବରଣୀ ଉପଲବ୍ଧ ହେଉଛି। ତେବେ ଚାଷ ସହ ଯାହାର କୌଣସି ସମ୍ପର୍କ ନାହିଁ ସେମାନଙ୍କ ନାମ ହିତାଧିକାରୀ ତାଲିକାରେ ସ୍ଥାନ ପାଇଛି। ବିଶେଷ କରି ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ, ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ ଅବା ଅବସରପ୍ରାପ୍ତ କର୍ମଚାରୀ, ଆୟକରଦାତା କୃଷକ କିମ୍ବା ତାଙ୍କର ସ୍ୱାମୀ ଅବା ସ୍ତ୍ରୀଙ୍କ ନାମ କାଳିଆ ଯୋଜନାର ହିତାଧିକାରୀ ତାଲିକାରେ ରହିଥିବା ଦେଖିବାକୁ ମିଳୁଛି। ଏହା ଜାଣିବା ପରେ ନିଜ ନାମ କାଟିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଲୋକେ କାମଧନ୍ଦା ଛାଡ଼ି ଗାଁକୁ ଦୌଡ଼ୁଛନ୍ତି। ଯଥାଶୀଘ୍ର ହିତାଧିକାରୀ ତାଲିକାରୁ ନିଜ ନାମ ବାଦ୍ ଦେଲେ ଯାଇ ନିସ୍ତାର ମିଳିବ; ନଚେତ କାର୍ଯ୍ୟାନୁଷ୍ଠାନର
ଭୟ ରହିଛି।
ଏନେଇ ସମବାୟ ବିଭାଗ ସଚିବ ଡା. କ୍ରିସନ୍ କୁମାର କହିଛନ୍ତି ଯେ ଭୁଲ୍‌ବଶତଃ ଯେଉଁମାନଙ୍କ ନାମ ହିତାଧିକାରୀଙ୍କ ତାଲିକାରେ ରହି ଯାଇଛି ତାହା କାଟିବା ପାଇଁ ଲାଲ୍ ରଙ୍ଗର ଫର୍ମ ରହିଛି। ସେହିପରି ବାଦ୍ ପଡିଥିବା ହିତାଧିକାରୀଙ୍କ ନାମ ଏହି ତାଲିକାରେ ଯୋଡ଼ିବା ପାଇଁ ସବୁଜ ରଙ୍ଗର ଫର୍ମ ଅଛି। ପଞ୍ଚାୟତ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ମୁଦ୍ରିତ ଉଭୟ ରଙ୍ଗର ଫର୍ମ ଉପଲବ୍ଧ ହେଉଛି। ଆବଶ୍ୟକୀୟ କାଗଜପତ୍ର ସହ ଫର୍ମ ପୂରଣ କରି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଡ୍ରପ୍ ବକ୍ସରେ ଫର୍ମ ପକାଇ ପାରିବେ। ଫର୍ମରେ ଆବେଦନ ପାଇଁ ଶେଷ ତାରିଖ ଜାନୁଆରୀ ୧୦ ତାରିଖ ଧାର୍ଯ୍ୟ କରାଯାଇଛି। ଏହା ପରେ ସଂଶୋଧିତ ନାମ ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
କାଳିଆ ଯୋଜନାରେ ସାମିଲ ହେବା ପାଇଁ ଏବେ ତହସିଲ କାର୍ଯ୍ୟାଳୟରେ ଭିଡ଼ ପରିଲକ୍ଷିତ ହେଉଛି। କେତେକ ତହସିଲରେ ସରକାରଙ୍କ ନୀଳ ଓ ନାଲି ଫର୍ମ ମିଳୁ ନଥିବାରୁ ଚାଷୀମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଡଜନେ ହେବ ଅଭିଯୋଗ କୃଷି ଓ ସମବାୟ ବିଭାଗ ନିକଟରେ ପହଞ୍ଚିଛି। ଏହାକୁ ନେଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଚାଷୀମାନଙ୍କୁ କିଭଳି ପର୍ଯ୍ୟାପ୍ତ ଆବେଦନ ଫର୍ମ ମିଳିପାରିବ ସେନେଇ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି।
ସୂଚନା ଅନୁଯାୟୀ କାଳିଆ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କଠାରୁ ଆବେଦନ ଗ୍ରହଣ କରାଯାଉଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ୧୦ତାରିଖ ଧାର୍ଯ୍ୟ କରାଯାଇଛି। ହେଲେ ଯେଉଁମାନେ ପଡୋଶୀ ରାଜ୍ୟରେ ଦାଦନ ଖଟୁଛନ୍ତି ସେମାନେ ଏହି ଖବର ପାଇବା ପରେ ଓଡ଼ିଶା ମୁହାଁ ହୋଇଛନ୍ତି। ପୁରୀ, କଟକ, ଖୋର୍ଦ୍ଧା,ଗଞ୍ଜାମ,ଜଗତସିଂହପୁର, ଗଜପତି, ବ୍ରହ୍ମପୁର ପ୍ରଭୃତି ଜିଲାରେ ଏବେ ଚାଷୀମାନଙ୍କ ଭିଡ଼ ଦେଖିବାକୁ ମିଳୁଛି। ପର୍ଯ୍ୟାପ୍ତ ଫର୍ମ ଅଭାବରୁ ଲୋକେ ହଇରାଣ ହରକତ ହେଉଛନ୍ତି। କେତେକ ପଞ୍ଚାୟତରେ ୧୦୦ଟି ଫର୍ମ ବଣ୍ଟନ କରାଯାଉଛି। ଫର୍ମ ନେବାକୁ ଲୋକେ ସକାଳୁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି। ଚାଷୀମାନେ ଫର୍ମ ଆବେଦନ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଚାଷୀମାନେ ଫର୍ମ ଧରି ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ଜଣାଯାଇଛି।
ଏନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ଫର୍ମ ଅଭାବ ନେଇ କେତେକ ତହସିଲରେ ଅଭିଯୋଗ ହେଉଥିବା ଖବର ଆସୁଛି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ। ଯଦି ଆବଶ୍ୟକ ପଡେ ତେବେ ଏହି ସମୟ ଅବଧିକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ଯେ କାଳିଆ ଯୋଜନାକୁ ତ୍ବରାନ୍ବିତ କରିବାପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ଫର୍ମ ଅଭାବ ନେଇ ଲିଖିତ ଅଭିଯୋଗ ପହଞ୍ଚି ନାହିଁ। ଯଦି ଏଭଳି କିଛି ଖବର ଆସେ ତେବେ ତାକୁ ପ୍ରାଥମିକତା ଦିଆଯିବ ​‌ବୋଲି ଶ୍ରୀ ଗର୍ଗ କହିଛନ୍ତି।
ହିତାଧିକାରୀ ତାଲିକା…

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories