‘ଜୟ ଅନୁସନ୍ଧାନ’

0

ମାନବଜାତିର ବିକାଶର ମୂଳରେ ରହିଛି ଉଦ୍ଭାବନ, ଅନୁସନ୍ଧାନ ଓ ଆବିଷ୍କାର। ଅକଲ, ବୁଦ୍ଧିବିଦ୍ୟା ଓ ବିଚାରକୁ ପ୍ରୟୋଗକରି ମଣିଷ ତାହାର ଆବଶ୍ୟକତା ପୂରଣ କରିଚାଲିଛି। ଏହା ନିଃସନ୍ଦେହ ଯେ ନୂଆ କିଛି କରିବା ପଛରେ ବିଜ୍ଞାନ ଓ ପ୍ରଯୁକ୍ତି ସର୍ବଦା ନେତୃତ୍ବ ନେଇଛି। ବିଶେଷ ଜ୍ଞାନ ହିଁ ବିଜ୍ଞାନ। ତେଣୁ ସବୁ ଉଦ୍ଭାବନ, ଆବିଷ୍କାର, ଅନୁସନ୍ଧାନ ଓ ଅଭିନବତା ପଛରେ ରହିଛି ସାଧାରଣ ମଣିଷର କଲ୍ୟାଣ ସାଧନ କରିବାର ଅଭୀପ୍‌ସା।
ଭାରତରେ ତୁଙ୍ଗ ରାଜନୈତିକ ନେତୃଗଣ, ବିଶେଷକରି ଲୋକପ୍ରିୟ ପ୍ରଧାନମନ୍ତ୍ରୀମାନେ ବିଭିନ୍ନ ସମୟରେ ଦେଶର କଲ୍ୟାଣ ପାଇଁ ନୂଆନୂଆ ସ୍ଲୋଗାନ ଦେଇଥାନ୍ତି। ଜୟ ଜବାନ, ଜୟ କିଷାନ ହେଉ ବା ଜୟ ବିଜ୍ଞାନ, ଏସବୁ ମୂଳତଃ ଆମ ରାଷ୍ଟ୍ରୀୟ ଆବଶ୍ୟକତା ଓ ଅଗ୍ରାଧିକାରକୁ ସୂଚାଏ। ଏବେ ପଞ୍ଜାବରେ ଜଳନ୍ଧରଠାରେ ଅନୁଷ୍ଠିତ ୧୦୬ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ପ୍ରଧାନମନ୍ତ୍ରୀ ମୋଦୀ ‘ଜୟ ଅନୁସନ୍ଧାନ’ର ସ୍ଲୋଗାନ ଦେଇ ଏଥିରେ ଆଉ ଏକ ଅଧ୍ୟାୟ ଯୋଡ଼ିଛନ୍ତି। ଏକଥା ସତ ଯେ ବିଜ୍ଞାନ, ଗବେଷଣା ଓ ପ୍ରଯୁକ୍ତି ଦ୍ବାରା ଭାରତ ଏବେ ବିଶ୍ବର ଏକ ପ୍ରମୁଖ ଶକ୍ତିରେ ପରିଣତ ହୋଇଛି। ଏହା ମାଧ୍ୟମରେ ଦେଶ ନିଜର ବର୍ତ୍ତମାନକୁ ବଦଳାଇ ଏକ ଅଧିକ ଉନ୍ନତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି।
କୃଷି, ଶିଳ୍ପ, ପ୍ରତିରକ୍ଷା, ଯୋଗାଯୋଗ, ଚିକିତ୍ସା ବିଜ୍ଞାନ, ଶିକ୍ଷା, ଜୈବପ୍ରଯୁକ୍ତି, ସଂଚାର ବ୍ୟବସ୍ଥା, ମହାକାଶ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ଆଜି ଯେଉଁ ସଫଳତା ଅର୍ଜନ କରିଛି ତା’ପଛରେ ରହିଛି ନୂଆ ବିଜ୍ଞାନ ପ୍ରଯୁକ୍ତିଜନିତ ଅନୁସନ୍ଧାନ, ଉଦ୍ଭାବନ ଓ ଅଭିନବତା। ୨୦୧୮ ବିଜ୍ଞାନ ଦୃଷ୍ଟିରୁ ଭାରତ ପାଇଁ ଏକ ସଫଳ ବର୍ଷ ଥିଲା। ଏହା ବ୍ୟତୀତ ଶାସିତଙ୍କ କଲ୍ୟାଣ ଓ ଶାସନର ପ୍ରତ୍ୟେକ କ୍ଷେତ୍ରକୁ ଅଧିକ ଦକ୍ଷ, ଉତ୍ତରଦାୟୀ କରିବାକୁ ଭାରତସରକାର ବିଜ୍ଞାନ, ପ୍ରଯୁକ୍ତି ଓ ଅଭିନବତାକୁ ଅଗ୍ରାଧିକାର ଦେଉଛନ୍ତି। ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଅଭିନବତା ପାଇଁ ଏକ ନୂଆ ପରିବେଶ ସୃଷ୍ଟି କରାଯାଇଛି। ତଥାପି ଏ କ୍ଷେତ୍ରରେ ଅନେକ କିଛି ହାସଲ କରିବାର ଅଛି।
ଏହି କ୍ଷେତ୍ରଟି ଅତ୍ୟନ୍ତ ବ୍ୟୟବହୁଳ। ପ୍ରଚୁର ଅର୍ଥ ବ୍ୟୟ ବିନା ଗବେଷଣା, ଉନ୍ନୟନ ଓ ଅନୁସନ୍ଧାନ ସଫଳ ହେବନାହିଁ। ଆଶା କରିବା, ପ୍ରଧାନମନ୍ତ୍ରୀଙ୍କ ଏହି ସ୍ଲୋଗାନ କେବଳ ସ୍ଲୋଗାନରେ ସୀମିତ ହୋଇ ରହିବ ନାହିଁ। ସରକାର ଏହାର ଯଥାର୍ଥ ରୂପାୟଣ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରି ଦେଶ ଓ ଦଶର ଉନ୍ନତି ଘଟାଇ ଏକ ନୂଆ ଭାରତ ଗଠନରେ ସଫଳ ହେବେ।

kalyan agarbati
Leave A Reply