ଓଡ଼ିଶାରେ ହେବ ନିର୍ବାଚନ ଯୁଦ୍ଧ ; ପୁରୀରୁ ନିର୍ବାଚନ ଲଢିପାରନ୍ତି ମୋଦୀ !
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବ ଭାରତରୁ ନିର୍ବାଚନ ଜିତିବାର ଯୁଦ୍ଧ ପୁରୀରୁ ହିଁ ହେବ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ଏନେଇ ଓଡିଶା ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ସେ କହିଛନ୍ତି- ମୁଁ ୯୦ପ୍ରତିଶତ ନିଶ୍ଚିତ ମୋଦୀ ପୁରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବେ। କିନ୍ତୁ ନିକଟରେ ମୋଦୀ ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏନେଇ କିଛି ସ୍ପଷ୍ଟ କରିନଥିଲେ। ସେ କହିଥିଲେ ଏହା ଗଣମାଧ୍ୟମର ପ୍ରଚାର ଆଉ କିଛି ନୁହେଁ। ମାତ୍ର ଏହାପରେ ମଧ୍ୟ ପ୍ରଦୀପ ପୁରୋହିତ ଏନେଇ ଦୃଢୋକ୍ତି ପ୍ରକାଶ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଠାରୁ ନିର୍ବାଚନ ଲଢିବେ ସେହିଠାରେ ବିକାଶର ନୂତନ ଧାରା ଆରମ୍ଭ ହେବ ବୋଲି ଶ୍ରୀ ପୁରୋହିତ କହିଛନ୍ତି।
ଏନେଇ ଓଡିଶା ବିଜେପି ସଭାପତି ବସନ୍ତ ପଣ୍ଡା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି- ରାଜ୍ୟ ବିଜେପି ଚାହୁଁଛି ମୋଦୀ ଓଡିଶାରେ ଯେକୌଣସି ସ୍ଥାନରୁ ନିର୍ବାଚନ ଲଢନ୍ତୁ। କାରଣ ଓଡିଶାରୁ ମୋଦୀଙ୍କ ନିର୍ବାଚନ ଲଢିବା ଦ୍ବାରା ଓଡିଶା ସମେତ ଓଡିଶାର ପଡୋଶୀ ରାଜ୍ୟ ମାନଙ୍କରେ ମଧ୍ୟ ଏହାର ପ୍ରଭାବ ପଡିବ। ଏକ ନିର୍ବାଚନ ସର୍ଭେ ଅନୁସାରେ ଓଡିଶାରେ ଥିବା ୨୧ଟି ଆସନରୁ ଭାରତୀୟ ଜନତା ପାର୍ଟିକୁ ୧୩ଆସନ ମିଳିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ୨୦୧୭ରେ ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପି ସିଧାସଳଖ ମୋଦୀଙ୍କୁ ପୁରୀରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲା ମାତ୍ର ଏନେଇ ମୋଦୀ କୌଣସି ପ୍ରତିକ୍ରିୟା ରଖିନଥିଲେ।
ରାଜନୈତିକ ଚର୍ଚ୍ଚା ଅନୁସାରେ ମୋଦୀ ପୁରୀରୁ କଣ ପାଇଁ ଲଢିବାକୁ ଚାହୁଁଛନ୍ତି ? ଏହା ମଧ୍ୟ ଓଡିଶା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ପୁରୀରୁ ବିଜେପି କେବେବି ନିର୍ବାଚନ ଜିତିନାହିଁ। ଏବେ ପିନାକୀ ମିଶ୍ର ପୁରୀରେ ବିଜୁ ଜନତା ଦଳର ସାଂସଦ ଅଛନ୍ତି। ପିନାକୀ ମିଶ୍ର ଏଠାରୁ ୧୯୯୬ରେ କଂଗ୍ରେସ ଟିକଟରୁ ଜିତିଥିଲେ। ୨୦୧୪ରେ ସେ ବିଜେଡିରୁ ଜିତିଥିଲେ। ତାଙ୍କୁ ଏଠାରୁ ୫୦ପ୍ରତିଶତ ଭୋଟ ମଳିଥିଲା। କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲାବେଳେ ବିଜେପି ୨୦ପ୍ରତିଶତ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଥିଲା। କିନ୍ତୁ ପୁରୀ ଜିଲାର ଚିଲିକା ବିଧାନସଭା ଆସନରେ ବିଜେପି ପାର୍ଥୀ ମାତ୍ର ୫୭୪ଭୋଟରେ ଜିତିଥିଲେ। ଏବେ ପୁରୀ ସଂସଦୀୟ କ୍ଷେତ୍ର ଅଧିନସ୍ଥ ବ୍ରହ୍ମଗିରିର ଲୋକପ୍ରିୟ ନେତା ଲଲାଟେନ୍ଦୁ ମହାପାତ୍ର(ଲୁଲୁ)ଙ୍କ ପରିବାର ବିଜେପି ସହିତ ରହିଛନ୍ତି। ଏଠାରେ ତାଙ୍କର ପ୍ରଭାବ ଥିବା କୁହାଯାଏ।
ଅନ୍ୟ ପକ୍ଷରେ ରାଜ୍ୟ ବିଧାନସଭାର ୧୪୭ଟି ଆସନ ମଧ୍ୟରୁ ବିଜେଡି ପାଖରେ ୧୧୮ଟି ଆସନ ରହିଛି। ତେବେ ଏହି ଅଞ୍ଚଳରେ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । ବିଜେପି ରାଜ୍ୟ ଶାଖାର ଜଣେ ନେତା କହିଛନ୍ତି ଯେ, ପୁରୀ ଲୋକସଭା ଆସନ ଏବଂ ତା ଅନ୍ତର୍ଗତ ୭ଟି ବିିଧାନ ସଭା ଆସନ ପାଇଁ ରଣ କୌଶଳ ସଂପର୍କରେ କେନ୍ଦ୍ରୀୟ ନେତୃତ୍ୱକୁ ତଥ୍ୟ ପଠାଯାଇଛି।
ଓଡ଼ିଶାର ସାଂପ୍ରତିକ ରାଜନୈତିକ ଇତିହାସ ଦେଖିଲେ ଜଣାଯାଏ, କଂଗ୍ରେସକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ୨୦୦୪ରେ ବିଜେପି-ବିଜେଡି ମେଣ୍ଟ ନିର୍ବାଚନ ଜିତିଥିଲେ। ସେତେବେଳେ ବିଜେପି ୬୩ଟି ଆସନରେ ପ୍ରତିଦ୍ୱନ୍ଦିତା କରି ୩୨ଟି ଜିତିଥିଲା ଏବଂ ବିଜେଡି ୮୪ଟି ଆସନରେ ଲଢି ୬୧ଟିରେ ଜିତିଥିଲା। ବିଜେପି-ବିଜେଡି ମେଣ୍ଟ ମୋଟ ୯୩ଟି ଆସନ ଜିତି ସରକାର ଗଠନ କରିଥିଲେ। ବିଜେଡିର ଭୋଟ ପ୍ରତିଶତ ୨୭.୫ ଏବଂ ବିଜେପିର ଭୋଟ ପ୍ରତିଶତ ୧୭.୧୧ ଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିଗଲା। ସେହି ବର୍ଷ ଅନୁଷ୍ଠିତ ନିର୍ବାଚନରେ ବିଜେପି ୧୪୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରି ମାତ୍ର ୬ଟି ଆସନରେ ବିଜୟୀ ହୋଇଥିଲା। କିନ୍ତୁ ବିଜେଡି ୧୪୭ ଆସନରୁ ୧୦୩ଟିରେ ବିଜୟୀ ହୋଇଥିଲା। ଦଳର ଭୋଟ ପ୍ରତିଶତ ୨୭.୫ରୁ ୩୮.୮୬କୁ ବୃଦ୍ଧି ପାଇଥିଲା। ୨୦୦୧୪ରେ ବିଜେଡି ୧୪୭ ଆସନରୁ ୧୧୭ରେ ଜିତଥିଲା। ଚଳିତ ବର୍ଷ ଫେବୃଆରୀରେ ଅନୁଷ୍ଠିତ ଉପନିର୍ବାଚନ ଜିତି ବିଜେଡି ଆସନ ସଂଖ୍ୟା ୧୧୮ ହୋଇଛି। ଦଳର ଭୋଟ ପ୍ରତିଶତ ୪୩.୩୫କୁ ବୃଦ୍ଧି ପାଇଛି । ସେହିପରି ବିଜେପି ବିଜେପି ୧୮ ପ୍ରତିଶତ ଭୋଟ ପାଇ ମାତ୍ର ୧୦ଟି ଆସନରେ ହିଁ ବିଜୟୀ ହୋଇଥିଲା।
ଏବେ କିନ୍ତୁ ବିଜେପି ଓଡ଼ିଶା ଉପରେ ଅଧିକ ଗୁରୁତ୍ୱ ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮ଥର ଆସି ରାଜ୍ୟରେ ସଭା କରିଛନ୍ତି । ସେହିପରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ୯ ଥର ଓଡ଼ିଶା ଆସିଛନ୍ତି। ଅନ୍ୟ ପକ୍ଷରେ ଆଉ ଏକ ଆକଳନ କରାଯାଉଛି ଯେ ମୋଦୀ କଳାହାଣ୍ଡି, ବଲାଙ୍ଗୀର ଅବା କୋରାପୁଟ ଭଳି ଅଞ୍ଚଳରୁ ନିର୍ବାଚନ ଲଢି ପାରନ୍ତି। ସବୁବେଳେ ଗରିବଙ୍କ କଥା କହୁଥିବା ମୋଦୀ ଏହି ଗରିବ ତଥା ପଛୁଆ ଅଞ୍ଚଳରୁ ନିର୍ବାଚନ ଲଢି ଏହି ଅଞ୍ଚଳକୁ ବିକାଶ ପଥରେ ଆଗେଇ ନେବେ ବୋଲି ଆଶା କରାଯାଉଛି। ତେବେ ଖୁବ ଶୀଘ୍ର ଏ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ।