ଚାଷୀଙ୍କ ପାଇଁ କାଳିଆ

0

୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟସରକାର କୃଷିଋଣ ଛାଡ଼ ବ୍ୟବସ୍ଥା ଗ୍ରହଣ କରିଥିବାବେଳେ ଓଡ଼ିଶା ସରକାର ଏଥିରୁ ନିବୃତ ରହିଛନ୍ତି। ସରକାରଙ୍କୁ ଲାଭ ମିଳିବାସହ ଉଦ୍ଦିଷ୍ଟ ବର୍ଗଙ୍କ କଲ୍ୟାଣ ପାଇଁ ପ୍ୟାକେଜ ଘୋଷଣାରେ ସିଦ୍ଧହସ୍ତ ନବୀନ ସରକାର କୃଷି ଋଣ ଛାଡ଼ ନ’କରିବା ନିଶ୍ଚିତ ଏକ ବଡ଼ ବ୍ୟତିକ୍ରମ। ନବୀନ ସରକାର ଏହା ନ’କରି ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଘୋଷଣା କରିବାର ଅର୍ଥ ଏଥିରେ କିଛି ପ୍ରସଙ୍ଗ ନିହିତ ଯାହା ସରକାରଙ୍କ ପାଇଁ ସହଜ ନୁହେଁ। ବୋଧହୁଏ କୃଷିଋଣ ଛାଡ଼ କରିବା ଦ୍ବାରା ଯେଉଁ ବିପୁଳ ଅର୍ଥବୋଝ ରାଜକୋଷ ଉପରେ ପଡ଼ିବ ବା ବ୍ୟାଙ୍କ ତଥା ବିତ୍ତୀୟ ଅନୁଷ୍ଠାନମାନେ ବହନ କରିବେ ସେ ଦିଗପ୍ରତି ସଚେତନ ହୋଇ ରାଜ୍ୟସରକାର ବିକଳ୍ପ ବ୍ୟବସ୍ଥା ଭାବେ ‘କାଳିଆ’କୁ ଭରସା କରିଛନ୍ତି। ଗୋଟିଏ ଦୃଷ୍ଟିରୁ ଦେଖିଲେ କୃଷିଋଣ ଛାଡ଼ ଏକ ଅପରିଣାମଦର୍ଶୀ ନିଷ୍ପତ୍ତି। କାରଣ ଏହାଦ୍ବାରା ଋଣ ଖିଲାପକାରୀ ଓ ଚାଷ ନ’କରୁଥିବା ଜମି ମାଲିକ ଅଧିକ ଉପକୃତ ହୁଅନ୍ତି, ସଚ୍ଚୋଟ ତଥା ବାସ୍ତବ ଚାଷୀ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏହି ଋଣଛାଡ଼ ଦ୍ବାରା ରାଜକୋଷ ଉପରେ ଅଯଥା ବୋଝ ପଡ଼େ ଓ ସରକାର ଦେବାଳିଆ ହୁଅନ୍ତି। ସର୍ବୋପରି କୃଷିକ୍ଷେତ୍ରର ଉନ୍ନତି ପାଇଁ ଏହା ଏକ ସ୍ଥାୟୀ ସମାଧାନ ପନ୍ଥା ନୁହେଁ, ବରଂ ଏହା ଏକ ତାଳିପକା ବ୍ୟବସ୍ଥା। ସେ ଦୃଷ୍ଟିରୁ ବିଚାର କଲେ ନବୀନ ସରକାର ଉଚିତ ପଦକ୍ଷେପ ନେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ।
ଏବେ ପ୍ରଶ୍ନ ଉଠୁଛି ଓଡ଼ିଶା ସରକାର ଯେଉଁ ‘କାଳିଆ’ ଯୋଜନା ଚାଷୀ କଲ୍ୟାଣ ପାଇଁ ଆରମ୍ଭ କରିଛନ୍ତି ତାହା କେତେ ବାସ୍ତବ ଓ କୃଷକ ଅନୁକୂଳ। ଏହି ଯୋଜନାରେ ସରକାର କୃଷକ ସହାୟତା ଓ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ୧୦,୧୮୦କୋଟି ଟଙ୍କା ଯୋଗାଇ ଦେବେ। ବଜେଟ ବ୍ୟବସ୍ଥା ନଥିଲେ ମଧ୍ୟ ସରକାର ଅଗତ୍ୟା ଏଭଳି ଯୋଜନା କାର୍ଯ୍ୟକାରୀ କରିବାର ଅର୍ଥ ସରକାରଙ୍କ ପାଖରେ ଚାଷୀଙ୍କୁ ନିର୍ବାଚନ ବର୍ଷରେ ସନ୍ତୁଷ୍ଟ କରିବାର ଅନ୍ୟ ବିକଳ୍ପ ନଥିଲା ଏବଂ ରାଜକୋଷ ମଧ୍ୟ କୃଷି ଋଣଛାଡ଼ ପାଇଁ ଅସମର୍ଥ। ତେଣୁ ଅନ୍ୟ ରାଜ୍ୟରେ ପ୍ରଣୀତ ଏଭଳି ଏକ ବ୍ୟବସ୍ଥାର ଅନୁକରଣ ଓଡ଼ିଶା ସରକାର କରିଛନ୍ତି। ସରକାରଙ୍କ ଯୁକ୍ତି ଯେ ‘କାଳିଆ’ ଏକ ପ୍ରଗତିଶୀଳ ଯୋଜନା ଏବଂ ଏହା ଚାଷୀଙ୍କ ଦାରିଦ୍ର୍ୟ ଦୂରୀକରଣରେ ସିଧାସଳଖ ସାହାଯ୍ୟ କରିବ। ଏହାଛଡ଼ା ଏହି ଯୋଜନା ଦ୍ବାରା ରାଜ୍ୟର ୯୨ ଶତାଂଶ ଚାଷୀ, ବିଶେଷ କରି ଭୂମିହୀନ କୃଷିଶ୍ରମିକ ଉପକୃତ ହେବେ। କୃଷିଋଣ ଛାଡ଼ କରିବା ପରିବର୍ତ୍ତେ ବାସ୍ତବ ଚାଷୀଙ୍କୁ ଉପକୃତ କରିବାରେ କାଳିଆ ଯୋଜନା ସହାୟକ ହେବବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଛନ୍ତି ତାଙ୍କ ବିଚାରରେ ଏହା ଉଚିତ୍‌ ମନେ ହେଉଥିଲେ ମଧ୍ୟ ସମୁଦାୟ ସମସ୍ୟାର ସମାଧାନ କରିବାରେ ଏହା କେତେ ସହାୟକ ହେବ ତାହା କହିବା ସହଜ ନୁହେଁ।
ଓଡ଼ିଶାରେ ୨୦୧୧ ଜନଗଣନା ଅନୁସାରେ ଚାଷୀଙ୍କ ସଂଖ୍ୟା ୩୨ଲକ୍ଷ। ସେମାନଙ୍କ ମଧ୍ୟରୁ ୨୦ଲକ୍ଷ ଋଣ କରିଛନ୍ତି ଓ ୧୨ଲକ୍ଷ ଋଣୀ ନୁହନ୍ତି। ଋଣ କରିଥିବା ୨୦ଲକ୍ଷଙ୍କ ମଧ୍ୟରୁ ୬୦ ଶତାଂଶ, ଅର୍ଥାତ ୧୨ଲକ୍ଷ ଋଣ ପରିଶୋଧ କରିଥିବାବେଳେ ଆଠଲକ୍ଷ ଖିଲାପୀ ଅଛନ୍ତି। ଯଦି ଋଣଛାଡ଼ କରାଯାଏ ତେବେ ଏହି ଆଠଲକ୍ଷ ଚାଷୀ ଉପକୃତ ହେବେ ସତ, କିନ୍ତୁ ଯେଉଁମାନେ ଭାଗଚାଷୀ ଏବଂ ଋଣଛାଡ଼ ଯୋଜନାରେ ଅନ୍ତର୍ଭୁକ୍ତ ନୁହନ୍ତି ​‌େ​‌ସମାନେ ଚାଷ କରି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଋଣ ଛାଡ଼ ବ୍ୟବସ୍ଥାର ଲାଭ ପାଇବେ ନାହିଁ। ମୁଖ୍ୟମନ୍ତ୍ରୀ ଏହି ପରିସଂଖ୍ୟାନକୁ ଭିତ୍ତିକରି ଯେଉଁମାନଙ୍କୁ ଉପକୃତ କରିବାକୁ କାଳିଆଯୋଜନା ପ୍ରବର୍ତ୍ତନ କରିଛନ୍ତି ସେମାନେ ହେଲେ ଭୂମିହୀନ ଶ୍ରମିକ ଓ ଭାଗଚାଷୀ। ଅତଏବ ଏହି ବର୍ଗଙ୍କ ପାଇଁ ଏହି ଯୋଜନା ଅଭିପ୍ରେତ ଏବଂ ସେମାନଙ୍କୁ ସହାୟତା କରିବାପାଇଁ ଏକ ପଞ୍ଚସୂତ୍ରୀ ବ୍ୟବସ୍ଥା ହୋଇଛି। ତେଣୁ ସେମାନେ ଚାଷ ପାଇଁ ପରିବାର ପିଛା ଉଭୟ ରବି ଓ ଖରିଫ ଋତୁ ନିମନ୍ତେ ପାଞ୍ଚହଜାର କରି ମୋଟ ୧୦ହଜାର ଟଙ୍କାର ପ୍ରତ୍ୟକ୍ଷ ସରକାରୀ ଆର୍ଥିକ ସୁବିଧା ପାଇବେ। ଏହାଛଡ଼ା ଭୂମିହୀନ, କ୍ଷୁଦ୍ର ଓ ଭାଗଚାଷୀଙ୍କୁ ୧୨୫୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଚାଷବାବଦ ଖର୍ଚ୍ଚ ପାଇଁ ଯୋଗାଇ ଦିଆଯିବ। ଏହି ହିସାବରେ ରାଜ୍ୟର ମୋଟ ୩୦ଲକ୍ଷ ଚାଷୀ କାଳିଆ ଯୋଜନାରେ ୩୦୧୬ କୋଟିଟଙ୍କାର ସରକାରୀ ସହାୟତା ପାଇବେ।
ମୋଟାମୋଟି ଦେଖିଲେ ପ୍ରାୟ ୩୦ଲକ୍ଷ ଚାଷୀଙ୍କୁ ସରକାର ‘କାଳିଆ’ ଯୋଜନାରେ ବିକଳ୍ପ ରୋଜଗାର ଓ ଚାଷବାସ ପାଇଁ ସିଧାସଳଖ ୧୦ରୁ ୧୨,୫୦୦ଟଙ୍କା ପର୍ଯ୍ୟନ୍ତ ଅର୍ଥ ଯୋଗାଇଦେବେ। ଏହାଛଡ଼ା ​‌େ​‌ସମାନେ ବୀମା ସୁବିଧା ପାଇବେ। ତେବେ ସତକଥାଟି ହେଲା ଏହା ସମଗ୍ର କୃଷିକ୍ଷେତ୍ରରେ ସୃଷ୍ଟ ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ, ବରଂ ଭୂମିହୀନ, ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ଏକକାଳୀନ ଯୋଗାଇ ଦେବାର ଏକ ଚତୁର ପରିକଳ୍ପନା। ନିର୍ବାଚନ ବର୍ଷରେ ରାଜ୍ୟସରକାର ଏହି ୩୦ଲକ୍ଷ ଚାଷୀ ପରିବାରଙ୍କ ପ୍ରୀତିଭାଜନ ହୋଇପାରନ୍ତି ସତ, ଏହା କିନ୍ତୁ ରାଜ୍ୟର କୃଷି ସମସ୍ୟାର ସମାଧାନ ଦିଗରେ ବିଶେଷ ସହାୟକ ହେବନାହିଁ। କୃଷି ସମସ୍ୟା ରାଜ୍ୟରେ ଯେପରି ଜଟିଳ ସେ ନେଇ ରାଜନୀତି ତତୋଽଧିକ ଚିନ୍ତାଜନକ। ଏକ ଗଡ୍ଡାଳିକାର ପ୍ରବାହରେ ପ୍ରବାହିତ ହୋଇ କୃଷିଋଣ ଛାଡ଼ କରିବା ଆଉ ବାସ୍ତବବାଦୀ ହେଉନାହିଁ କିମ୍ବା ଏହା ସମସ୍ୟାର ସ୍ଥାୟୀ ସମାଧାନ ପନ୍ଥା ନୁହେଁ। ତଥାପି ବାଧ୍ୟବାଧକତା ହେଉ ଅଥବା ବିକଳ୍ପ ବିଚାର- ଓଡ଼ିଶା ସରକାର ଏ କ୍ଷେତ୍ରରେ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ନିରର୍ଥକ କହିବା ଉଚିତ ହେବନାହିଁ। ଏ କ୍ଷେତ୍ରରେ ବିକଳ୍ପ ବିଚାର ଓ ବାସ୍ତବବାଦୀ ପଦକ୍ଷେପର ଆବଶ୍ୟକତା ରହିଛି। ଋଣଛାଡ଼ର ଦାବି ଉଠାଉଥିବା ବିରୋଧୀଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା ନ’କରି ବାସ୍ତବବାଦୀ ବିକଳ୍ପ ପ୍ରସ୍ତାବ ଦେବା ଦରକାର।

kalyan agarbati
Leave A Reply