www.samajalive.in
Monday, December 8, 2025
17.1 C
Bhubaneswar

ଅସ୍ଥିର ଜିଏସ୍‍ଟି ଓ ଭାରାକ୍ରାନ୍ତ ଆର୍ଥିକ ସ୍ଥିତି

ପଞ୍ଚାନନ କାନୁନଗୋ

ଏକ ଐତିହାସିକ ବିଜୟ ହାସଲର ଉତ୍ସାହନେଇ ପୂର୍ବ ପ୍ରସ୍ତୁତି ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ବିତ୍ତମନ୍ତ୍ରୀ ଶ୍ରୀ ଜେଟଲି ଦେଶରେ ଦ୍ରବ୍ୟ ଓ ସେବା କର ୨୦୧୭ ଜୁନ ମାସରେ ଲାଗୁ କରିଦେଲେ। ଏଇ ଗତ ୧୮ମାସ ମଧ୍ୟରେ ଏଥିସହିତ ସଂପୃକ୍ତ ସାମ୍ବିଧାନିକ ସଂସ୍ଥା ସେବା ଓ ଦ୍ରବ୍ୟକର ପରିଷଦ ୩୧ଥର ବସି ମୂଳ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରିସାରିଲେଣି। ଗତ ୩୧ତମ ବୈଠକରେ ୨୩ଟି ଦ୍ରବ୍ୟ ଓ ସେବାକରରେ ଏକଡ଼ସେକଡ଼ କରାଯାଇଛି। ଏଥିରେ ୬ଟି କର ୨୮% ରୁ କମି ୧୮%, ୨ଟି କର ୧୮% ରୁ ୧୨%, ଗୋଟିକରେ ୧୨% (ସବୁ ପ୍ରକାର ଜୋତା ଓ ଚପଲ) ତିନୋଟିରେ ୧୮% ରୁ ୫% ଓ ୩ଟିରେ ‘୦’ କୁ ଖସାଇ ଅଣାଯାଇଛି। ଏଇଠି ଯେ ଶେଷ ହୋଇଛି, ତା’ ନୁହେଁ। ବିତ୍ତମନ୍ତ୍ରୀଙ୍କ ଏକ ବକ୍ତବ୍ୟରୁ ଜଣାଯାଉଛି ଯେ ସିମେଣ୍ଟ ଓ କେତେକ ଅଟୋ ପାର୍ଟରେ ଥିବା କର ହାରରେ ଭବିଷ୍ୟତରେ ମଧ୍ୟ ପରିବର୍ତ୍ତନ ଘଟିବ। ଯେଉଁଥିରେ ଯଥାକ୍ରମେ ୧୩ ହଜାର ଓ ୨୦ ହଜାର କୋଟି ଟଙ୍କା କର ଆଦାୟ କମିବାର ହିସାବ ରଖାଯାଇଛି। ସେହି ବକ୍ତବ୍ୟରୁ ଜଣାଯାଇଛି ଯେ ରିଅଲ ଇଷ୍ଟେଟ୍‍ ଏବଂ ଛୋଟ ବ୍ୟବସାୟୀଙ୍କ କ୍ଷେତ୍ରରେ ସହାୟତା ପାଇଁ ବ୍ୟବସ୍ଥା ହେବ। ଜି.ଏସ୍‍.ଟି.ରେ ଅସ୍ଥିରତାର ଅନ୍ତ ନାହିଁ। ଏପରି ଅସ୍ଥିରତା ଫଳରେ ବସ୍ତୁତଃ ଦେଶ ଓ ରାଜ୍ୟର ଟିକସ୍‍ ଆଦାୟରେ ବଡ଼ ଧରଣର ବିପର୍ଯ୍ୟୟର ସୂଚନା ମିଳିଛି। ୨୦୧୮-୧୯ ବର୍ଷ ପାଇଁ ଦେଶର ଟିକସ୍‍ କେନ୍ଦ୍ର ଦ୍ରବ୍ୟ ଓ ସେବାକର ଆଦାୟରେ ଲକ୍ଷ୍ୟ ୧୩.୪୮ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ମାତ୍ର ଏହି ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ପାଖାପାଖି ୮.୫ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିବାରୁ ଶେଷ ୩ ମାସରେ ୫ ଲକ୍ଷ କୋଟି ଟଙ୍କା ଆଦାୟ ହେବାର ଅଛି, ଯାହା ଆଦୌ ସମ୍ଭବ ନୁହେଁ। ଏହିସବୁ କରର ପରିବର୍ତ୍ତନ ହାର ଜାନୁଆରୀ ୧ରୁ ଲାଗୁ ହେଲେ କର ଆଦାୟରେ ଗୋଟିଏ ବଡ଼ ଧରଣର ଧକ୍‍କା ଲାଗିବ। ଅନ୍ୟ କେତେକ ଦ୍ରବ୍ୟରେ ନିର୍ଦ୍ଧାରିତ କରହାର ମଧ୍ୟ କମାଇବାକୁ ରାଜ୍ୟମାନେ ଦାବି କରି ଆସୁଛନ୍ତି। ଯେପରି ଓଡ଼ିଶାରେ କେନ୍ଦୁପତ୍ର ଉପରେ ଧାର୍ଯ୍ୟ ୧୮% କମାଇ ଏହାକୁ ୫% କରିବାର ଦାବି ହେଉଛି। ପୁନଶ୍ଚ ଏହା ସବୁ ଯଦି ହୁଏ ତେବେ ଏ ବାବଦ ଆୟକୁ ନେଇ ବର୍ତ୍ତମାନର ଆକଳନ ନିଶ୍ଚୟ ଅଧିକ ବିଗିଡ଼ିଯିବ। କେବଳ ଯେ ଦେଶର ଅର୍ଥନୀତିରେ ଏହା ପ୍ରତିକୂଳ ପ୍ରଭାବ ପକାଇବ ତା ନୁହେଁ, ରାଜ୍ୟମାନେ ଏଥିରୁ ୪୨% ଆବଣ୍ଟନ ପ୍ରକ୍ରିୟାରେ ପାଇବାକୁ ଥିବାବେଳେ ନିଶ୍ଚିତ ଭାବରେ କ୍ଷତିଗ୍ରସ୍ତ ହେବେ। ସେମାନଙ୍କ ବାର୍ଷିକ ବଜେଟ ଆକଳନରେ ନିଅଣ୍ଟ ପଡ଼ିବ। ଟିକସ୍‍ ହାର କମ୍‍ ହେବା ଫଳରେ ଏ ବାବଦ ନିଜସ୍ୱ ଆୟରୁ ମଧ୍ୟ ରାଜ୍ୟମାନେ କମ୍‍ ପାଇବେ। କେବଳ କେନ୍ଦ୍ରର ବିତ୍ତୀୟ ନିଅଣ୍ଟ ମୋଟ ଜିଡ଼ିପିର ୩.୩% ଭିତରେ ରହିବା କଷ୍ଟକର ହେବ ନାହିଁ, ଅନେକ ରାଜ୍ୟରେ ମଧ୍ୟ ଅନୁରୂପ ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ହରାଇବ। ସେବା- ଦ୍ରବ୍ୟକର ଆଇନ୍‍ ଅନୁସାରେ ରାଜ୍ୟମାନଙ୍କୁ ପାଞ୍ଚବର୍ଷ ପାଇଁ ବାର୍ଷିକ ୧୪% ଟିକସ ବୃଦ୍ଧି ହାରରେ ନିଅଣ୍ଟ ଭରିବାକୁ ହେବ। ଏହି ଦ୍ରବ୍ୟ ଓ ସେବାକର ଲାଗୁ ହେବାର ପ୍ରଥମ ୧୧ମାସ ମଧ୍ୟରେ (୨୦୧୮ ମେ ଭିତରେ) କେନ୍ଦ୍ରକୁ ୫୨ ହଜାର କୋଟି ଟଙ୍କା ଦେବାକୁ ହୋଇଥିଲା। ଏହି ଆର୍ଥିକ ବର୍ଷ (୨୦୧୮-୧୯)ର ଏପ୍ରିଲ ଓ ମେ ଦୁଇମାସ ପାଇଁ ୩୮୯୯ କୋଟି ଟଙ୍କା ରାଜ୍ୟମାନଙ୍କ ନିଅଣ୍ଟ ଭରଣା ପାଇଁ ଦିଆଯାଇଥିଲା। ସେଥିରୁ ଓଡ଼ିଶା ୨୮୨ କୋଟି ଟଙ୍କା ପାଇଥିଲା। ରାଜ୍ୟମାନଙ୍କୁ ମୋଟ କ୍ଷତିଭରଣା ପ୍ରତିମାସରେ, ଦୁଇମାସରେ ବୃଦ୍ଧି ପାଇବାରେ ଲାଗିଛି। ୨୦୧୮-୧୯ ଜୁନ୍‍ ଜୁଲାଇ ପାଇଁ ୧୪୯୩୦କୋଟି ଟଙ୍କା ଓ ଅଗଷ୍ଟ – ସେପ୍ଟେମ୍ବର ନିମନ୍ତେ ୧୧୯୦୦କୋଟି ଟଙ୍କା ଥିଲା। ଅନେକ ରାଜ୍ୟର ଟିକସ୍‍ ଆଦାୟରେ ମାନ୍ଦା ଅବସ୍ଥା ପରିଲକ୍ଷିତ ହୋଇଛି। ପ୍ରାୟତଃ ଅଧିକାଂଶ ରାଜ୍ୟ ୧୪% ଟିକସ ବୃଦ୍ଧି ହାରର ତଳେ ରହି ଆସିଛନ୍ତି। କେବଳ କେରଳର ଟିକସ୍‍ ହାର ଓ ଝାଡ଼ଖଣ୍ଡର ଟିକସ୍‍ ହାର ଏହା ଉପରେ ଥିବାର ଲକ୍ଷ୍ୟ କରାଯାଇଛି। ଓଡ଼ିଶାପରି ରାଜ୍ୟରେ ଟିକସ୍‍ ଆଦାୟ ୨୦୧୭ ଡିସେମ୍ବର ତୁଳନାରେ ମାତ୍ର ୮% ପରିଲକ୍ଷିତ ହୋଇଛି। ୨୦୧୮ ନଭେମ୍ବର ୩୦ ତାରିଖ ସୁଦ୍ଧା ୧୮,୫୯୩ କୋଟି ଟଙ୍କା ଓଡ଼ିଶାର ନିଜସ୍ୱ କର ଆଦାୟ ହୋଇଛି ଯାହାକି ଗତବର୍ଷର ସେହି ସମୟ ସୁଦ୍ଧା ୧୭,୬୨୮ କୋଟି ଟଙ୍କା ଥିଲା। ଦ୍ରବ୍ୟ ଓ ସେବା କରରେ ଲାଗି ରହିଥିବା ଅସ୍ଥିରତା ଦେଶରେ ବିଭିନ୍ନ ସମୟରେ ହେଉଥିବା ଭୋଟ ପରିପ୍ରେକ୍ଷୀରେ କ୍ଷିପ୍ରତର ହେବା ଦେଖାଯାଇଥାଏ। ପ୍ରଥମେ ଗୁଜରାଟ ନିର୍ବାଚନକୁ ଆଖି ଆଗରେ ରଖି ଅନେକ ପରିବର୍ତ୍ତନ ଅଣାଗଲା। ପରେ କର୍ଣ୍ଣାଟକ ନିର୍ବାଚନ ପରିପ୍ରେକ୍ଷୀରେ କରାଗଲା। ଏବେ ଆସୁଥିବା ସାଧାରଣ ନିର୍ବାଚନ (୨୦୧୯) ପୂର୍ବରୁ କର ବ୍ୟବସ୍ଥାରେ କୋହଳ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏପରି ଅସ୍ଥିରତା ଲାଗିରହିବା ଫଳରେ କେବଳ ଯେ ରାଜ୍ୟମାନେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ ତା ନୁହେଁ, ସମସ୍ତ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀମାନେ ଏକ ସଂକଟମୟ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ କାଗଜପତ୍ର ସଜାଡ଼ିବା ବା ରିଟର୍ଣ୍ଣ ଦାଖଲ କରିବାରେ ଅସୁବିଧା ଉପୁଜୁଛି। ଟିକସ୍‍ର ମାତ୍ରା ତଳଉପର ହେବା ଫଳରେ ମହଜୁଦ ଥିବା ଦ୍ରବ୍ୟ (ଷ୍ଟକ୍) ସବୁ ବଜାରରେ ଚଳିବାରେ ଅସୁବିଧା ଉପୁଜୁଛି। ଧରି ନିଆଯାଉ ଗୋଟିଏ ନିର୍ଦିଷ୍ଟ ଦ୍ରବ୍ୟ (ଟିନ୍‌-କୋଲ୍‌ଡଡ୍ରିଙ୍କ୍) ଉପରେ ୨୮% ଟିକସ୍‍ ଧାର୍ଯ୍ୟ ହୋଇଥିବା ଅବସ୍ଥାରେ ଗୋଟିଏ ଦୋକାନୀ ପାଖରେ କିଛି ଦ୍ରବ୍ୟ ମହଜୁଦ ଅଛି ଏବଂ ଏହା ହଠାତ୍‍ ୧୮%କୁ ଖସିଆସିଲେ ଏହି ପୁରୁଣା ଜିନିଷ ସବୁ କ୍ରୟ-ବିକ୍ରୟରେ ତାରତମ୍ୟ ଦେଖାଦେବ ଏବଂ କ୍ରେତାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବ।
ଖାଉଟିମାନେ ଏପରି ସ୍ଥଳେ ଦରଦାମ ବୃଦ୍ଧି ଅବା କମ୍‍ ହୋଇଥିବା ସଂପର୍କରେ ଜାଣିବା କଷ୍ଟକର। କାରଣ ଉତ୍ପାଦନକାରୀ ସଂସ୍ଥା କୌଶଳ କରି ଅବା ପ୍ୟାକେଟର କଳେବର ବଢ଼େଇ ଅଥବା କମେଇ ଦେଇ ଟିକସ୍‍ କମ୍‌ବେଶୀ ଅନୁସାରେ ସଜାଡ଼ି ଦେଇ ଦର ନିୟନ୍ତ୍ରଣ କରିଦିଏ। ଏପରି ଏକ ପ୍ରହେଳିକାରେ ବିଚରା ଖାଉଟି ପ୍ରକୃତ କଥା ଜାଣିଲେ ସିନା ଅଭିଯୋଗ କରି ଆଣ୍ଟି ପ୍ରଫିଟିଅରିଂ ଆଇନ୍‍ର ସହାୟତା ନେବ। ବିଭାଗୀୟ କର୍ମଚାରୀ ଅସାଧୁ ହୋଇଥିଲେ ଅନେକ କଥା ଜାଣିଶୁଣି ଆଖିବୁଜି ଦେବେ। ବିଚରା ଖାଉଟି ନ୍ୟାୟ ପାଇବାରୁ ବଞ୍ଚିତ ହେବା ସ୍ୱାଭାବିକ।
ଦୁଇଟି ହିସାବ କେନ୍ଦ୍ର ବିତ୍ତ ମନ୍ତ୍ରଣାଳୟ ବଜାରକୁ ଛାଡ଼ିଛି। ଗୋଟିଏ ହେଉଛି ନୂତନ ସେବା ଓ ଦ୍ରବ୍ୟକର ଲାଗୁ ହେବା ଫଳରେ ଅନେକ ଦ୍ରବ୍ୟ, ଯଥା ଟେଲିଭିଜନ ସେଟ୍‍ (୨୭ ଇଞ୍ଚ) ଫ୍ରିଜ୍‍, ୱାଶିଂମେସିନ୍‍, ଗିଜର, କୁଲର ଉପରେ ଥିବା ୩୧.୩% ମୋଟ କର ବ୍ୟବସ୍ଥା ଖସି ଆସି ୧୮% ହୋଇଥିବା ଦୃଷ୍ଟିରୁ ଅବା ମୋବାଇଲ ଉପରେ ପୂର୍ବରୁ ୧୮ ରୁ ୨୫% ଶୁଳ୍କ ଲାଗୁଥିବାବେଳେ ଏହାର ଦର ୧୨%କୁ ଖସି ଆସିଛି। ଯାନବାହନ, ସିମେଣ୍ଟ, ଏସି, ଡିଜିଟାଲ କ୍ୟାମେରା, ଭିଡ଼ିଓ ଗେମ୍‍ ଉପରେ ଦର ୩୬.୫% ରୁ କମି ଆସି ୨୮% ହୋଇଛି। ଏହି ନୂଆ ଟିକସ୍‍ ଦ୍ରବ୍ୟ ଓ ସେବାକର ନିର୍ଦ୍ଧାରଣ ଫଳରେ କେଉଁ ଗୋଷ୍ଠୀ କେଉଁ ପରିମାଣରେ ଲାଭବାନ ହେଲେ ତାହା କେବଳ ସେହିମାନଙ୍କୁ ଜଣା। ଯେଉଁମାନେ ଉଚ୍ଚଟିକସ୍‍ ହାରରେ ପୂର୍ବରୁ କିଣିଥିଲେ ସେମାନେ ନୂଆ ଟିକସବେଳେ ପଦାର୍ଥ କିଣନ୍ତି କି ଅଥବା ଯଦି କିଣନ୍ତି ପୂର୍ବ ଜିନିଷ ବାବଦ କ୍ଷତି କ’ଣ ଭରଣା ହୁଏ ? ଏଥିରେ କେବଳ ଉତ୍ପାଦନକାରୀଙ୍କୁ ବିଶେଷ ଲାଭ ମିଳିଥାଏ ଏବଂ କେନ୍ଦ୍ର ସରକାରଙ୍କର ପ୍ରତ୍ୟକ୍ଷ କର (ଇନକମ୍‌ ଟ୍ୟାକ୍ସ) ଆଦାୟ ପଡ଼ିଥାଏ। ହଁ ଏକଥା ସତ୍ୟ ଯେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଉପରେ ଟିକସ୍‍ ପରିବର୍ତ୍ତନ ହେଲେ ଖାଉଟି ନିଶ୍ଚୟ ତାର ଲାଭ ଉପଲବ୍ଧି କରିବା କଥା। ଜଣେ ଅବସରପ୍ରାପ୍ତ ଅଧ୍ୟାପିକା ଖାଉଟି ଭାବରେ ପ୍ରତିମାସରେ କରୁଥିବା ଖର୍ଚ୍ଚର ହିସାବ ରଖିଥାନ୍ତି। ଏହା ତାଙ୍କର ଗତ ୪୦ବର୍ଷର ଅଭ୍ୟାସ। ତାଙ୍କଠାରୁ ପ୍ରାପ୍ତ ୨୦୧୬ ଜାନୁଆରୀ, ୨୦୧୭ ଜାନୁଆରୀ ଓ ୨୦୧୮ ଡିସେମ୍ବର ମାସର ଖର୍ଚ୍ଚ ତାଲିକା ନିମ୍ନରେ ପ୍ରଦତ୍ତ ହେଲା।
ସେବା ଓ ଦ୍ରବ୍ୟକର ଲାଗୁ ହେବା ପୂର୍ବ ସ୍ଥିତି, ଲାଗୁ ହୋଇଥିବା ବର୍ଷର ସ୍ଥିତି ଓ ପରବର୍ତ୍ତୀ ବର୍ଷର ସ୍ଥିତି ଦେଖିଲେ ଖାଉଟି ଦ୍ରବ୍ୟରେ କେବଳ କୃଷି ଉତ୍ପାଦନ ଛାଡ଼ିଦେଲେ ସାଧାରଣ ଖାଉଟି ପାଇଁ ଅନ୍ୟ ସବୁଥିରେ ବିଶେଷ କିଛି ଫରକ ନଥିବାର ଲକ୍ଷ୍ୟ କରାଯାଉଛି। ଏହି ତାଲିକାରେ ବିଶେଷତଃ ନିମ୍ନ ଆୟକାରୀମାନଙ୍କର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ସ୍ଥାନିତ ହୋଇଛି ଯାହା ପ୍ରାୟତଃ ଅନେକ ପରିବାର ପ୍ରତିମାସରେ କ୍ରୟ କରିଥାନ୍ତି। ଅନେକ ପଦାର୍ଥ ବର୍ଷକରେ ୩/୪ଥର ଅବା ଥରେ ଦୁଇଥର କିଣିଥାନ୍ତି। ସେ ସବୁର ତାଲିକା ଦେଲେ ତାହା ସାଧାରଣ ଖାଉଟି ତାଲିକା ଭାବେ ଦେବା ଠିକ୍‍ ହେବନାହିଁ।
ଅତି ଜୋରଦେଇ ଦେଶର ଅଭିବୃଦ୍ଧି ଆଗଉଛି ବୋଲି କହୁଥିବା ରାଜନେତାଗଣ ନିଜର ଦଳର ସ୍ୱାର୍ଥପାଇଁ ଭୋଟ ଯୋଗାଡ଼ କରିବା ନିମନ୍ତେ ଯେଉଁ ବିପର୍ଯ୍ୟୟ ଆଣିଛନ୍ତି ସେ ସମସ୍ତ ଦେଶପାଇଁ ଅତ୍ୟନ୍ତ କ୍ଷତିକାରକ। ସେବା ଓ ଦ୍ରବ୍ୟକରକୁ ସମର୍ଥନ ଦେଇଥିବା ରାଜ୍ୟମାନେ ନିଜର କ୍ଷୟକ୍ଷତି ଏବେ ଜାଣିପାରିବେ ନାହିଁ। କ୍ଷତିଭରଣାର ସମୟସୀମା ପୂରିଗଲେ ଏପରି ଏକ ଅବସ୍ଥାର ସମ୍ମୁଖୀନ ହେବେ ଯେ ସେଥିରୁ ମୁକୁଳିବା କଷ୍ଟକର ହୋଇପଡ଼ିବ। ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥିବ। କେନ୍ଦ୍ର ସରକାରମାନେ ଅନ୍ୟବାବଦ ଆୟ (ପ୍ରତ୍ୟକ୍ଷ କର) ଓ ପ୍ରଚୁର ଋଣ ସଂଗ୍ରହ କରି ନିଜର ଅର୍ଥନୈତିକ କୌଶଳ ପ୍ରଦର୍ଶନ କରିପାରିବ। ହେଲେ ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନେ ହିଁ କ୍ଷତି ସହିବେ। କ୍ଷତିଭରଣା କରିବାକୁ କେନ୍ଦ୍ର ପାଖରେ ହାତ ପାତିବେ। ଖାଉଟିମାନେ ଉପକୃତ ହେବେ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories