www.samajalive.in
Monday, December 8, 2025
17.1 C
Bhubaneswar

ଉପଚାର ନୁହେଁ; ଶ୍ରଦ୍ଧା

ଜଙ୍ଗଲର ମଧ୍ୟସ୍ଥଳରେ କମନୀୟ ପରିବେଶରେ ଥିଲା ଶିବମନ୍ଦିରଟିଏ। ଭୀଲ ଯୁବକ କଣ୍ବପ ସେଦିନ ଶିକାର ଉଦ୍ଦେଶ୍ୟରେ ଅନ୍ୟଦିନ ଭଳି ଜଙ୍ଗଲକୁ ଯାଇଥିଲା। ବୁଲୁବୁଲୁ ସେହି ମନ୍ଦିର ନିକଟରେ ପହଞ୍ଚି ଯାଇଥିଲା। ସେଦିନ କାହିଁ ଭଗବାନ ଶିବଙ୍କୁ ପୂଜା କରିବାକୁ ମନ ବ୍ୟାକୁଳ ହେଲା। ଭିତରକୁ ଯାଇ ଦେଖିଥିଲା ଶିବଙ୍କ ପ୍ରତିମା। ପୂର୍ବରୁ କେବେ ବି ପୂଜା କରିନଥିବା କଣ୍ବପଙ୍କୁ ପୂଜାବିଧି ଜଣା ନ ଥିଲା। ତୁମ୍ବାରେ ନଦୀରୁ ଜଳ ନେଇ ଆସିଲା, ବନରୁ କିଛି ଫୁଲଫଳ ସଂଗ୍ରହ କଲା। ମନ୍ଦିର ନିକଟକୁ ଯାଇ ଦେଖିଲା ପ୍ରତିମାର ମଥା ଉପରେ କିଛି ଫୁଲ ଥୁଆ ହୋଇଛି। ସେ ସବୁକୁ କାଢ଼ି ତଳେ ପକାଇ ଗୋଡ଼ରେ ଆଡ଼େଇ ଦେଲା। ଆଣିଥିବା ପାଣି ଢାଳି ଫୁଲ ଚଢ଼ାଇଲା। ଫଳକୁ ନୈବେଦ୍ୟ ରୂପେ ଥୋଇଲା। ସେହିଦିନଠାରୁ ଏକ ଅଜଣା ଆକର୍ଷଣରେ ଆକର୍ଷିତ ହୋଇ ଶିକାର ନଥିଲେ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ମନ୍ଦିର ଆସିବା ଧାର୍ଯ୍ୟ ଥିଲା।
ମନ୍ଦିରକୁ ଆସୁଥିଲେ ଜଣେ ପୂଜକ। ସେ ପ୍ରତିମା ଉପରେ ଚଢ଼ାଇଥିବା ଫୁଲ ପ୍ରତିଦିନ ଅନ୍ୟତ୍ର ଫୋପଡ଼ା ହୋଇଥିବା, ଅନ୍ୟ ପୁଷ୍ପ ଚଢ଼ାହୋଇଥିବା ଓ ନିଷିଦ୍ଧ, ତ୍ୟାଜ୍ୟ ବସ୍ତୁ ନୈବେଦ୍ୟ ଭାବେ ଥୁଆ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ତ୍ୟାଜ୍ୟ ପଦାର୍ଥରେ ଅପବିତ୍ର ହେବା କାରଣରୁ ମନ୍ଦିର ଧୋଇ ସଫା କରିଥାନ୍ତି। ପ୍ରତ୍ୟହ ଏହିଭଳି ହେବାରୁ କିଏ ଅର୍ବାଚୀନ ଏଭଳି ହୀନ କାମ କରୁଛି ଦେଖିବାକୁ ଦିନେ ପ୍ରତ୍ୟୁଷରୁ ଆସି ଲୁଚି ରହିଲେ। ଦେଖିବାକୁ ପାଇଲେ କଳା ମିଚିମିିଚି ଶରୀର, ଭୟଙ୍କର ଦେଖାଯାଉଥିବା, ଧନୁତୀର ହାତରେ ଧରିଥିବା ଜଣେ ଭୀଲ ଯୁବକ ମୂର୍ତ୍ତି ନିକଟକୁ ଯାଇ ଫୁଲଗୁଡ଼ିକ କାଢ଼ି ପକାଇଲା। ଫୁଲ କାଢ଼ିବା ସମୟରେ ଭୀଲ ଯୁବକ ଦେଖିବାକୁ ପାଇଲା ମୂର୍ତ୍ତିର ଏକ ଆଖିରୁ ରକ୍ତ ଝରୁଛି। ଦୁଃଖାଭିଭୂତ ହୋଇ କହିପକାଇଲା କିଏ ମୋର ପ୍ରଭୁଙ୍କୁ ଏ ଦଶା ଦେଇଛି। ଏହା କହି ନିକଟକୁ ଧାଇଁଯାଇ ଜଙ୍ଗଲି ଘାସପତ୍ର ଆଣି ତାହା ମକଚି ତା’ର ରସ ପ୍ରଭୁଙ୍କ ଆଖିରେ ଲଗାଇଥିଲା। ହେଲେ ରକ୍ତଧାର ବନ୍ଦ ହୋଇନଥିଲା। ଭୀଲ ଯୁବକ ବ୍ୟତିବ୍ୟସ୍ତ ହୋଇପଡ଼ିଲା। ତୂଣୀରରୁ ଶର କାଢ଼ିଲା ଓ ନିଜର ଗୋଟିଏ ନେତ୍ର ତାଡ଼ି ଏହାକୁ ପ୍ରତିମାର ଚକ୍ଷୁରେ ଲଗାଇ ଚାପ ଦେବାକୁ ଲାଗିଲା। ଆଶ୍ଚର୍ଯ୍ୟ, ଚକ୍ଷୁଟି ଲାଖି ରହିଯିବା ସହ ରକ୍ତଧାର ବନ୍ଦ ହୋଇଯାଇଥିଲା। ଭୀଲ ଯୁବକର ଚକ୍ଷୁରୁ ରକ୍ତ ନିର୍ଗତ ହେବାକୁ ଲାଗିଥିଲା, ହେଲେ ସେ ପ୍ରସନ୍ନ ଥିଲା ଯେ ତା’ର ଆରାଧ୍ୟ ଦେବତାଙ୍କ ନେତ୍ରରୁ ରକ୍ତ ଝରିବା ବନ୍ଦ ହୋଇଯାଇଥିଲା। ଏହି ସମୟରେ ଆଶ୍ଚର୍ଯ୍ୟଜନକ ଭାବରେ ମୂର୍ତ୍ତିର ଅପର ନେତ୍ରରୁ ରକ୍ତ ବହିବାକୁ ଲାଗିଥିଲା। ଏହାର ଉପାୟ ମାଲୁମ ଥିଲା ଭୀଲକୁ। ଅପର ଚକ୍ଷୁକୁ ତାଡ଼ିଦେଲେ ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯିବ। ପ୍ରତିମାର ଚକ୍ଷୁରେ ଏହା ସ୍ଥାପନ କରି ନପାରି ଅଣ୍ଡାଳିବାକୁ ପଡ଼ିବ। ଗୋଟିଏ ହାତର ଅଙ୍ଗୁଳି ମୂର୍ତ୍ତିର ରକ୍ତ ଝରୁଥିବା ଚକ୍ଷୁରେ ରଖି ଆର ହସ୍ତରେ ନିଜ ଚକ୍ଷୁ ଉତ୍ପାଟନ କରିବାକୁ ଉଦ୍ୟମ କଲାବେଳେ ମନ୍ଦିରର ଚତୁଃପାର୍ଶ୍ବ ଆଖି ଝଲସିଗଲା ଭଳି ଆଲୋକରେ ଆଲୋକିତ ହୋଇ ଉଠିଲା। ସ୍ବୟଂ କୈଳାସପତି ଆବିର୍ଭୂତ ହୋଇ ଭକ୍ତ କଣ୍ବପକୁ ଆଲିଙ୍ଗନ କରି କହିଥିଲେ, ‘ତୁମେ ମୋର ଶ୍ରେଷ୍ଠ ଭକ୍ତ। ବାହ୍ୟିକ ପୂଜା ଉପଚାର ନୁହଁ, ସଚ୍ଚା ଶ୍ରଦ୍ଧା ଓ ଆତ୍ମୀୟଭାବ ହିଁ ମୋର ପ୍ରିୟ।’ ଅଦୂରରେ ଛପିରହି ଏହାକୁ ଲକ୍ଷ୍ୟ କରୁଥିବା ବ୍ରାହ୍ମଣ ସ୍ତବ୍ଧ ହୋଇଯାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories