ନରମ ମୋଦୀ

0

ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଓଡ଼ିଶାରେ ରାଜନୈତିକ ବାତାବରଣ କ୍ରମଶଃ ଉଷ୍ମ ହେଉଛି। ବିଭିନ୍ନ ଦଳର ମଙ୍ଗୁଆଳ ଓ ପ୍ରମୁଖ ନେତାମାନେ ନିଜନିଜ ଶିବିର ସଜାଡ଼ିବାରେ ବ୍ୟସ୍ତ ହେବା ସ୍ବାଭାବିକ। ଜାତୀୟ ସ୍ତରରେ ଏକ ଅଣକଂଗ୍ରେସ-ଅଣବିଜେପି ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରବିବାର ଓଡ଼ିଶା ଆସି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ​‌ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଆସି ଏକ ଦଳୀୟ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଅବସରରେ ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେବା ସହ ନିର୍ବାଚନ ବିଗୁଲ ଫିଙ୍କିବେ ବୋଲି ଯାହା ଆଶା କରାଯାଉଥିଲା ତାହା ହୋଇନାହିଁ। ଚିରାଚରିତ ଭାବେ ସେ ରାଜ୍ୟ ସରକାର ଓ ଶାସକ ବିଜେଡିକୁ କଡ଼ା ସମାଲୋଚନା ନ’କରି ଏକ ପ୍ରକାର ମାପିଚୁପି ନରମ ଭାଷଣ ଦେଇଛନ୍ତି। ନବୀନ ସରକାରଙ୍କୁ ମୋଦୀ ମୃଦୁ ସମାଲୋଚନା କରିବା ଏବଂ ତାଙ୍କ ଭାଷଣରେ ସଂଯମ ରଖିବା ଘଟଣା ରାଜନୈତିକ ବିଶ୍ଲେଷକଙ୍କ ପାଇଁ ଯଥେଷ୍ଟ ଅନୁଶୀଳନର ଖୋରାକ ଯୋଗାଇବ।
ତିନିମାସ ତଳେ ​‌େମାଦୀ ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜ୍ୟ ସରକାରଙ୍କୁ ତାଙ୍କର ସମାଲୋଚନା ବେଶ୍‌ କଠୋର ଓ ନିର୍ମମ ଥିଲା। ଏଥର କିନ୍ତୁ ତାଙ୍କ ଭାଷଣରେ ସେ ଦମ୍ଭ ଓ ଅହମିକା ନଥିଲା ଏବଂ ତାଙ୍କର ଶାରୀରିକ ମୁଦ୍ରା ମଧ୍ୟ ବେଶ୍‌ କୋମଳ ଜଣାପଡୁଥିଲା। ଏକ ସରକାରୀ ଉତ୍ସବରେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କିଞ୍ଚିତ ସୋହାର୍ଦ୍ୟପୂର୍ଣ୍ଣ ଆଳାପ ସୂଚାଇ ଦେଉଥିଲା ଯେ ମୋଦୀ ଏକ ବନ୍ଧୁତ୍ବପୂର୍ଣ୍ଣ ଓ ବୁଝାମଣା ଭାବରେ ଅଛନ୍ତି ଯାହା ପରିବର୍ତ୍ତନଶୀଳ ରାଜନୀତିରେ ଭବିଷ୍ୟତର ପୁଞ୍ଜି ହୋଇପାରେ। ତେବେ ​‌େ​‌ସ ଯା’ହେଉ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ମୋଦୀଙ୍କୁ ବଦଳିବା ପାଇଁ ବାଧ୍ୟ କରିଛି ଏବଂ ଭବିଷ୍ୟତ ଲଢ଼େଇ ପାଇଁ ସେ ମିତ୍ର ସନ୍ଧାନରେ ଅଛନ୍ତି। ଚନ୍ଦ୍ରଶେଖର ରାଓଙ୍କ ସହ ବିଜେପିର ସମ୍ପର୍କ ନିବିଡ଼ ଓ ତେଲଙ୍ଗାନାରେ ଏହା ଟିଆର୍‌ଏସ୍‌ର ମିତ୍ରଦଳ। ମୋଦୀଙ୍କ ଓଡ଼ିଶାଗସ୍ତ ପୂର୍ବରୁ ରାଓ ଭୁବନେଶ୍ବର ଆସିବା ଏବଂ ବିଜେପିର ପୁରୁଣାମିତ୍ର ଓ ଏବେ ଦୂରେଇ ଯାଇଥିବା ବିଜେପି ମୁଖିଆଙ୍କ ସହ କଥାବାର୍ତ୍ତା କରିବା ଘଟଣାରୁ ନୂଆ ରାଜନୈତିକ ସମୀକରଣର ଗନ୍ଧ ଅବଶ୍ୟ ମିଳିବ। ସେଥିପାଇଁ ତ କଂଗ୍ରେସବାଲା କହୁଛନ୍ତି ଟିଆର୍‌ଏସ୍‌ ଓ ବିଜେଡି ବିଜେପିର ‘ବି’ ଟିମ୍‌।
ହିନ୍ଦୀଭାଷୀ ତିନିଟି ପ୍ରମୁଖ ରାଜ୍ୟରେ ହାରିଯିବା ପରେ ବିଜେପି ଅଡୁଆରେ ପଡ଼ିଛି ଏବଂ ୨୦୧୯ରେ ପାଖାପାଖି ୧୦୦ ଲୋକସଭା ଆସନ ହାତରୁ ଖସିଯିବାର ଆଶଙ୍କା ଦେଖାଦେଇଛି। ଏହି ସୁଯୋଗରେ ବିହାରରେ ମଧ୍ୟ ଏନ୍‌ଡିଏ ସହଯୋଗୀ ଜେଡିୟୁ ଓ ଲୋକଜନଶକ୍ତି ପାର୍ଟି ବିଜେପି ସହ ମୂଲଚାଲ କରି ନିଜ ଦାବି ଅନୁସାରେ ଆସନ ପାଇବାରେ ସଫଳ ହୋଇଛନ୍ତି। ତେଣୁ ଏଭଳି ସ୍ଥିତିରେ ବିଜେପି ପୁରୁଣା ସହଯୋଗୀଙ୍କୁ ମ​‌େ​ନଇବାକୁ ବ୍ୟଗ୍ର ଏବଂ ଏଥିପାଇଁ ଯାହା ମୂଲ୍ୟ ପଡ଼ିବ ତାହା ଦେବାକୁ ପ୍ରସ୍ତୁତ। ଯଦି ନୀତୀଶ କୁମାର ପୁର୍ନବାର ଏନ୍‌ଡିଏକୁ ଫେରିପାରିଲେ ନବୀନ କାହିଁକି ଫେରିବେନି ତାହା ଏବେ ବଡ଼ ପ୍ରଶ୍ନ। ରାଜନୀତିରେ ସବୁ ସମ୍ଭବ ଏବଂ କ୍ଷମତା ପାଇଁ ନେତାଏ ଯେ କୌଣସି ନିଷ୍ପତ୍ତି ନେଇପାରନ୍ତି। ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସମ୍ଭାବନା କ୍ଷୀଣ ବୋଲି କୁହାଯାଉଥିଲେ ମଧ୍ୟ କଂଗ୍ରେସ ନେତୃତ୍ବରେ ପରିଚାଳିତ ୟୁପିଏ ମେଣ୍ଟକୁ ବିଜେଡି ଯିବା ସମ୍ଭାବନା ଆଦୌ ନାହିଁ। ଟିଆର୍‌ଏସ୍‌ର ମଧ୍ୟ ଏକା ଅବସ୍ଥା। ତେବେ ନବୀନ, ଚନ୍ଦ୍ରଶେଖର ଓ ମମତା ବାନାର୍ଜୀଙ୍କ ଭଳି ଆଞ୍ଚଳିକ ଦଳର ମୁଖ୍ୟମାନେ ମାୟାବତୀ, ଅଖିଳେଶଙ୍କ ଭଳି ଅସ୍ଥିର ନେତାଙ୍କୁ ନେଇ ତୃତୀୟ ସାମ୍ମୁଖ୍ୟ ଗଠନ କରିବା ପ୍ରୟାସ ସହଜ ମନେହୁଏନା। ଦରକାର ପଡ଼ିଲେ ଏସବୁ ନେତା ନିଜନିଜର ସ୍ଥିତି ସୁରକ୍ଷା ପାଇଁ ବିଜେପି ସହ ବୁଝାମଣା କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଉଦାର ଭାଷଣ ଓ ନମ୍ର ମୁଦ୍ରାରୁ ଅନେକ କିଛି ସମ୍ଭାବନାର ସୂଚନା ମିଳୁଥିଲେ ମଧ୍ୟ ଏହା କ୍ରମଶଃ ସ୍ପଷ୍ଟ ହେଉଛି ଯେ ବିଜେପି ପୁନର୍ବାର କ୍ଷମତାକୁ ଫେରିବାକୁ ସାଥୀ ସହଯୋଗୀଙ୍କୁ ମନାଇବାରେ ବ୍ୟସ୍ତ।
ଓଡ଼ିଶା ପ୍ରଥମରୁ ବିଜେପି ଓ ମୋଦୀଙ୍କ ସୁନଜରରେ ରହିଛି ଏବଂ ସେ ଏଠାକାର ଭୋଟରଙ୍କ ଆସ୍ଥା ଜିଣିବାକୁ ନିରନ୍ତର ଉଦ୍ୟମ କରିଚାଲିଛନ୍ତି। କହିବା ବାହୁଲ୍ୟ ଯେ ମୋଦୀ ସରକାର ଓଡ଼ିଶାକୁ ଯେଉଁ ଗୁରୁତ୍ବ ଦେଉଛି ପୂର୍ବରୁ ଏଭଳି କେହି କରିନଥିଲେ। ନବୀନଙ୍କୁ ଗାଳି କରିବା ପରିବର୍ତ୍ତେ ମୋଦୀ ଏବେ ରାଜ୍ୟର ବିକାଶରେ ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ଲୋଡ଼ି ଏକ ଗଠନମୂଳକ ବାର୍ତ୍ତା ​‌େଦଇଛନ୍ତି। ତେଣୁ ଓଡ଼ିଶାବାସୀ ମୋଦୀ ଓ ତାଙ୍କ ଦଳକୁ କିପ୍ରକାର ସହଯୋଗ କରୁଛନ୍ତି ତାହା ସମୟ କହିବ। ତଥାପି ମୋଦୀ ଓ ତାଙ୍କ ଦଳ ଭଲଭାବେ ଜାଣିଛନ୍ତି ଏଠାରେ ବିଜେପି ଏକାଏକା ସରକାରକୁ ଆସିବା ଅବସ୍ଥାରେ ଏଯାଏ ପହଞ୍ଚିନାହିଁ। ତେଣୁ ଉତ୍ତମ ସାଥୀ ଦଳ ଦରକାର। ରାଜନୀତିରେ କ୍ଷମତା ପାଇଁ ନେତାଙ୍କ ରସାୟନ ବଦଳେ ଏବଂ ନୂଆ ସମୀକରଣ ସୃଷ୍ଟି ହୁଏ। ମୋଦୀଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ଏ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ କି ?

Leave A Reply