www.samajalive.in
Tuesday, December 9, 2025
17.1 C
Bhubaneswar

ପୋଷ୍ୟ ପିତା ପ୍ରସ୍ତାବ

ପ୍ରଦୀପ ମହାପାତ୍ର

ଦୀର୍ଘ କାଳରୁ ପୋଷ୍ୟ ସନ୍ତାନ ପ୍ରଥା ପ୍ରଚଳିତ ଥିଲା, ତେବେ ‘ପୋଷ୍ୟ ପିତା’ ପ୍ରସ୍ତାବ ପରିବର୍ତ୍ତିତ ପାରିବାରିକ ପ୍ରେକ୍ଷାପଟରେ ଏକ ବିସ୍ମୟକର ଉଚ୍ଚାରଣ । ଚୀନରେ ଜଣେ ୮୫ ବର୍ଷ ବୟସ୍କ ବରିଷ୍ଠ ନାଗରିକ ପାରିବାରିକ ସଦସ୍ୟଙ୍କ ଅନୁପସ୍ଥିତିରେ ନିଜକୁ ପୋଷ୍ୟ ପିତା ରୂପେ ସମର୍ପଣ କରିବାଲାଗି ସର୍ବସାଧାରଣରେ ବିଜ୍ଞପିତ କରିଥିଲେ । ଏହି ଘଟଣାଟି ସୋସିଆଲ ମିଡ଼ିଆରେ ପ୍ରଚ଼ାରିତ ହେବା ପରେ ଦେଶବିଦେଶର ଗଣମାଧ୍ୟମରେ ବହୁଚର୍ଚ୍ଚିତ ହୋଇଥିଲା ।
ଯୁକ୍ତରାଷ୍ଟ୍ର ଆମେରିକାର ‘ଦି ୱାଶିଂଟନ ପୋଷ୍ଟ’ରେ ପ୍ରକାଶିତ ବିବରଣୀ ଅନୁଯାୟୀ ଚୀନର ଟିଆନଜିନ ସହରରେ ହାନ ଜିଚ଼େଙ୍ଗ ନାମକ ଜଣେ ଅବସରପ୍ରାପ୍ତ କର୍ମଚ଼ାରୀ ବସବାସ କରୁଥିଲେ । ତାଙ୍କରି ତିନିଗୋଟି ପୁତ୍ରଙ୍କ ମଧ୍ୟରୁ ଜଣେ ନିଯୁକ୍ତି ଉଦ୍ଦେଶ୍ୟରେ କାନାଡ଼ା ଚ଼ାଲିଯାଇଥିବାବେଳେ ଭିନ୍ନ ସହରରେ ଅବସ୍ଥାପିତ ଅନ୍ୟ ଦୁଇଜଣ ପ୍ରାୟତଃ ତାଙ୍କ ସହ ସଂପର୍କ ରଖୁନଥିଲେ ଓ ପତ୍ନୀଙ୍କ ମୃତ୍ୟୁପରେ ସେ ଏକୁଟିଆ ହୋଇଗଲେ । ହାନ ଏକ ବିଜ୍ଞାନ ଗବେଷଣା କେନ୍ଦ୍ରରେ କର୍ମଜୀବନ ସାରି ଅବସର ଗ୍ରହଣ ପରେ ମାସିକ ପ୍ରାୟ ୬୫ ହଜାର ଟଙ୍କା ପେନସନ ପାଉଥିଲେ । ସେ ସୁସ୍ଥ ସବଳ ଥିଲେ, ସାଇକଲ ଚଳାଇ ବଜାରସଉଦା କରୁଥିଲେ ଓ ରନ୍ଧାବଢ଼ାରେ କୌଣସି ଅସୁବିଧା ନଥିଲା । ତେବେ ବୟସ ବୃଦ୍ଧି ସଙ୍ଗେ ନିଃସଙ୍ଗତା ଅସହ୍ୟ ହୋଇପଡ଼ିଲା । ପାଖପଡ଼ୋଶୀ ନିଜନିଜ ପାରିବାରିକ ଜଞ୍ଜାଳରେ ବ୍ୟସ୍ତଥିବା ହେତୁ ଦିନଦିନ ଧରି ସାମାନ୍ୟ କଥୋପକଥନ ମଧ୍ୟ ସଂଭବପର ହୋଇପାରୁ ନଥିଲା। ଡ଼ିସେମ୍ୱର ୨୦୧୭ରେ ଏକ ଅଜବ ଖିଆଲ ହାନଙ୍କ ମୁଣ୍ଡକୁ ଜୁଟିଲା । ତାଙ୍କୁ ପୋଷ୍ୟ ପିତାରୂପେ ଗ୍ରହଣ କରିବା ନିମନ୍ତେ ପ୍ରସ୍ତାବ ବିଜ୍ଞାପନ ଆକାରରେ ହାତରେ ଲେଖି ସହରର ବସଷ୍ଟାଣ୍ଡ, ଦୋକାନବଜାର କାନ୍ଥରେ ଲଟକାଇବାକୁ ଲାଗିଲେ । ହାନଙ୍କ ମନରେ ଭୟ ଆସିଯାଇଥିଲା ଯେ ସେ ଏକୁଟିଆ ରହୁଥିବା ହେତୁ ମରିଗଲେ ତତ୍କାଳ ତାଙ୍କ ଶବ ସତ୍କାର ହୋଇ ପାରିବ ନାହିଁ । ତେଣୁ ଉତ୍ତର-ବାର୍ଦ୍ଧକ୍ୟରେ କେହି ଜଣେ ଅନ୍ତରଙ୍ଗଙ୍କ ସାନ୍ନିଧ୍ୟରେ ସେ ବଞ୍ଚିବାକୁ ଚ଼ାହୁଁଥିଲେ।
ଚୀନରେ ପର୍ଯ୍ୟାପ୍ତ ନହେଲେ ବି ବାର୍ଦ୍ଧକ୍ୟ ସେବା ପ୍ରଦାନ କରିବା ନିମନ୍ତେ କିଛି ସଂଖ୍ୟକ ନର୍ସିଂହୋମର ସୁବିଧା ରହିଛି। ହାନ ନିଜ ପେନସନ ପଇସା ଉପଯୋଗରେ ନର୍ସିଂହୋମରେ ଭର୍ତ୍ତି ହୋଇପାରିଥାନ୍ତେ, କିନ୍ତୁ ସେ ନର୍ସିଂହୋମ ଯିବାକୁ ଚ଼ାହୁଁ ନଥିଲେ । କେହି ଜଣେ ଦୟାଳୁ ତାଙ୍କୁ ପୋଷ୍ୟ ପିତାରୂପେ ଗ୍ରହଣ କରିନେବ ଏବଂ ବାକିତକ ଜୀବନ ଦେଖାଶୁଣାକରି ମୃତ୍ୟୁପରେ ଉଚ଼ିତ ଢଙ୍ଗରେ ଶବ ସତ୍କାର କରିବ ବୋଲି ତାଙ୍କ ଆଶା ଥିଲା ।
ହାନଙ୍କ ବିଜ୍ଞାପନ ଜଣେ ମହିଳାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଦିନେ ଦୋକାନ କାନ୍ଥରେ ହାନ ବିଜ୍ଞାପନ ଲଟକାଉଥିବାର ଫଟୋ ଉତ୍ତୋଳନକରି ମହିଳା ଜଣକ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ । ତତକ୍ଷଣାତ ସ୍ଥାନୀୟ ୱେବ ଟେଲିଭିଜନ ହାନଙ୍କଠାରୁ ସାକ୍ଷାତକାର ନେଇ ତାଙ୍କ ଜୀବନ ଓ ଆଶାଆକାଂକ୍ଷା ସଂପର୍କରେ ପ୍ରସାରଣ କଲେ । କ୍ରମଶଃ ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମରେ ହାନଙ୍କ ପୋଷ୍ୟ ପିତା ପ୍ରସଙ୍ଗ ଚର୍ଚ୍ଚିତ ହେଲା ।
ବ୍ୟାପକ ପ୍ରଚ଼ାର ସତ୍ତ୍ୱେ ହାନଙ୍କ ପୋଷ୍ୟ ପିତା ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରି ନଥିଲା। ଜଣେ ଦେଶାନ୍ତରୀ ଶ୍ରମିକ ହାନଙ୍କୁ ପୋଷ୍ୟ ପିତାରୂପେ ଗ୍ରହଣ କରିବାକୁ ରାଜି ହୋଇଥିଲେ, କିନ୍ତୁ ତାଙ୍କ ସାମାଜିକ ସ୍ଥିତି ବିଚ଼ାରକୁ ନେଇ ହାନ ମନା କରିଦେଇଥିଲେ । ଜଣେ ଆଇନ ଛାତ୍ରୀ ଜିଆଙ୍ଗ ଜିଙ୍ଗ ଓ ଅନ୍ୟ ଜଣେ ସାମରିକ କର୍ମଚ଼ାରୀ କୁଇଙ୍କ ସହ ଟେଲିଫୋନରେ ବନ୍ଧୁତା ସ୍ଥାପିତ ହେଲା । ସେମାନେ ମାସରେ ଥରେ ଅଧେ ତାଙ୍କ ସହ ଟେଲିଫୋନରେ କଥାବର୍ତ୍ତା ହେଉଥାନ୍ତି ।
ମାର୍ଚ୍ଚ ୨୦୧୮ରେ ହାନ ଅସୁସ୍ଥ ହୋଇପଡ଼ିଲେ । ସେ ମାର୍ଚ୍ଚ ୧୩ରେ ଜିଆଙ୍ଗକୁ ଫୋନ କଲେ, କିନ୍ତୁ କୌଣସି କାରଣରୁ ଜିଆଙ୍ଗ ଟେଲିଫୋନ ଉଠାଇ ପାରିଲେ ନାହିଁ । ତାପରେ ସେ କୁଇଙ୍କୁ ଫୋନ କଲେ । କୁଇ ଟିଆନଜିନ ସହରରେ ପହଞ୍ଚି ହାନଙ୍କୁ ହସପିଟାଲକୁ ନେଲେ । ମାର୍ଚ୍ଚ ୧୭ରେ ହାନଙ୍କ ମୃତ୍ୟୁ ଘଟିଲା । ହାନ ଭୟ କରୁଥିଲେ ସେ ଏକାକୀ ଘରେ ମରିଯିବା ପରେ କେହି ଜାଣିପାରିବେ ନାହିଁ, କିନ୍ତୁ ତାଙ୍କ ବିଜ୍ଞାପନ ଓ ତଜ୍ଜନିତ କୁଇଙ୍କ ସହ ବନ୍ଧୁତା କାରଣରୁ ସେଭଳି ପରିସ୍ଥିତିକୁ ଏଡ଼ାଇ ଦିଆଯାଇପାରିଲା ।
ଏପ୍ରିଲ ପ୍ରଥମ ସପ୍ତାହରେ ହାନଙ୍କ ଟେଲିଫୋନ ନମ୍ୱରରେ ଜିଆଙ୍ଗ ଟେଲିଫୋନ କରିବା ଅବସରରେ ହାନଙ୍କ ପୁତ୍ର କହିଲେ ଯେ ତାଙ୍କ ବାପାଙ୍କ ୧୭ ମାର୍ଚ୍ଚରେ ତିରୋଧାନ ଘଟିଛି। ହାନଙ୍କ ମୃତ୍ୟୁର ଦୁଇ ସପ୍ତାହ ପରେ ତାଙ୍କ ବସ୍ତିର ନାଗରିକ କମିଟି ଏ ସଂପର୍କରେ ଜାଣିଲେ । କୁଇଙ୍କଠାରୁ ଖବର ପାଇ କାନାଡ଼ାରେ ଅବସ୍ଥାପିତ ହାନଙ୍କ ପୁତ୍ର ଆସି ଅ​‌େ​‌ନ୍ତ୍ୟଷ୍ଟିକ୍ରିୟା ସମାପନ କଲେ । ହାନଙ୍କ ପଡ଼ୋଶୀମାନେ କହିଲେ ଯେ ସେମାନେ କିଛି ଦିନ ଧରି ହାନଙ୍କ ଅନୁପସ୍ଥିତି ବାରିଥିଲେ, କିନ୍ତୁ କେହି ଏ ସଂପର୍କରେ ଅନୁସନ୍ଧାନ କରିନଥିଲେ। ହାନଙ୍କ ପୋଷ୍ୟ ପିତା ସଂପର୍କରେ ବିଜ୍ଞପ୍ତିକୁ ନେଇ ତାଙ୍କ ପୁତ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ତାଙ୍କ କହିବା ଅନୁଯାୟୀ ହାନ ଆରାମଦାୟକ ପରିବେଶରେ ବାର୍ଦ୍ଧକ୍ୟ ବିତାଇଛନ୍ତି । ଏଭଳି ଘଟଣା ସର୍ବତ୍ର ଘଟୁଛି । ଗଣମାଧ୍ୟମ ତାଙ୍କ ପିତାଙ୍କ ବିଜ୍ଞାପନ ସଂପର୍କରେ ଚର୍ଚ୍ଚା କରି ଅଯଥା ଗୁରୁତ୍ୱ ଦେଇଥିବାରୁ ସେଥିନେଇ ମଧ୍ୟ ବିଷୋଦଗାର କରିଥିଲେ, କିନ୍ତୁ ହାନଙ୍କ ବିଜ୍ଞାପନ ଓ ଗଣମାଧ୍ୟମରେ ପ୍ରସାରଣ ଯେ କୁଇଙ୍କ ଭଳି ଜଣେ ସ୍ନେହୀ ସ୍ୱେଚ୍ଛାସେବୀଙ୍କୁ ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ କରାଇପାରିଥିଲା ସେ କଥା ବୁଝିପାରି ନଥିଲେ ।
ଚୀନରେ ୨୦୧୭ ଶେଷସୁଦ୍ଧା ପ୍ରାୟ ୨୪ କୋଟି ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ବସବାସ କରୁଥିଲେ । ସରକାରୀ ହିସାବ ଅନୁଯାୟୀ ୨୦୨୫ ବେଳକୁ ବରିଷ୍ଠ ନାଗରିକ ଜନସଂଖ୍ୟା ୩୦ କୋଟି, ୨୦୩୩ ବେଳକୁ ୪୦ କୋଟି ଓ ୨୦୫୦ ବେଳକୁ ୫୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୭ ପ୍ରତିଶତ ଥିବା ବେଳେ ୨୦୫୦ ବେଳକୁ ୩୫ ପ୍ରତିଶତ ବରିଷ୍ଠ ନାଗରିକ ଅନ୍ତର୍ଭୁକ୍ତ ହେବେ ।
ଚୀନରେ ବର୍ଦ୍ଧିଷ୍ଣୁ ବରିଷ୍ଠ ନାଗରିକଙ୍କ ଉତ୍ତର-ବାର୍ଦ୍ଧକ୍ୟରେ ନିଃସଙ୍ଗ ଜୀବନର ମୁକାବିଲା କରିବା ନିମନ୍ତେ ସାମାଜିକସ୍ତରରେ ବାର୍ଦ୍ଧକ୍ୟ ସେବାଜନିତ ଭିତ୍ତିଭୂମି ପ୍ରତିଷ୍ଠା ଜରୁରୀ ହୋଇପଡ଼ିଛି। ଚୀନର ଉଦାହରଣ ପଡ଼ୋଶୀ ଭାରତ ପାଇଁ ମଧ୍ୟ ପ୍ରଯୁଜ୍ୟ । ଆମ ଦେଶରେ ପାରିବାରିକ ସମ୍ପର୍କ ଭାଙ୍ଗିପଡୁଥିବାବେଳେ ନିକଟ ଭବିଷ୍ୟତରେ ହାନଙ୍କ ଉଦାହରଣର ଅଭାବ ରହିବ ନାହିଁ। ଆର୍ଥିକ ସ୍ୱଚ୍ଛଳତା ସତ୍ତ୍ୱେ ଉତ୍ତର-ବାର୍ଦ୍ଧକ୍ୟରେ ନିଃସଙ୍ଗତା ଓ ସେଥିରୁ ନିସ୍ତାର ପାଇବା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ପାଶ୍ଚାତ୍ୟ ଜଗତରେ ବିକଶିତ ଅବସର ବିହାରରେ ପୁର୍ନବାସନ ମଡ଼େଲ ପ୍ରତି ବରିଷ୍ଠ ନାଗରିକମାନେ ବିମୁଖ ହେଉଥିବା ଅବସରରେ ସେମାନଙ୍କ ବାସସ୍ଥାନରେ ଜିଆଙ୍ଗ, କୁଇଙ୍କ ଭଳି ଯୁବ ସ୍ୱେଚ୍ଛାସେବୀଙ୍କ ମହନୀୟ ଅବଦାନକୁ ସୁଚ଼ାରୁ ରୂପେ ପରିଚ଼ାଳିତ କରିବା ନିମନ୍ତେ ପ୍ରଯୁକ୍ତି କଳାକୌଶଳ ସମୃଦ୍ଧ ଭିତ୍ତିଭୂମି ପ୍ରତିଷ୍ଠାର ଆବଶ୍ୟକତା ଅନୁଭୂତ ହୁଏ।
ବିକଳ୍ପ ବାର୍ଦ୍ଧକ୍ୟ ଚ଼ିନ୍ତନ ମଞ୍ଚ ‘ଧୂସର ଓଡ଼ିଶା’
ଭୀମାରାଓ ପେଟା, ଭାପୁର ବଜାର, ବ୍ରହ୍ମପୁର ୭୬୦ ୦୦୧

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories