www.samajalive.in
Saturday, December 13, 2025
26.1 C
Bhubaneswar

ସରକାରୀ ସହାୟତାରୁ ବଞ୍ଚିତ ୪ଟି ପଞ୍ଚାୟତର ୨ଶହ ପରିବାରଙ୍କ ଭୋଟ୍‌‌ ବର୍ଜନ ଚେତାବନୀ

ପିପିଲି: ବିଭିନ୍ନ ସରକାରୀ ଯୋଜନା ଓ ସହାୟତାରୁ ବଞ୍ଚିତ ହୋଇଥିବା ପିପିଲି ବ୍ଲକର ୪ଟି ପଞ୍ଚାୟତର ୨ଶହ ପରିବାର ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ୍‌‌ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପିପିଲିର ତାରା କଲ୍ୟାଣ ମଣ୍ଡପଠାରେ ଶନିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସରକାରୀ ସହାୟତାରୁ ବଞ୍ଚିତ ପୁରୁଷ ଓ ମହିଳାମାନେ ଉପସ୍ଥିତ ରହି ଏହି ଚେତାବନୀ ଦେଇଛନ୍ତି।

ଜାତୀୟ ଦଳିତ, ଆଦିବାସୀ, ମାଇନୋରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୁବାଶାସନ ପଞ୍ଚାୟତ ଶବରସାହିର ଭିମ ଶବର, ଏକଚାଳିଆ ଗ୍ରାମର ଭାନୁପ୍ରୀୟା ବେହେରା, ଝୁଲମଣି ବେହେରା, ପ୍ରତିମା ଭୋଇ, ବାସନ୍ତୀ ବେହେରା, ପୂଜା ବେହେରା, ଯମୁନା ଭୋଇ, ରଥପୁରୁଷୋତ୍ତମପୁର ପଞ୍ଚାୟତ ବାଲିଗାଁର ବସନ୍ତ ବେହେରା, ସନ୍ଧ୍ୟା ବେହେରା, ରୂପଦେଇପୁର ପଞ୍ଚାୟତ ନାହାମଙ୍ଗପାଟଣା ଗ୍ରାମର ଡଲି ଦାସ, ତେଇସିପୁର ପଞ୍ଚାୟତ ନିର୍ମଳା ଗ୍ରାମର ଲକ୍ଷ୍ମୀପ୍ରିୟା ଭୋଇ, ପୁନା ବେହେରା ପ୍ରମୁଖ ଯୋଗଦେଇ ସେମାନଙ୍କ ଦୁଃଖ ବଖାଣିଥିଲେ। କେହିକେହି ଭୂମିହୀନ ହୋଇ ସୁଦ୍ଧା ସେମାନଙ୍କୁ ସରକାରୀ ସହାୟତା ମିଳିନଥିବାବେଳେ କେତେକଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ରାସନକାର୍ଡ, ଆବାସ ଯୋଜନାରେ ଘର, ପାଇଖାନା, ଫଣି କ୍ଷତିଗ୍ରସ୍ତ ସହାୟତା ଆଦି ମିଳି ନଥିବାର ଅଭିଯୋଗ କରିଥିଲେ। ସରକାରୀ ସହାୟତା ମିଳୁନଥିବାରୁ ଏଥର ଆମେ ଭୋଟ୍‌‌ ବର୍ଜନ କରିବୁ ବୋଲି ସେମାନେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଅଧିକାଂଶ ପରିବାର ଜରିପାଲ ତଳେ ଅତି ଦୟନୀୟ ଅବସ୍ଥାରେ ଓ ଅସ୍ୱାସ୍ଥ୍ୟକର କାଦୁଅ ପଚପଚ ପରିବେଶ ଓ ସର୍ପ ଆତଙ୍କ ମଧ୍ୟରେ ଜୀବନଯାପନ କରୁଥିବା ବେଳେ ସରକାରୀ ଯୋଜନା ସେମାନଙ୍କ ପାଇଁ ସାତ ସପନ ବୋଲି ମହାସଂଘର ରାଜ୍ୟ ସଭାପତି ଶ୍ରୀସେଠୀ ଅଭିଯୋଗ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରୀବ ଜନକଲ୍ୟାଣ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ସମୟରେ ଜନ ପ୍ରତିନିଧିମାନେ ସେମାନଙ୍କ ପାଖକୁ ଯାଇ ଭୋଟ୍‌‌ ହାତେଇବା ପାଇଁ ବିଭିନ୍ନ ମିଥ୍ୟା ପ୍ରତିଶୃତିମାନ ଦେଉଥିବା ବେଳେ ନିର୍ବାଚନ ସରିବା ପରେ ଏମାନଙ୍କ କଥା କାହାରି ମନେ ପଡେ ନାହିଁ ବୋଲି ଶ୍ରୀସେଠୀ ଅଭିଯୋଗ କରିଥିଲେ। ସରକାରୀ ଅଧିକାରୀମାନେ ସେମାନଙ୍କ ପାଖକୁ ଯାଇ ବିଭିନ୍ନ ସରକାରୀ ଯୋଜନା ଓ ସହାୟତା ବାବଦରେ ବହୁବାର ଅନୁସନ୍ଧାନ କରିଥିବା ବେଳେ କାହା ସ୍ୱାର୍ଥରେ ଏହି ପରିବାରମାନେ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି ସେନେଇ ନିରପେକ୍ଷ ତଦନ୍ତ କରାଯାଇ ହିତାଧିକାରୀ ଚୟନରେ ଅନିୟମିତତା କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀସେଠୀ ଦାବୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ପାର୍ବତୀ ମଲ୍ଲିକ, ମୀନା ସେଠୀ, ବାସନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories