ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲରେ ବ୍ୟାପୁଛି ବନାଗ୍ନି, ନଷ୍ଟ ହେଉଛି ମୂଲ୍ୟବାନ ଗଛ

କଲମପୁର: ଦିନକୁ ଦିନ ଗ୍ରୀଷ୍ମ ତାପ ବୃଦ୍ଧି ପାଇବାରେ ଲାଗିଛି। ଜନ ଜୀବନ ଅସ୍ତ ବ୍ୟସ୍ତ ହେଉଛି। ଗତ ଏକ ସପ୍ତାହ ଧରି କଲମପୁର ଅଞ୍ଚଳରେ ଗ୍ରୀଷ୍ମ ତାପ ୩୮ରୁ ୪୦ ଡିଗ୍ରୀ ମଧ୍ୟରେ ରହୁଛି। ଏଭଳି ସ୍ଥିତିରେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଜନ ଜୀବନ ପ୍ରଭାବିତ ହେଉଛି। ରୀତିମତ ସିଙ୍ଗାରୀ ଏବଂ ଦେବଗିରୀ ଜଙ୍ଗଲରେ ନିଆଁ ଲାଗି ଯାଉଛି। ଯେଉଁଥିପାଇଁ ନଷ୍ଟ ହେଉଛି ଶାଳ, ପିଆଶାଳ, ଶାଗୁଆନ, ଗମ୍ଭାରୀ ଭଳି ମୂଲ୍ୟବାନ ଗଛ ସମେତ ଅନେକ ଔଷଧୀୟ ବୃକ୍ଷ ନଷ୍ଟ ହେଉଛି। ଏହି ସବୁ ଜଙ୍ଗଲରେ ବାଉଁଶ ଗଛ ଅଧିକ ରହିଥିବାରୁ ଶୁଖିଲା ବାଉଁଶ ପତ୍ରରେ ନିଆଁ ଲାଗି ସମଗ୍ର ଜଙ୍ଗଲ ଅଂଚଳର ହେକ୍ଟର ହେକ୍ଟର ଅଂଚଳକୁ ମାଡିଯାଉଛି। କେବଳ ଜଙ୍ଗଲର ଗଛ ନୁହେଁ ବାରହା, କୁଟୁରା, ମୟୁର ଭଳି ଅନେକ ଜଙ୍ଗଲୀ ଜନ୍ତୁ ଏବଂ ପକ୍ଷୀ ପ୍ରଭାବିତ ହେଉଛନ୍ତି। ଏହାସହ ଜଙ୍ଗଲ ବନ୍ଧୁ ଭାବେ ଥିବା ଅନେକ କୀଟ ପତଙ୍ଗ ନିଆଁର ଧାସରେ ସବୁଦିନ ପାଇଁ ଲୋପ ପାଇ ଯାଉଛନ୍ତି। ଯେଉଁଥିପାଇଁ ଭବିଷ୍ୟତ ଜଙ୍ଗଲ ସୃଷ୍ଟି ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସରକାରଙ୍କ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ବାରମ୍ବାର ଲୋକଙ୍କ ସଚେତନତା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ କୌଣସି ସଫଳତା ମିଳୁନାହିଁ। ଏବେ ମଧ୍ୟ ଅନେକ ବନବାସୀ ଜଙ୍ଗଲ ଜମି ଜବର ଦଖଲ କରି ମକା, ମାଣ୍ଡିଆ, କାଙ୍ଗୁ, କୋଶଲା, କାନ୍ଦୁଲ ଆଦି ଶସ୍ୟ ଉତ୍ପାଦନ ପାଇଁ ଜଙ୍ଗଲକୁ ନିଆଁ ଲଗାଇ ପୋଡୁ ଚାଷ କରି ଚାଲିଛନ୍ତି। ଏହି ପୋଡୁଚାଷ କରୁଥିବା ବନବାସୀଙ୍କ ପ୍ରତି ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହମ କରାଯାଉ ନ ଥିବାରୁ ଦିନକୁ ଦିନ ପୋଡୁ ଚାଷ ବୃଦ୍ଧି ପାଉଛି। ଏହାସହ ଜଙ୍ଗଲରୁ ଜାଳେଣୀ ସଂଗ୍ରହ ପାଇଁ ଯାଉଥିବା ଲୋକଙ୍କ ଅସାବଧାନତା ବସତଃ ଅନେକ ସମୟରେ ବିଡି ନିଆଁରେ ଜଙ୍ଗଲ ଜଳିଯାଉଛି। ଏହାସହ ମହୁଲ ଫୁଲ ଗୋଟାଇବା ପାଇଁ ବନବାସୀ ମହୁଲ ଗଛ ତଳେ ପଡ଼ିଥିବା ପତ୍ରକୁ ଏକାଠି କରି ନିଆଁ ଲଗାଇ ଦେଉଥିବାରୁ ମଧ୍ୟ ଜଙ୍ଗଲ ପୋଡ଼ି ଯାଉଛି। ବନ ବିଭାଗ ଏସବୁ ପ୍ରତି ଗୁରୁତ୍ୱ ଦେଉନଥିବାରୁ ଜଟିଳ ହେଉଛି ସମସ୍ୟା। ଅନ୍ୟପଟେ ନୁଆଁ ଜଙ୍ଗଲ ସୃଷ୍ଟି ହେଉନଥିବାରୁ ବାୟୁ ମଣ୍ଡଳ ପ୍ରଭାବିତ ହେଉଛି। ଆଗାମୀ ଦିନରେ ପରିବେଶ ପ୍ରତି ବିପଦ ସୃଷ୍ଟି ହେଉଛି। ବନ ବିଭାଗ ପକ୍ଷରୁ ଜଙ୍ଗଲର ନିଆଁକୁ ଆୟତ କରିବା ପାଇଁ ନିଆଁ ଲିଭାଳି ଦଳ ନିୟୋଜିତର ବ୍ୟବସ୍ଥା ରହିଛି। କିନ୍ତୁ କଲମପୁର ବନପାଳଙ୍କ କାର୍ଯ୍ୟାଳୟରେ ଆବଶ୍ୟକ ମୁତାବକ ନିଆଁ ଲିଭାଳି ଦଳ ନଥିବା ବେଳେ ସେମାନଙ୍କ ପାଇଁ ଯାନ ବାହନ ବ୍ୟବସ୍ଥା ହେଇନଥିବାରୁ ଖସିଗୁଡାଠାରୁ ଚୁରୁଗାଁ ଦୀର୍ଘ ୪୦ କିଲୋମିଟରର ବ୍ୟାପକ ଅଂଚଳର ନିଆଁକୁ ଆୟତ୍ତ କରିବା ସମ୍ଭବ ହେଉନାହିଁ। ଅନ୍ୟପଟେ ପାହାଡ ତଳ ଅଞ୍ଚଳରେ ଥିବା ଗାଁଗୁଡିକରେ ଗଠିତ ହେଇଥିବା ବନ ସୁରକ୍ଷା ସମିତି କେବଳ ଧର୍ମକୁ ଆଖିଠାର ଭଳି ରହିଛନ୍ତି। ସେମାନଙ୍କ ଦ୍ୱାରା କୌଣସି କାର୍ଯ୍ୟ ହେଉନାହିଁ। ଅନ୍ୟପଟେ ବନ ବିବାଗ ମଧ୍ୟ ସେମାନଙ୍କୁ କାର୍ଯ୍ୟକ୍ଷମ କରାଇବାରେ ଗୁରୁତ୍ୱ ଦେଉନଥିବା ଅନୁମାନ କରାଯାଉଛି।

Comments are closed.