www.samajalive.in
Friday, December 12, 2025
27.1 C
Bhubaneswar

ସମୃଦ୍ଧ ଭାରତ ଗଠନ ଆମର ସ୍ୱପ୍ନ ଓ ସଙ୍କଳ୍ପ ହେଉ-ଶ୍ରମ ମନ୍ତ୍ରୀ

କେନ୍ଦୁଝରଗଡ : କେନ୍ଦୁଝର ଷ୍ଟାଡିୟମ୍ଠାରେ ଶୁକ୍ରବାର ଅନୁଷ୍ଠିତ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ସମାରୋହରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସମ୍ମିଳିତ ଆନୁଷ୍ଠାନିକ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ସମୃଦ୍ଧ ଭାରତ ଓ ଓଡିଶା ଆମର ସ୍ୱପ୍ନ ଓ ସଙ୍କଳ୍ପ ହେଉ ବୋଲି ଆହ୍ୱାନ ଜଣାଇଥିଲେ। କେନ୍ଦୁଝର ଜିଲାକୁ ବୀର ମାଟି ଭାବେ ଅଭିହିତ କରି ସ୍ୱାଧୀନତା ସଂଗ୍ରାମ କାଳରେ ସଂଗ୍ରାମୀମାନଙ୍କର ଉଚ୍ଚାଦର୍ଶ ଆମ ପାଇଁ ପ୍ରେରଣା ସାଜିଛି ବୋଲି କହିଥିଲେ। ରାଜନୈତିକ ସ୍ୱାଧୀନତା, ସାମାଜିକ ନ୍ୟାୟ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମ ନିରପେକ୍ଷତା, ବର୍ଣ୍ଣବୈଷମ୍ୟ ତଥା ତାରତମ୍ୟମୁକ୍ତ ସମାଜ ପ୍ରତିଷ୍ଠା ଓ ମାନବାଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଭାରତୀୟ ସମ୍ବିଧାନର ବିଶେଷତ୍ୱ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।

ଏହି ଅବସରରେ ଆୟୋଜିତ ସମ୍ମିଳିତ ଆନୁଷ୍ଠାନିକ ପରେଡରେ ୫୦ଟି ଦଳ ଅଂଶଗ୍ରହଣ କରି ଚିତ୍ତାକର୍ଷକ ମାର୍ଚ୍ଚପାଷ୍ଟ କରିଥିଲେ। ୪ଟି ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ଏବଂ ୪ଟି ଶିକ୍ଷାନୁଷ୍ଠାନ ଦୋଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କେନ୍ଦୁଝର ଜିଲା ଆମେଚର୍ ତାଇକୋଣ୍ଡ ଆସୋସିଏସନ୍ ତାଇକୋଣ୍ଡ ପ୍ରଦର୍ଶନ କରିଥିଲେ। ଚିତ୍ତାକର୍ଷକ ପରେଡ ପାଇଁ ଶ୍ରେଷ୍ଠ ଦଳ ଭାବେ ଏନସିସି/ସ୍କାଉଟ/ଗାଇଡ ଓ ରେଡ୍କ୍ରସ୍ ବାଳିକାବର୍ଗ ବରିଷ୍ଠ ବିଭାଗରେ ଏନ୍ସିସି ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝର, ଶ୍ରେଷ୍ଠ ବାଳକ ଦଳ ଭାବେ ଏନସିସି କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦୁଝର, ସିଭିଲିଆନ ବରିଷ୍ଠ ବର୍ଗରେ ଶ୍ରେଷ୍ଠ ବାଳକ ଦଳ ଭାବେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ କେନ୍ଦୁଝର, ଶ୍ରେଷ୍ଠ ବାଳିକା ଦଳ ଭାବେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କେନ୍ଦୁଝର ଏବଂ ସିଭିଲିଆନ କନିଷ୍ଠ ବର୍ଗରେ ଶ୍ରେଷ୍ଠ ବାଳକ ଦଳଭାବେ ଡି.ଏନ୍. ହାଇସ୍କୁଲ କେନ୍ଦୁଝର ଓ ଶ୍ରେଷ୍ଠ ବାଳିକା ଦଳ ଭାବେ ଡିଏଭି ପବ୍ଲିକ୍ ସ୍କୁଲ କେନ୍ଦୁଝରକୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ। ପ୍ରଜ୍ଞାପନ ମେଢ ପ୍ରଦର୍ଶନରେ ରେଶମ ବିଭାଗ କେନ୍ଦୁଝର ପ୍ରଥମ, ମିଲେଟ୍ ମିଶନ କେନ୍ଦୁଝର ଦ୍ୱିତୀୟ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ କେନ୍ଦୁଝର ତୃତୀୟ ଦଳ ଭାବେ ପୁରସ୍କୃତ ହୋଇଥିଲେ। ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡିଏଭି ପବ୍ଲିକ୍ ସ୍କୁଲ କେନ୍ଦୁଝର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝର, କିଡ୍ସ ପବ୍ଲିକ୍ ସ୍କୁଲ୍, କେନ୍ଦୁଝର ଏବଂ ରବୀନ୍ଦ୍ର ବିଦ୍ୟା ନିକେତନ କେନ୍ଦୁଝର ଦଳକୁ ପୁରସ୍କୃତ କରାଯାଇଥିଲା।

- Advertisement -

ପରେଡ୍ କାର୍ଯ୍ୟକ୍ରମ ପରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ନାୟକ ବଣିଆପାଟସ୍ଥିତ କର୍ମଜୀବୀ ମହିଳା ହଷ୍ଟେଲକୁ ଉଦ୍ଘାଟନ କରିଥିଲେ। ମଧ୍ୟାହ୍ନରେ କେନ୍ଦୁଝର ଷ୍ଟାଡିୟମଠାରେ ଜିଲାପାଳ ଏକାଦଶ ଓ କେନ୍ଦୁଝର ନାଗରିକ ଏକାଦଶ ମଧ୍ୟରେ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ କେନ୍ଦୁଝର ଅଡିଟୋରିୟମ୍ଠାରେ ମିଳନୀ ସାହିତ୍ୟ ସଂସଦ ସହଯୋଗରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ କେନ୍ଦୁଝର ଅଡିଟୋରିୟମ୍ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ପ୍ରତ୍ୟୁଷରେ ସହରରେ ରାମଧୂନ ପ୍ରଚାର କରାଯିବା ସହିତ ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ ପରେ ମୁଖ୍ୟଅତିଥିଙ୍କ ଦ୍ୱାରା ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅଗ୍ରଣୀ କୃଷକ ଭାବେ କେନ୍ଦୁଝର ଉପଖଣ୍ଡରୁ ଜ୍ୟୋର୍ତିମୟୀ ମହାନ୍ତ, ଚମ୍ପୁଆ ଉପଖଣ୍ଡରୁ ଜଣ୍ଡକ ମୁଣ୍ଡା, ଆନନ୍ଦପୁର ଉପଖଣ୍ଡରୁ ନିର୍ମଳ କୁମାର ରାଉତ, ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ସୁଶ୍ରୀ ଝିଲ୍ଲି ବିରୁଆ, ଅର୍ନ୍ତଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଉଷୁ କ୍ରୀଡାବିତ୍ ରମେଶ ମୁଣ୍ଡା, ଶ୍ରେଷ୍ଠ ମହିଳା ଫୁଟବଲ ଖେଳାଳୀ ଭାବେ ସୁଶ୍ରୀ ରୁପଶ୍ରୀ ମୁଣ୍ଡା, ଆଦର୍ଶ ଆଶାକର୍ମୀ ଭାବେ ବିମଳା ମୁଣ୍ଡା, ଅଗ୍ରଣୀ ମାଣ୍ଡିଆ ଚାଷୀ ଭାବେ ଶ୍ରୀମତୀ ଲତିକା ମଞ୍ଜରୀ ନାୟକ, ଶ୍ରେଷ୍ଠ ବ୍ଲକ ଭାବେ ଯୋଡା ବ୍ଳକ୍, ଶ୍ରେଷ୍ଠ ତହସିଲ ଭାବେ ବଡବିଲ ତହସିଲ, ଶ୍ରେଷ୍ଠ ଥାନା ଭାବେ ହରିଚନ୍ଦନପୁର ଥାନା ଏବଂ ଖଡଗପୁର ଆଇଆଇଟିର ସମସ୍ତ ୨୨ଟି ବିଭାଗରେ ଶ୍ରେଷ୍ଠ ହୋଇଥିବା ଡୁଆଲ୍ ଡିଗ୍ରୀ କୋର୍ସର କମ୍ପ୍ୟୁଟର ସାଇନସ୍ ଇଂଜିନିୟରିଂ ଛାତ୍ର ସୋମନାଥ ଜେନାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

ଜିଲାପାଳ ଆଶିଷ ଠାକରେ ଏବଂ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଉପସ୍ଥିତ ରହି ତତ୍ତ୍ୱାବଧାନ କରିଥିଲେ। ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ କେନ୍ଦୁଝର ସଞ୍ଜୀବ କୁମାର ବାରିକ ସମାରୋହର ଧାରାବିବରଣୀ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ରିଜର୍ଭ ଆରକ୍ଷୀ ନିରୀକ୍ଷକ ମାନସ କୁମାର ବେହେରା ସମ୍ମିଳିତ ଆନୁୁଷ୍ଠାନିକ ପରେଡ୍ ପରିଚାଳନା କରିଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ, ଜିଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଡିଏଫଓ ଧନରାଜ ଏଚ୍.ଡି, ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ପ୍ରକଳ୍ପ ନିର୍ଦ୍ଦେଶକ ସହରାଞ୍ଚଳ ଉନ୍ନୟନ ସଂସ୍ଥା ଘାସିନାଥ ମୁର୍ମୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଦିଲ୍ଲୀପ କୁମାର ନାୟକ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଆଦିବାସୀ ସମନ୍ୱିତ ଉନ୍ନୟନ ସଂସ୍ଥା କେନ୍ଦୁଝରର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାଏକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଗଣମାଧ୍ୟ ପ୍ରତିନଧି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ଥିଲେ। ସଦର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ର ନାଥ ମୁର୍ମୁ ଏବଂ ଟାଉନଥାନା ନିରୀକ୍ଷକ ରମାକାନ୍ତ ସାଏଙ୍କ ନେତୃତ୍ୱରେ ଆରକ୍ଷୀ ବାହିନୀ ଶାନ୍ତିଶୃଙ୍ଖଳା କାର୍ଯ୍ୟ ସମ୍ପାଦିତ କରିଥିଲେ।

ଆଇଡିଏ ପକ୍ଷରୁ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

କେନ୍ଦୁଝରଗଡ: କେନ୍ଦୁଝର ସଦର ବ୍ଲକ ବନାଯୋଡିସ୍ଥିତ ସ୍ୱେଛାସେବୀ ସଙ୍ଗଠନ ଆଇଡିଆଲ ଡେଭଲପମେଣ୍ଟ ଏଜେନ୍ସି (ଆଇଡିଏ) ପକ୍ଷରୁ ଶୁକ୍ରବାର ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ପାଳିତ ହୋଇଯାଇଛି। ଇନୋଭେସନ ହବ୍‍ର ସିଇଓ ହିରଣ୍ମୟ ମହାନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ଅବସରରେ ସାଈ ଆନନ୍ଦ ଓ ସାଈ ଇଣ୍ଟର ନ୍ୟାସନାଲ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଚ୍ଚାଭିଳାଷୀ ହେବାସହ ସ୍ୱାବଲମ୍ବୀ ହୋଇ ଦେଶମାତୃକାର ସେବାରେ ନିଜକୁ ବିନିଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର, ଆଇଡିଏ ସଭାପତି କିଶୋର ଚନ୍ଦ୍ର ସାହୁ, ସମାଜସେବୀ ରିଆମଣୀ ମହାନ୍ତ ଓ ଯୁବ ସମାଜସେବୀ ଅନୁସ୍ମୀତା ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଆଇଡିଏ ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ସେବତୀ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଚନ୍ଦ୍ରକାନ୍ତ ବରାଳ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories