www.samajalive.in
Saturday, December 6, 2025
26.1 C
Bhubaneswar

ନନ୍ଦନକାନନର ଆକର୍ଷଣ ହୁଲକ୍ ଗିବନ

ନନ୍ଦନକାନନ: ଭାରତର ଏକମାତ୍ର ବଣମଣିଷ ପ୍ରଜାତି ହୁଲକ୍ ଗିବନ ଏବେ ନନ୍ଦନକାନନ ପ୍ରାଣୀଉଦ୍ୟାନର ମୁଖ୍ୟ ଆକର୍ଷଣ ପାଲଟିଛି। ବିପଦସଙ୍କୁଳ ଏହି ପ୍ରଜାତିର ଦୁଇ ହଳ ଗିବନଙ୍କୁ ଦେଖିବା ପାଇଁ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ଦେଶ ବିଦେଶରେ ବିଭିନ୍ନ ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ନିଜର ସ୍ବତନ୍ତ୍ର ପରିଚୟ ରଖିଛି। ଏଠାରେ ଭିନ୍ନଭିନ୍ନ ପ୍ରଜାତିର ଜୀବଜନ୍ତୁ ଓ ପକ୍ଷୀମାନଙ୍କୁ ଦେଖିବାକୁ ମିଳିଥାଏ। ଏବେ ହୁଲକ୍ ଗିବନ ଆକର୍ଷଣର ମାଧ୍ୟମ ପାଲଟିଛି। ପ୍ରାଣୀଉଦ୍ୟାନ ଟିକଟ ଯାଞ୍ଚ ମୁଖ୍ୟଫାଟକ ଅତିକ୍ରମ କରି ସିଧା ରାସ୍ତାରେ ଗଲେ ଡାହାଣପଟେ ପଡେ ମାର୍ମୋସେଟ ମାଙ୍କଡ ଖୁଆଡ। ଏହି ଖୁଆଡ ପାଖରେ ରହିଛି ଖୁଆଡ ନମ୍ବର ୫୯ (କ ଓ ଖ)। ଖୁଆଡ ମଧ୍ୟରେ ରହୁଛନ୍ତି ଦୁଇ ହଳ ହୁଲକ୍ ଗିବନ।

https://samajalive.in/teacher-transfer-portal/509370.html

- Advertisement -

ଖୁବ ବିଚକ୍ଷଣ ଏହି ବଣମଣିଷ ପ୍ରଜାତି ପର୍ଯ୍ୟଟକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଥାଏ। ହୁଲକ୍ ଗିବନ ଉତ୍ତର-ପୂର୍ବ ଭାରତ, ବାଂଲାଦେଶ ଓ ମିଆଁମାରରେ ଦେଖାଯାଆନ୍ତି। ଏମାନଙ୍କ ସଂଖ୍ୟା ଏବେ ପାଖାପାଖି ୧୨,୦୦୦ ହେବ। ଖୁବ୍ ଚଳଚଞ୍ଚଳ ଓ କୌତୁକିଆ। ବୃକ୍ଷ ଶିଖରରେ ବାସ କରିଥାନ୍ତି। ଧଳାରଙ୍ଗର ଭ୍ରୁଲତା ଏମାନଙ୍କୁ ଅନ୍ୟ ପ୍ରଜାତିଠାରୁ ପୃଥକ କରିଥାଏ। ଗଛରୁ ପତ୍ର ଓ ଫଳ ଖାଇ ବଞ୍ଚିଥାନ୍ତି। ବୃକ୍ଷ ଶିଖରରେ ଦୋଳି ଖେଳିଥାନ୍ତି। କିନ୍ତୁ ବାସସ୍ଥାନ ଅବକ୍ଷୟ ଓ ଶିକାର ଯୋଗୁଁ ଏମାନେ ଏବେ ବିପଦରେ। କେନ୍ଦ୍ର ସରକାରଙ୍କ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ, ୧୯୭୨ର ଅନୁସୂଚୀ-୧ ଅଧୀନରେ ଏମାନଙ୍କୁ ସଂରକ୍ଷିତ କରାଯାଇଛି। ଲମ୍ବା ଓ ସରୁ ହାତ ସାହାଯ୍ୟରେ ଗଛର ଡାଳ ଧରି ଚମତ୍କାର ଭାବରେ ଗତି କରିପାରନ୍ତି ହୁଲକ୍ ଗିବନ,ଯାହାକୁ ବାହୁଗମଳ କୁହାଯାଏ ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ୍ କୁମାର ନାରାୟଣ କହିଛନ୍ତି। ହୁଲକ୍ ଗିବନ ଦିବାଚର ଅଟନ୍ତି। ଆର୍ଦ୍ରତା ଓ ଅତ୍ୟଧିକ ଉତ୍ତାପ ସହିତ ମୁକାବିଲା କରିବା ପାଇଁ ଏକ କମଳା ରଙ୍ଗର ତରଳ ପଦାର୍ଥକୁ ଶରୀରରେ ଛାଡିଥାନ୍ତି। ମାଈଅଣ୍ଡିରା ହୁଲକ୍ ଗିବନ ମିଳିତ ଭାବରେ ଯୁଗଳ ସ୍ବରରେ ଡାକ ଦେଇ ଧ୍ବନି ମାଧ୍ୟମରେ ସେମାନଙ୍କ ଅଞ୍ଚଳକୁ ଚିହ୍ନିତ କରିଥାନ୍ତି।

ହୁଲକ୍ ଗିବନ ଜୀବନ ସାରା କେବଳ ଗୋଟିଏ ମାଈ ସାଙ୍ଗରେ ରହିଥାନ୍ତି। ମାଈ ଗିବନର ଗର୍ଭଧାରଣ ସମୟ ୧୮୪-୧୯୩ ଦିନ ଓ ଅନ୍ତଃଜନ୍ମ ବ୍ୟବଧାନ ୨.୧ରୁ ୪ବର୍ଷ। ଅପ୍ରାପ୍ତ ବୟସ୍କ ମାଈ ହୁଲକ୍ ଗିବନର ରଙ୍ଗ ଧୂସର ଓ ପ୍ରାପ୍ତ ବୟସ୍କ ହେଲେ ବାଦାମୀ ହୋଇଥାନ୍ତି। ସେହିପରି ପ୍ରାପ୍ତ ବୟସ୍କ ଅଣ୍ଡିରା ଓ ଅପ୍ରାପ୍ତ ବୟସରେ ଉଭୟ ମାଈ ଓ ଅଣ୍ଡିରା କଳାରଙ୍ଗର ଦେହ ଓ ଧଳା ଭ୍ରୁଲତା ବିଶିଷ୍ଟ ହୋଇଥାନ୍ତି। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଗତ ଜୁଲାଇ ୨୫ରେ ଅରୁଣାଞ୍ଚଳ ପ୍ରଦେଶର ଇଟାନଗର ଚିଡିଆଖାନାରୁ ହଳେ ହୁଲକ୍ ଗିବନ ନନ୍ଦନକାନନ ଆସିଥିଲା। ପ୍ରତିବଦଳରେ ନନ୍ଦନକାନନରୁ ହଳେ ବାଘ (ସୋହିନୀ ଓ ରକି) ଓ ୩ ଘଡିଆଳ କୁମ୍ଭୀର ଦିଆଯାଇଥିଲା। ସେହିପରି ଗତ ସେପ୍ଟେମ୍ବର ୮ତାରିଖରେ ମିଜୋରାମର ଆଇଜଲ୍ ଚିଡିଆଖାନାରୁ ଗୋଟିଏ ଗିବନ ନନ୍ଦନକାନନ ଆସିଥିଲା। ପ୍ରତିବଦଳରେ ଏଠାରୁ ହଳେ ସାଧାରଣର ବାଘ କୁନ୍ଦନ ଓ ମାଈ ବାଘୁଣୀ ଆଦ୍ୟାଶା ଆଇଜଲ୍ ଚିଡିଆଖାନାକୁ ଦେବାକୁ ପଡ଼ିଥିଲା। ଆଗକୁ ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବା ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତି ଚାଲିଥିବାବେଳେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିରଳ ପ୍ରଜାତିର ଜୀବଜନ୍ତୁ ଆଣାଯିବ ବୋଲି ଉପନିର୍ଦେଶକ ସନଥ୍ ନାରାୟଣ କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories