ଡେସ୍କ: ସାବତ ମା’ ଓ ବାପାର ମାଡ଼ରେ ଗୁରୁତର ହୋଇଥିବା ନାବାଳକ ପୁଅ ଓ ନାବାଳିକା ଝିଅର ମା’ଙ୍କ ଏତଲା ଓ ଡାକ୍ତରୀ ରିପୋର୍ଟ ଆଧାରରେ ଆଠଗଡ଼ ପୁଲିସ ଉଭୟ ସାବତ ମା’ ଓ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଉଭୟଙ୍କ ନାମରେ ୩୦୭, ୨୯୪, ୩୨୩, ୩୨୫, ୫୦୬ ଓ ୩୪ ଧାରାରେ ମାମଲା ରୁଜ୍ଜୁ କରିଛି। ଏହି ଘଟଣାରେ ମାଡ ଖାଇଥିବା ଝିଅକୁ ଅଧିକ ଚିକିତ୍ସା ପାଇଁ ଆଜି କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩୦ରେ ଆଠଗଡରେ ସାବତ ମା’ର ଆକ୍ରମଣର ଶିକାର ହୋଇ ପୁଅ ଓ ଝିଅ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଅ, ଝିଅଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପୁଲିସ ଖବର ପାଇବା ପରେ ସାବତ ମାଆକୁ ଥାନାରେ ଅଟକ ରଖିଥିଲା।
ବାଙ୍କୀ ଥାନା ଅଧିନ ପାଥପୁର ଅଞ୍ଚଳର ଶଙ୍କର୍ଷଣ ନନ୍ଦଙ୍କ ପୁଅ ସୁନିଲ କୁମାର ନନ୍ଦ ଆଜକୁ ପ୍ରାୟ ୧୪ ବର୍ଷ ତଳେ ଖୋର୍ଦ୍ଧାର ତ୍ରିଭୁବନ ନନ୍ଦଙ୍କ ଝିଅ ସୁହାସିନୀଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ସ୍ତ୍ରୀ ପଟରୁ ପୁଅ ଓ ଝିଅ ରହିଛି। କୌଣସି କାରଣରୁ ତାଙ୍କର ପ୍ରଥମ ବିବାହ ବିଚ୍ଛେଦ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ସୁନିଲ ଦ୍ୱିତୀୟ ବିବାହ କରିଥିଲେ। ୪ ବର୍ଷ ପୂର୍ବରୁ ଯାଜପୁରର ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ଝିଅ ପୁଷ୍ପଲତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀ ପଟୁ ତାଙ୍କର ୨ ବର୍ଷର ଗୋଟିଏ ଝିଅ ଅଛି। ଦ୍ୱିତୀୟ ପତ୍ନୀ ଏବଂ ପୁଅ, ଝିଅଙ୍କୁ ଧରି ସୁନିଲ ଆଠଗଡ ଷୋଳଘରିଆ ନିକଟରେ କିଛି ଦିନ ହେବ ଭଡା ଘର ନେଇ ରହୁଛନ୍ତି। ସୁନିଲ ଗାଡି ଚାଳକ ଭାବେ କାମ କରନ୍ତି। ସୋମବାର ସେ ବୋଲେରୋ ଗାଡ଼ିର ମରାମତି ପାଇଁ ଯାଇଥିବା ବେଳେ ସୁନିଲଙ୍କ ଦ୍ୱିତୀୟ ପତ୍ନୀ ତାଙ୍କ ସାବତ ପୁଅ, ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ। ବେଲଣା କାଠି, ଲୁହା ଖଡିକା, ଶଣ୍ଢୁଆଶି ଦ୍ବାରା ପୁଅ ସୌରଭ ନନ୍ଦ(୧୩) , ଝିଅ ସୌମ୍ୟାଶ୍ରୀ ନନ୍ଦ (୧୦)ଙ୍କୁ ଆକ୍ରମଣ କରିଥିଲେ। ସେମାନେ ଆକ୍ରମଣରେ ଗୁରୁତର ହୋଇ ପଡିଥିବା ବେଳେ ସାହିପଡିଶା ଲୋକମାନେ ତାଙ୍କୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ।



