www.samajalive.in
Monday, December 8, 2025
13.1 C
Bhubaneswar

ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା’ଉତ୍ତରାୟଣୀ

ପିପିଲି: ପୁରୀ ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ସାତଶଙ୍ଖସ୍ଥିତ ମା’ଉତ୍ତରାୟଣୀଙ୍କ ପୀଠରେ ଶାରଦୀୟ ପୂଜା ଉତ୍ସବ ସମସ୍ତ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେଉଛି। ବୁଧବାର ଠାକୁରାଣୀ ଅନ୍ନପୂର୍ଣ୍ଣା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରତ୍ୟହ ପରମ ବୈଷ୍ଣବୀ ଠାକୁରାଣୀ ମା’ଉତ୍ତରାୟଣୀଙ୍କ ଦର୍ଶନ କରିବା ସହ ଠାକୁରାଣୀଙ୍କ ପାଖରେ ମାନସିକ କରୁଥିବା ସୂଚନା ମିଳିଛି।

ପିପିଲି ବ୍ଲକର ଯଶୁଆପୁର ପଞ୍ଚାୟତ ଅନ୍ତର୍ଗତ ସାତଶଙ୍ଖସ୍ଥିତ ସୁବଳପୁର ମୌଜାରେ ଅବସ୍ଥିତ ମା’ଉତ୍ତରାୟଣୀ ଏକ ବଡ ମାଟି ହାଣ୍ଡି ମଧ୍ୟରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି। ପୁରୀର ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମଦେବଙ୍କ ରାଜତ୍ୱ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ଉତ୍ତର ଦିଗରେ ଠାକୁରାଣୀ ଆବିର୍ଭାବ ହୋଇଥିବାରୁ ମା’ଉତ୍ତରାୟଣୀ ରୂପରେ ବିଦିତ ହୋଇଥିବା ଜନଶୃତିରେ ଜଣାଯାଏ। ଜବନମାନଙ୍କ ଆକ୍ରମଣରୁ ଦେବୀଙ୍କୁ ରକ୍ଷା କରିବା ପାଇଁ ରାଜା ଏକ ବଡ ମାଟି ହାଣ୍ଡିରେ ଉତ୍ତରାୟଣୀଙ୍କୁ ଘୋଡାଇ ରଖିଥିବା ଯୋଗୁଁ ସେହିଦିନଠାରୁ ଠାକୁରାଣୀ ଉକ୍ତ ମାଟି ହାଣ୍ଡି ମଧ୍ୟରେ ପୂଜା ପାଇ ଆସୁଛନ୍ତି ମା’। ଏହି ପୀଠରେ ପ୍ରତ୍ୟହ ସକାଳ ୬ଟାରେ ଦ୍ୱାରଫିଟା ନୀତି କରାଯିବା ପରେ ବାଳଭୋଗ କରାଯାଇଥାଏ। ଦ୍ୱିପ୍ରହର ଖେଚୁଡି ଭୋଗରେ ଭାତ, ଡାଲି, ଖିରୀ ଓ ଖଟା ଆଦି ଭୋଗ କରାଯାଉଥିବା ବେଳେ ଅପରାହ୍ନରେ ମା’ଙ୍କ ପ୍ରିୟ ଅଲଣା ବିରି ଜାଉ ଭୋଗ କରାଯାଏ। ଏକ ସ୍ୱତନ୍ତ୍ର ପ୍ରଣାଳୀରେ ଏହି ଅଲଣା ବିରି ଜାଉ ଭୋଗ ପ୍ରସ୍ତୁତ କରାଯାଇଥାଏ, ଯେଉଁଥିରେ ଆଦୌ ଲୁଣ ବ୍ୟବହାର କରାଯାଇନଥାଏ। ଅରୁଆ ଚାଉଳ, ଗୋଟା ବିରି, ନଡିଆ, କ୍ଷୀର, ଚିନି, କାଜୁ, ଖିସମିସ୍‌‌, ଗୁଜୁରାତି, କର୍ପୂର ଓ ତେଜପତ୍ରରେ ପ୍ରସ୍ତୁତ ଏହି ଅଲଣା ଜାଉ ମା’ଙ୍କର ଅତି ପ୍ରିୟ ଓ ପ୍ରସିଦ୍ଧ ଭୋଗ। ମା’ଉତ୍ତରାୟଣୀଙ୍କ ପାର୍ଶ୍ବ ଦେବୀ ଭାବେ ବନଦୁର୍ଗା ଓ କନକ ଦୁର୍ଗା ପୂଜା ପାଉଥିବା ବେଳେ ତାଙ୍କ ନିକଟରେ ୧୯୯୬ ମସିହାରୁ ବଳି ପ୍ରଥା ବନ୍ଦ ହୋଇଯିବା ପରେ ଏବେ ମାଛ ବଳି ଦିଆଯାଉଥିବା ବେଳେ ପୋଡା ମାଛ ଭୋଗ କରାଯାଉଛି। ବୁଧବାର ଦିନ ମା’ଉତ୍ତରାୟଣୀ ଭକ୍ତମାନଙ୍କୁ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଇଥିବା ବେଳେ ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁ ଓ ମାନସୀକଧାରୀ ଭକ୍ତଙ୍କ ମଧ୍ୟରେ ବେଶ୍‌‌ ଆଗ୍ରହ ପରିଲକ୍ଷିତ ହୋଇଥିଲା। ସେହିପରି ଗୁରୁବାର ଦିନ ମଙ୍ଗଳା ବେଶ, ଅଷ୍ଟମୀରେ କାତ୍ୟାୟନୀ ବେଶ, ନବମୀରେ କାଳରାତ୍ରି ବେଶ ଓ ଦଶମୀରେ ମହାଗୌରୀ ବେଶରେ ମା’ଉତ୍ତରାୟଣୀ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିରର ପୂଜକ ବିଚିତ୍ର କୁମାର ପାଢ଼ୀ ସୂଚନା ଦେଇଛନ୍ତି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories