www.samajalive.in
Saturday, December 6, 2025
16.1 C
Bhubaneswar

ଅନେଶତ ରାଣୀର ରାଜା…ଖୋକା ଭାଇ

“ରକ୍ତ ଗୋଲାପ ରୂପ ନେଇ ଫୁଟେ ତୁମ ଅଙ୍ଗନେ ମୁହିଁ
ସଞ୍ଜ ଆଗରୁ ଚାହିଁ ଦେବ ଥରେ ନ ଛୁଇଁଲେ ପଛେ ନାହିଁ II୦II

ମୁଁ ଅତି ଅଝଟ ଟିକିଏ ଦୁଃଖରେ ଲୁହ ମୋ ଆସୁଛି ବହି
ମନ ବୁଝିବାକୁ ‘ହଁ’ କରି ଦେଇ କରି ପାର ପଛେ ‘ନାହିଁ’ II୧II

- Advertisement -

ସୁଖ ତ ଆସୁଛି ଫଗୁଣର ପରି ବଇସାଖୀ ସାଥେ ନେଇ
ଯେମିତି ମୋହର ପ୍ରିୟା କରିଥାଏ ‘ହଁ’ ପଛେ ପଛେ ‘ନାହିଁ’ II୨II

ଭାଗ୍ୟର ସାଥେ ପଶା ମୁଁ ଖେଳୁଛି ଗୁଇଁଆ ମୋ କିଛି ନାହିଁ
ଏ ପରାଜୟରେ ଗୌରବ ଅଛି ନ ଜିତିଲେ ପଛେ ନାହିଁ II୩II

ହୁଏତ ତୁମର କଥାର ମହତ କିଛି ଅଛି କିଛି ନାହିଁ
‘ଅକ୍ଷୟ’ ହେଲେ କହେ ନାହିଁ କେବେ ଆଗେ ‘ହଁ’ ପଛେ ‘ନାହିଁ’ II୪II

ଡେସ୍କ: ଓଡ଼ିଆ ସଙ୍ଗୀତ ଇତିହାସର ମଉଡମଣୀ ଏବଂ ଓଡ଼ିଆ ସଙ୍ଗୀତର ପ୍ରତିଟି ଭାବ ଓ ଶୈଳୀକୁ ଘରେ ଘରେ ପରିଚିତ କରାଇଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ଅକ୍ଷୟ ମହାନ୍ତି ଯିଏ ଖୋକା ଭାଇ ନାଁରେ ପରିଚିତ, ଆଜି ତାଙ୍କର ଜନ୍ମଦିନ। ଗାୟକ ଭାବରେ ସମସ୍ତଙ୍କ ପାଖରେ ପରିଚିତ ଅକ୍ଷୟ ଥିଲେ ଏକଧାରାରେ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ, ସ୍ୱର ସଂଯୋଜକ ଏବଂ ସାହିତ୍ୟିକ। ଓଡ଼ିଆ ଜନ ମାନସରେ ସେ ଅନେକ ନାଁ ଓ ଅନେକ ଭୂମିକାରେ ପରିଚିତ ଥିଲେ। କେବେ ଆର୍ଯ୍ୟ ଦାଶ ତ କେବେ ଅନେଶତ ରାଣୀର ରାଜା।

୧୯୩୬ ମସିହା ଅକ୍ଟୋବର ୧୨ ତାରିଖରେ ପିତା ବିଚିତ୍ରାନନ୍ଦ ମହାନ୍ତି ଏବଂ ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିବା ଅକ୍ଷୟ ମାତ୍ର ୨୨ ବର୍ଷ ବୟସରେ ୧୯୫୬ ମସିହାରେ ସରକାରୀ ଚାକିରୀରେ ଯୋଗ ଦେଇଥିଲେ ମଧ୍ୟ ସାତ ବର୍ଷ ପରେ ୧୯୬୩ରେ ଚାକିରିରୁ ଇସ୍ତଫା ଦେଇଥିଲେ। ୧୯୫୬ରେ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ୧୯୫୯ରେ ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଭାବେ ତାଙ୍କୁ ମିଳିଥିଲା ଅନେକ ସଫଳତା।

୧୯୫୯ରେ ଅକ୍ଷୟ ଓଡ଼ିଆ ଚଳଚ୍ଚିତ୍ର ‘ମା’ରେ ଗାଇଥିଲେ ପ୍ରଥମ ଗୀତ। ସେଇ ପ୍ରଥମ ଗୀତ ‘ଗୋରୀ ଗୋରୀ ଗୋରୀ…’ ବହୁତ ଲୋକପ୍ରିୟତା ହାସଲ କରିଥିଲା। ସେ ୧୨୯ଟି ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିବା ସହ ୭୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ନିତାଇ ପାଲିତ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମଲାଜହ୍ନ’ରେ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ରକତ ଟଳମଳ’ ଗୀତ ସୁପରହିଟ ହୋଇଥିଲା।

ସେ ଗାଇଥିବା ଲୋକପ୍ରିୟ ଗୀତଗୁଡିକ ମଧ୍ୟରେ ଉଡି ଉଡି ଉଡି, ଢେଉ ଢେଉକା ପାହାଡ଼ ତଳେ, ନଦୀ ଫେରେ ସାଗରକୁ, ଦୁନିଆଁ ଜାଣେ ତ ସାଗର ବୁକୁରେ, କିଛି ଲୁହ ପୋଛା ହୁଏ, ନିଶି ବିଜନେ ମୁଁ ଭାବେ ମନେ ଅନ୍ୟତମ। ସେ କେବଳ ଯେ ୯୨ଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ ତାହା ନୁହେଁ, ସେ ଆଧୁନିକ, ଚମ୍ପୁ, ଓଡିଶୀ, ଲଘୁ ସଙ୍ଗୀତ ଓ ଗଜଲ ଭଳି ୧୫ ହଜାରରୁ ଅଧିକ ଗୀତ ରଚନା କରିଛନ୍ତି। ସ୍ମୃତି ତୁମେ ଶ୍ରାବଣ ରାତି, ହେ ଫଗୁଣ ତୁମେ, ପୁଣ୍ୟର ନଦୀ ତୀରେ ଭଳି ଅନେକ ଆଧୁନିକ ଗୀତ ଗାଇଥିବା ଅକ୍ଷୟ ଓଡ଼ିଆ ଆଧୁନିକ ସଂଗୀତରେ ଆରମ୍ଭ କରିଥିଲେ ନୂଆ ଯୁଗ।

ସେ କଣ ଥିଲେ ହୁଏତ ଗୋଟିଏ ଶବ୍ଦ କି ଗୋଟିଏ ବାକ୍ୟରେ କହିବା ସହଜ ନୁହେଁ। ସେ ଥିଲେ ‘ଆର୍ଯ୍ୟ ଦାଶର ଆତ୍ମଲିପି’ର ଆର୍ଯ୍ୟ, ‘ମଧୁଶାଳା’ର ଅତିଥି, ‘ଅଫେରା ନଦୀ କୂଳ’ର ଅପେକ୍ଷାରତ ପ୍ରେମିକ, ‘ନଗ୍ନ ମୋନାଲିସା’ର ଜୀବନ ଦୀପ ଓ ‘ଅନେଶତ ରାଣୀ’ର ରଜା….ଅକ୍ଷୟ ମହାନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories