ଭାରତ-ନେପାଳ ମୁକାବିଲା ଆଜି

ପାଲ୍ଲେକେଲେ : ଚଳିତ ଏସିଆ କପ୍‌ର ଲିଗ୍ ପର୍ଯ୍ୟାୟରେ ସମସ୍ତ କ୍ରିକେଟ୍‌ପ୍ରେମୀଙ୍କ ନଜର ଥିଲା ଭାରତ-ପାକିସ୍ତାନ ମୁକାବିଲା ଉପରେ। କାରଣ ଗ୍ରୁପ୍‌ ‘ଏ’ରୁ କେଉଁ ୨ଟି ଦଳ ସୁପର-୪ରେ ପହଞ୍ଚିବେ; ତାହା ଆଗରୁ ଜଣାଥିଲା। ତେବେ ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମୁକାବିଲାର ଫଳାଫଳ ବାହାରି ପାରିନାହିଁ। ସୋମବାର କ୍ରିକେଟ୍‌ ଜଗତର ଶିଶୁ ପଡ଼ୋଶୀ ନେପାଳ ବିପକ୍ଷରେ ଭାରତ ୨ୟ ଲିଗ୍‌ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ଅପେକ୍ଷା କ୍ରିକେଟ୍‌ପ୍ରେମୀ ଭାରତ-ପାକିସ୍ତାନ ସୁପର-୪ ମ୍ୟାଚ୍‌ କଥା ଏବେଠାରୁ ଆରମ୍ଭ କରିଦେଲେଣି। ତଥାପି ଔପଚାରିକତା ପୂରଣ ପାଇଁ ନେପାଳ ବିପକ୍ଷରେ ଭାରତ ଖେଳିବ। ଉଦ୍‌ଘାଟନୀ ମ୍ୟାଚ୍‌ରେ ନେପାଳକୁ ୨୩୮ ରନ୍‌ରେ ପରାସ୍ତ କରିଥିଲା ପାକିସ୍ତାନ। ଭାରତ ବିପକ୍ଷ ବାତିଲ ମ୍ୟାଚ୍‌ରୁ ୧ ପଏଣ୍ଟ ପାଇ ପାକିସ୍ତାନ ସୁପର-୪ରେ ପହଞ୍ଚି ସାରିଛି। ନେପାଳକୁ ହରାଇଲେ ଭାରତ ସୁପର-୪ରେ ପହଞ୍ଚିବ। ଏହି ମ୍ୟାଚ୍‌ ଯଦି ବର୍ଷା ଯୋଗୁଁ ବାତିଲ ହୁଏ; ତଥାପି ୧ ପଏଣ୍ଟ ପାଇଥିବା ଭାରତ ସୁପର-୪ରେ ପହଞ୍ଚିବ।
ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ନେପାଳ ପ୍ରଥମଥର ଏସିଆ କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ହେଲେ ଅଦ୍ୟାବଧି ଭାରତ ବିପକ୍ଷରେ ଏହା ମ୍ୟାଚ୍‌ ଖେଳିନାହିଁ। ଭାରତକୁ ହରାଇବା ନେପାଳ ପାଇଁ କଷ୍ଟକର ନିଶ୍ଚୟ। ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରି ଏକତରଫା ଭାବେ ନ ହାରି ଲଢ଼େଇ କରିପାରିଲେ ଖୁସିମନରେ ସ୍ବଦେଶ ଫେରିବ। ପାକିସ୍ତାନ ବିପକ୍ଷରେ ନେପାଳ ୨୫ ରନ୍‌ରେ ୨ଟି ଏବଂ ୧୨୪ ରନ୍‌ରେ ୪ଟି ୱିକେଟ ନେଇ ପାରିଥିଲା। ହେଲେ ବାବର ଆଜମ୍‌ ଓ ଇଫ୍‌ତିକାର ଅହମ୍ମଦଙ୍କ ଶତକ ନେପାଳକୁ ମୁକାବିଲାରୁ ବାହାର କରି ପାରିଥିଲା। ନେପାଳକୁ ସବୁଠାରୁ ଅଧିକ ନିରାଶ କରିଥିଲେ ଏହାର ବ୍ୟାଟ୍‌ସମ୍ୟାନ୍। ମାତ୍ର ୩ ଜଣ ଦୁଇଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିଥିଲେ ହେଁ ନେପାଳ ବହୁକଷ୍ଟରେ ଶହେ ରନ୍ ପାର କରି ପାରିଥିଲା। ଭାରତ ବିପକ୍ଷରେ ଏହା ଉନ୍ନତ ବ୍ୟାଟିଂ କରିବାକୁ ନିଶ୍ଚୟ ଚାହିଁବ। ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷରେ ଭାରତର ଉପର ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଈଶାନ୍ କିଷନ୍ ଓ ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ଯୋଗୁଁ ଏହା ୨୬୬ ରନ୍‌ରେ ପହଞ୍ଚି ପାରିଥିଲା। ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ୍ ହେବା ସତ୍ତ୍ବେ କିଷନ୍ ଯେପରି ପରିସ୍ଥିତି ସହ ଖାପ୍‌ ଖୁଆଇ ଇନିଂସ ଗଢ଼ିଥିଲେ; ତାହା ପ୍ରଶଂସନୀୟ। ସୁପର-୪ ପର୍ଯ୍ୟାୟ ପୂର୍ବରୁ ଭାରତୀୟ ଉପର ଅର୍ଡର ବ୍ୟାଟ୍‌ସମ୍ୟାନ୍ ଭଲ ସ୍କୋର୍ କରିବାକୁ ଚାହିଁବେ। ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଖେଳିପାରେ। ଅବଶ୍ୟ ସାର୍ଦୁଳ ଠାକୁରଙ୍କ ସ୍ଥାନରେ ମହମ୍ମଦ ସାମି ଓହ୍ଲାଇ ପାରନ୍ତି। ଯଶପ୍ରୀତ ବୁମ୍‌ରା କିପରି ୫୦ ଓଭର ଫିଲ୍‌ଡିଂ କରିବା ସହ ୧୦ ଓଭର ବୋଲିଂ କରୁ ପାରୁଛନ୍ତି; ତାହା ଉପରେ ଭାରତର ନଜର ରହିବ। ବ୍ୟାଟ୍‌ସମ୍ୟାନଙ୍କୁ ବ୍ୟାଟିଂ ଅଭ୍ୟାସ ଦେବା ପାଇଁ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ଚାହିଁବ। ନେପାଳ ମଧ୍ୟ ସମାନ ନିଷ୍ପତ୍ତି ନେଇପାରେ। ପେସର କରଣ ଛେତ୍ରୀ ଓ ଯୁବ ଲେଗ୍‌ସ୍ପିନର ସନ୍ଦୀପ ଲାମିଛାନେ ନେପାଳର ପ୍ରମୁଖ ବୋଲର। ଅଧିନାୟକ ରୋହିତ ପୌଡେଲ ଓ ଆରିଫ୍ ଶେଖ୍‌ ଭଲ ବ୍ୟାଟ୍‌ସମ୍ୟାନ୍‌। ତଥାପି ମ୍ୟାଚ୍‌ ଏକତରଫା ହେବାର ଅଧିକ ସମ୍ଭାବନା ରହିଛି। ପିଚ୍‌ରେ ଆରମ୍ଭରୁ ପେସ୍‌ ବୋଲର ଏବଂ ପରେ ସ୍ପିନରଙ୍କୁ ସହୟତା ଦେଇପାରେ। ବ୍ୟାଟିଂ ପାଇଁ ମଧ୍ୟ ଏହା ସହାୟକ ହେବ।

prayash

ପୁଣି ବର୍ଷା ଆଶଙ୍କା
ଭାରତ-ପାକିସ୍ତାନ ମ୍ୟାଚ୍‌ ପରି ଭାରତ-ନେପାଳ ମ୍ୟାଚ୍‌ରେ ମଧ୍ୟ ବର୍ଷାର ଆଶଙ୍କା ରହିଛି। ସୋମବାର ଏହି ମ୍ୟାଚ୍‌ରେ ବର୍ଷାର ୮୦ ପ୍ରତିଶତ ସମ୍ଭାବନା ରହିଛି ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅବଶ୍ୟ ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହେଲେ ମଧ୍ୟ ଭାରତ ସୁପର-୪ ପର୍ଯ୍ୟାୟରେ ପହଞ୍ଚିବ। ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ବୋଲର ଗୋଟିଏ ମଧ୍ୟ ଓଭର ପକାଇ ନଥିବାରୁ ନେପାଳ ବିପକ୍ଷ ମ୍ୟାଚ୍‌ରେ ଭାରତ ତା’ର ବୋଲିଂ ବିଭାଗକୁ ପରଖିବାକୁ ଚାହିଁବ। ଏଥିରେ ବର୍ଷା ବାଧକ ସାଜିପାରେ। ବର୍ଷର ଏହି ସମୟରେ ଶ୍ରୀଲଙ୍କାରେ ବର୍ଷାର ଅଧିକ ସମ୍ଭାବନା ଥିବାରୁ ସେଠାରେ ମ୍ୟାଚ୍‌ ଆୟୋଜନ କରିବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ସମାଲୋଚନା କରିଛି। ପାକିସ୍ତାନ ଗସ୍ତରେ ଯିବାକୁ ଭାରତ ମନା କରିଦେବା ପରେ ଶ୍ରୀଲଙ୍କାରେ ଏସିଆ କପ୍‌ର ୯ଟି ମ୍ୟାଚ୍‌ ଖେଳାଯିବା ନେଇ ଖେଳସୂଚୀ ନିର୍ଦ୍ଧାରଣ ହୋଇଛି।

Comments are closed.