www.samajalive.in
Tuesday, December 9, 2025
16.1 C
Bhubaneswar

ପଞ୍ଜାବରେ ଆତଙ୍କବାଦ

ଶିଖ୍‌ମାନଙ୍କ ପ୍ରମୁଖ ଧାର୍ମିକ ସହର ପଞ୍ଜାବର ଅମୃତସରଠାରୁ ଦଶ କିଲୋମିଟର ଦୂର ଏକ ଗ୍ରାମସ୍ଥିତ ନିରଙ୍କାରୀ ଭବନ ଉପରେ ହୋଇଥିବା ଆକ୍ରମଣ ପଞ୍ଜାବରେ ଆତଙ୍କବାଦର ପ୍ରତ୍ୟାବର୍ତ୍ତନ ବୋଲି କୁହାଯାଉଛି। ପୂର୍ବରୁ ଦୀର୍ଘକାଳ ଧରି ନିରଙ୍କାରୀ-ଶିଖ୍ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଚାଲିଥିବାବେଳେ ଏହା ତା’ର ଏକ ପରିଣତି ହୋଇପାରେ ବୋଲି କୁହାଯାଉଥିବାବେଳେ ଅନେକ ଏହାକୁ କୌଣସି ପାକିସ୍ତାନୀ ଆତଙ୍କବାଦୀ ସଂଗଠନର କୃତ୍ୟ ବୋଲି ସନ୍ଦେହ କରୁଛନ୍ତି। ଏଭଳି ଆଶଙ୍କା କରିବା ମୂଳରେ ରହିଛି, ଅଳ୍ପ ଦିନ ତଳେ ହିଁ ପଞ୍ଜାବରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିପାରନ୍ତି ବୋଲି କୁହାଯାଇଥିଲା ଓ ପଠାନକୋଟରେ ଏକ ଯାନ ଲୁଟିନେବାପରେ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଥିଲା। ଜୈସ୍-ଏ-ମହମ୍ମଦର କମାଣ୍ଡର ଜାକିର ମୁସାକୁ ମଧ୍ୟ ପଞ୍ଜାବରେ ଦେଖାଯାଇଥିବା କୁହାଯାଉଛି। ସେନାମୁଖ୍ୟ ମଧ୍ୟ ଏହା ପୂର୍ବରୁ ପଞ୍ଜାବରେ ଆତଙ୍କବାଦୀଙ୍କ ସକ୍ରିୟତା ସମ୍ପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଯେତିକି ତଥ୍ୟପ୍ରମାଣ ମିଳିଛି, ସେଥିରୁ ଏହା ନିଜ ଲୋକଙ୍କ ଦ୍ବାରା ନୁହେଁ, ବରଂ ଆତଙ୍କବାଦୀଙ୍କ ଦ୍ବାରା ଆକ୍ରମଣ କରାଯାଇଥିବା କ୍ରମଶଃ ସ୍ପଷ୍ଟ ହେଉଛି। ଏଥିରୁ ଜଣାପଡ଼ୁଛି ଯେ ପଞ୍ଜାବରେ ପୁଣିଥରେ ଆତଙ୍କବାଦ ତା’ର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛି।
ଅଶୀ ଦଶକରେ ପଞ୍ଜାବରେ ଆତଙ୍କବାଦ ଯେଉଁ ଧ୍ବଂସଲୀଳା ସୃଷ୍ଟି କରିଥିଲା, ତା’ର କ୍ଷତ ଏବେ ବି ଭରିନାହିଁ। ତେବେ ଆତଙ୍କବାଦୀଙ୍କୁ ସମୂଳ ନିପାତ କରାଯିବା ପରେ ମନେହେଉଥିଲା ଯେ ପଞ୍ଜାବ ଆତଙ୍କମୁକ୍ତ ହୋଇଗଲା; କିନ୍ତୁ ଗତ ଦୁଇବର୍ଷର ଘଟନା ଏହାକୁ ଭୁଲ୍ ପ୍ରମାଣିତ କରିଛି। ୨୦୧୬ ଜାନୁଆରୀରେ ପଠାନକୋଟ ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଠିକ୍ ତା’ର ବର୍ଷେପରେ ୨୦୧୭ ଜାନୁଆରୀରେ ବଠିଣ୍ଡାରେ ଆତଙ୍କବାଦୀଙ୍କ କାର୍‌ବୋମା ବିସ୍ଫୋରଣରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା। ପରେପରେ ଗୁରୁଦାସପୁର ଓ ଜଳନ୍ଧରରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ନିକଟରେ ସ୍ଥଳସେନାଧ୍ୟକ୍ଷ ଓ ଗୁଇନ୍ଦା ବିଭାଗ ରାଜ୍ୟ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ଦେଇଥିଲେ। ଏହି ଘଟନା ପରେ ପଞ୍ଜାବକୁ ପୁଣିଥରେ ଭିନ୍ଧ୍ରେଁୱାଲେ ଯୁଗ ଫେରିବ ନାହିଁ ତ ବୋଲି କେତେକ ଆଶଙ୍କା କରୁଛନ୍ତି। ଅନ୍ୟପକ୍ଷରେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ଘଟନାରେ ଖଲିସ୍ଥାନ ସମର୍ଥକଙ୍କ ହାତ ଥିବା କଥା କହିଛନ୍ତି। ଏପରି ସ୍ଥଳେ କେବଳ ରାଜ୍ୟ ସରକାର ନୁହନ୍ତି, କେନ୍ଦ୍ର ସରକାର, ସେନା, ଗୁଇନ୍ଦା ବିଭାଗ ଆଦି ତତ୍ପର ରହିବା ଜରୁରୀ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories