ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ ନିର୍ମାଣାଧୀନ ପ୍ରାୟ ୩୦ଫୁଟ ଦୈର୍ଘ୍ୟ ବିଶିଷ୍ଟ ଏକ ପାଚେରୀ ଭାଙ୍ଗି ପଡ଼ିଛି। ତ୍ରୁଟିପୂର୍ଣ୍ଣ ନିର୍ମାଣ ଶୈଳୀ ଓ ନିମ୍ନମାନର କାମ ହୋଇଥିବାରୁ ପାଚେରୀ ଭୁସୁଡିଲା ବୋଲି ଅଭିଯୋଗ ହେଉଛି। ଆଠଗଡ଼ରେ ସମସ୍ତ ବିଭାଗରେ ଯେଉଁସବୁ ଉନ୍ନୟନ ବା ନିର୍ମାଣ କାମ ହେଉଛି, ସେଗୁଡିକ ଶାସକ ଦଳର କର୍ମୀ ତୁଷ୍ଟିକରଣ ପାଇଁ ଅନଭିଜ୍ଞ ଦଳୀୟ କର୍ମୀଙ୍କୁ କାମ କରିବାକୁ ଦିଆଯାଉଥିବାରୁ ସବୁ ଜାଗାରେ ନିମ୍ନମାନର କାମ କରାଯାଇ ସରକାରୀ ଅର୍ଥ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଆସୁଛି। ରାଜ୍ୟ ସରକାରଙ୍କ ଭିତ୍ତିଭୂମି ବିକାଶ ପାଣ୍ଠିରୁ ଆଠଗଡ଼ର ଗୋପବନ୍ଧୁ ବିଜ୍ଞାନ କଲେଜ ଚତୁଃପାର୍ଶ୍ବରେ ପ୍ରାୟ ୨କି.ମି. ଦୈର୍ଘ୍ୟ ବିଶିଷ୍ଟ ପାଚେରୀ ନିର୍ମାଣ ପାଇଁ ବ୍ଲକ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିଲା। ବ୍ଲକ କର୍ତ୍ତୃପକ୍ଷ ଧର୍ମକୁ ଆଖିଠାର ମାରିବା ପରି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରା କାମ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ପ୍ରକୃତରେ କ୍ଷେତ୍ରରେ ରାଜନୈତିକ କର୍ମୀ କାମ କରୁଥିବା ଦେଖାଯାଉଛି। ଯେଉଁ ଜାଗାରେ ପାଚେରୀ ଭାଙ୍ଗିଲା ତାହା କଲେଜର ମୁଣ୍ଡିଆ ତଳକୁ ହୋଇଥିବାବେଳେ ସେଠାରେ ବର୍ଷାଜଳ କିପରି ସୁବିଧାରେ ନିଷ୍କାସନ ହୋଇପାରିବ ତାହା ଆଦୈା ବିଚାରକୁ ନିଆଯାଇନାହିଁ। ସେଠାରେ କଲମ ଓ ପିଲର କରି ତଳେ ପାଣି ନିଷ୍କାସନ ପାଇଁ ବାଟଛାଡି ଉପରେ ପାଚେରୀ ନିର୍ମାଣ କରିବା ଆବଶ୍ୟକ ଥିଲା। କିନ୍ତୁ ତାହା କରାଯାଇନାହିଁ କିମ୍ବା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ରଖାଯାଇନଥିବାରୁ ବର୍ଷାଜଳ ନିଷ୍କାସନ ହୋଇନପାରି ପାଚେରୀ ଭାଙ୍ଗିଲା ବୋଲି ଜଣାପଡ଼ିଛି। ପରବର୍ତ୍ତୀ ସମୟରେ କଲେଜର ଅନ୍ୟ ସ୍ଥାନରେ ମଧ୍ୟ ସମାନ ସ୍ଥିତି ରହିଥିବାରୁ ଆହୁରି ପାଚେରୀ ଭାଙ୍ଗିବାର ଆଶଙ୍କାକୁ ଏଡାଇ ଦେଇ ହେବନି। ବ୍ଲକ କର୍ତ୍ତୃପକ୍ଷ ଏ ସବୁକୁ ଦୃଷ୍ଟିରେ ରଖି ସରକାରୀ ଅର୍ଥ କିପରି ବିନର୍ବ୍ୟୟ ନହେବ ଏବଂ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରି ଉଚ୍ଚମାନର କାମ କରିବା ଉପରେ ଧ୍ୟାନ ଦେବାକୁ ଦାବି ହେଉଛି।
Popular Categories



