www.samajalive.in
Thursday, December 11, 2025
14.1 C
Bhubaneswar

୭ ଜିଲାକୁ ପ୍ରବଳ ବର୍ଷା ସତର୍କତା

ଭୁବନେଶ୍ବର : ରବିବାର ସୃଷ୍ଟ ଲଘୁଚାପ କ୍ଷେତ୍ର ସୋମବାର ଦୁର୍ବଳ ହୋଇଛି। ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଛତିଶଗଡ଼ ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଅାଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଆଗାମୀ ୪୮ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହା ଲଘୁଚାପ ରୂପ ନେବ କି ନାହିଁ ତାହା ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ; କିନ୍ତୁ ଏହାର ପ୍ରଭାବରେ ୧୯ରୁ ୨୨ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ବର୍ଷା ହୋଇଛି। ସୁବର୍ଣ୍ଣପୁର ଜିଲା ବିନିକାରେ ସର୍ବାଧିକ ବର୍ଷା ୧୬୫.୨ମି.ମି ରେକର୍ଡ କରାଯାଇଛି। ଧନକୌଡାରେ ୧୫୫, ଯୁଯୁମରା ୧୩୬, ବରଗଡ଼ ୧୨୮.୪, ସମ୍ବଲପୁର ୧୨୭.୮, ଭଟଲି ୧୨୨, ପାଲଲହଡ଼ା ଓ ବିଜେପୁର ୧୦୯ ମି.ମି ବର୍ଷା ହୋଇଛି। ୬ ସ୍ଥାନରେ ଅତି ପ୍ରବଳ ବର୍ଷା ଏବଂ ୧୨ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।
ସୋମବାର ଚାନ୍ଦବାଲିରେ ସବୁଠୁ ଅଧିକ ୫୧.୨ମି.ମି, ବଲାଙ୍ଗୀରରେ ୫୦ମି.ମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବର, ଗୋପାଳପୁର, ପୁରୀ, ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, ସମ୍ବଲପୁର, ଭବାନୀପାଟଣା, କୋରାପୁଟ, ଟିଟିଲାଗଡ଼, ମାଲକାନଗିରି, ସୁବର୍ଣ୍ଣପୁର, ବୌଦ୍ଧ, ରାୟଗଡ଼ା ଏବଂ ନବରଙ୍ଗପୁର ଆଦି ଅଞ୍ଚଳରେ ବର୍ଷା ହୋଇଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆସନ୍ତା ୨୪ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ପୁରୀର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ ୪୮ଘଣ୍ଟାରେ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ହାରାହାରି ୫୦ମି.ମି ବର୍ଷା ହୋଇଛି, ଯାହା ୮% ନିଅଣ୍ଟିଆ ଭରଣ କରିଛି। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବାରୁ ୨୨.୭ ମି.ମି ବର୍ଷା ହୋଇଛି। ଯାହା ସ୍ୱାଭାବିକ ବର୍ଷା ୧୧.୮ମି.ମି ତୁଳନାରେ ୯୨% ଅଧିକ ରହିଛି। ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଜୁଲାଇ ୧୭ ସୁଦ୍ଧା ୩୦୭.୮ ମି.ମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୩୮୨.୮ ମି.ମି ତୁଳନାରେ ୨୦% କମ।
ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି, ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ଜଣାପଡୁନାହିଁ। କିନ୍ତୁ ଭଲ ବର୍ଷା ହେବ। ଆସନ୍ତା ୨୪ କିମ୍ବା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ହେବ। ଲଘୁଚାପ ଦୁର୍ବଳ ହୋଇଥିଲେ ମଧ୍ୟ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories