ଫସଲ ବୀମା ପ୍ରିମିୟମ୍ର କୃଷକଙ୍କ ଅଂଶ ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ବହନ କରିବେ
ଭୁବନେଶ୍ୱର : ୨୦୧୬ ଖରିଫ ଋତୁଠାରୁ ରାଜ୍ୟରେ ଫସଲ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍ବିୱାଇ) କାର୍ଯ୍ୟକାରୀ ହେଉଛି । ପାଣିପାଗର ଅନିଶ୍ଚିତତା କାରଣରୁ ଚାଷୀମାନଙ୍କ ଫସଲ ଉତ୍ପାଦନରେ କ୍ଷତିରୁ ଏହି ଫସଲ ବୀମା ଯୋଜନା ସୁରକ୍ଷା ପ୍ରଦାନ କରିଥାଏ। ଏହି ଫସଲ ବୀମା ଯୋଜନା ଅଧୀନରେ ବିହନ ବୁଣିବାରେ ବାଧା, ଉତ୍ପାଦନର ମଧ୍ୟଭାଗରେ ପ୍ରତିକୂଳ ପରିସ୍ଥିତି ଦେଖାଦେବା, ସ୍ଥାନୀୟ ବିପର୍ଯ୍ୟୟ ଓ ଅମଳ ପରବର୍ତ୍ତୀ କ୍ଷତି ହେତୁ କୃଷକଙ୍କ ଅନ୍ତିମ ଅମଳ କ୍ଷତି ଆଦି ବୀମାଭୁକ୍ତ ହୋଇଥାଏ । ଭାରତ ସରକାରଙ୍କ ଦ୍ୱାରା ପ୍ୟାନେଲଭୁକ୍ତ ବୀମା କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଖୋଲା ବିଡିଂ ପ୍ରକ୍ରିୟା ମାଧ୍ୟମରେ ପ୍ରତି ତିନିବର୍ଷରେ ଥରେ ମନୋନୀତ ବୀମା କମ୍ପାନୀଗୁଡ଼ିକ ଦ୍ୱାରା ଏହି ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହୋଇଥାଏ ।
କୃଷକମାନେ ସାଧାରଣତଃ ଖରିଫ ପାଇଁ ବୀମାଭୁକ୍ତ ରାଶିର ୨ ପ୍ରତିଶତ ଏବଂ ରବି ଫସଲ ପାଇଁ ୧.୫ ପ୍ରତିଶତ (ବାଣିଜ୍ୟିକ ଫସଲ ବ୍ୟତୀତ) ଏବଂ ବାଣିଜ୍ୟିକ ଫସଲ ପାଇଁ ୫ ପ୍ରତିଶତ ପ୍ରିମିୟମ୍ ଦେଇଥାନ୍ତି । ପ୍ରିମିୟମ୍ର ଅବଶିଷ୍ଟ ଅର୍ଥରାଶି ସବ୍ସିଡି ଭାବେ ପ୍ରଦାନ କରାଯାଇଥାଏ ଏବଂ ଏହି ସବ୍ସିଡି ଭାରତ ସରକାର ଓ ରାଜ୍ୟ ସରକାର ସମାନ ଅନୁପାତରେ ଦେଇଥାନ୍ତି ।
ଚଳିତ ବର୍ଷ ଏକ ନୂତନ ବୀମାଚକ୍ର (ଖରିଫ ୨୦୨୩ରୁ ରବି ୨୦୨୫-୨୬ ପର୍ଯ୍ୟନ୍ତ ) ଆରମ୍ଭ ହୋଇଛି । ରାଜ୍ୟ ସରକାର ଏହି ଫସଲ ବୀମା ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ଫସଲ ବୀମାଚକ୍ର ପାଇଁ ଇ-ଟେଣ୍ଡର ମାଧ୍ୟମରେ ଚାରୋଟି ବୀମା କମ୍ପାନୀ ଚୟନ କରାଯାଇଛି । ସେଗୁଡ଼ିକ ହେଉଛି ଏଗ୍ରିକଲ୍ଚରାଲ୍ ଇନ୍ସୁରାନ୍ସ କମ୍ପାନୀ ଅଫ୍ ଇଣ୍ଡିଆ ଲିମିଟେଡ୍, ଏସ୍ବିଆଇ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍, ଫ୍ୟୁଚର ଜେନେରାଲି ଇଣ୍ଡିଆ ଇନ୍ସୁରାନ୍ସ ଲିଃ ଏବଂ ରିଲିଆନ୍ସ ଜିଆଇସି ଲିମିଟେଡ୍ ।
ଏହି ଫସଲ ବୀମା ଯୋଜନା ଅଧିନରେ ପ୍ରାୟ ୧୦ରୁ ୧୨ ଲକ୍ଷ ଚାଷୀମାନଙ୍କ ୧୦ ଲକ୍ଷ ହେକ୍ଟର ପରିମିତ ଚାଷଜମିକୁ ବୀମାଭୁକ୍ତ କରାଯାଉଛି ।
ରାଜ୍ୟର ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ବୀମାଭୁକ୍ତ କୃଷକ ସଂଖ୍ୟା ଏବଂ ଚାଷଜମିର ପରିମାଣ ବୃଦ୍ଧି କରିବା ନିମନ୍ତେ ଓଡ଼ିଶା ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହି ଖରିଫ ଋତୁରୁ ରାଜ୍ୟ ସରକାର ଫସଲ ବୀମା ଯୋଜନା ଅଧିନରେ ବୀମା ପ୍ରିମିୟମ୍ର କୃଷକଙ୍କ ଅଂଶ ନିଜସ୍ୱ ଉତ୍ସରୁ ବହନ କରିବେ। ଏହା ଦ୍ୱାରା ପ୍ରିମିୟମ୍ ଅର୍ଥ ଅଭାବରୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ ନାହିଁ । ଏହି ଯୋଜନା ଅଧିନରେ ରାଜ୍ୟ ସରକାର ନିଜସ୍ୱ ସବ୍ସିଡି ଅଂଶ ସହ ଚାଷୀଙ୍କ ପ୍ରିମିୟମ୍ ଅଂଶ ବହନ କରିବେ । ପ୍ରତ୍ୟେକ ଚାଷୀଙ୍କୁ ୨ ହେକ୍ଟର (୫ ଏକର)
ପର୍ଯ୍ୟନ୍ତ ଚାଷଜମି ଉପରେ ଏହି ସୁବିଧା ମିଳିବ । ଏହା ଦ୍ୱାରା ରାଜ୍ୟର ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇପାରିବେ । ଏହି ସୁବିଧା ପାଇବା ନିମନ୍ତେ ଚାଷୀମାନଙ୍କୁ ଯୋଜନା ଅଧିନରେ ପଂଜୀକରଣ କରିବାକୁ ପଡ଼ିବ ଏବଂ ସେମାନଙ୍କ ବ୍ୟାଙ୍କ ଖାତାକୁ ସଚଳ ଓ କାର୍ଯ୍ୟକ୍ଷମ କରିବା ପାଇଁ ଟୋକନ୍ ମନି ବାବଦରେ ଏକ ଟଙ୍କା ଦେବାକୁ ପଡ଼ିବ । ୨ ହେକ୍ଟରରୁ ଅଧିକ ଚାଷଜମି ଥିବା କୃଷକମାନଙ୍କୁ ୨ ହେକ୍ଟର ବାଦ
ଅନ୍ୟ ଜମି ନିମନ୍ତେ ପ୍ରିମିୟମ୍ ଅଂଶ ଦେବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଏକ ସଂକଳ୍ପନାମା ଜାରି କରାଯାଇଛି ।



