www.samajalive.in
Saturday, December 13, 2025
26.1 C
Bhubaneswar

ସ୍ଥିତି ପରଖିବେ; ଛୁଇଁବେନି ରତ୍ନବାକ୍ସ

ରତ୍ନଭଣ୍ଡାର ଯାଞ୍ଚ କରିବ ୧୦ ଜଣିଆ କମିଟି

ପୁରୀ  : ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କରିବେ ୧୦ଜଣିଆ କମିଟି। ଗୁରୁବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏଥିପାଇଁ ସହମତି ପ୍ରକାଶ ପାଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସେଥିରେ ଅଧ୍ୟକ୍ଷତା କରିଥିଲେ। ରତ୍ନଭଣ୍ଡାର ଖୋଲିବା ନେଇ ପ୍ରାୟ ୨ଘଣ୍ଟା ଧରି ତନାଘନା ଆଲୋଚନା ହୋଇଥିଲା। ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ଦେଉଳ କରଣ, ତଢଉ କରଣ, କୋର୍‍ କମିଟି ସଭ୍ୟ ପ୍ରଫେସର ଗୋପାଳ ଚନ୍ଦ୍ର ମିତ୍ର ଏବଂ ଇଂ ଏନ.ସି ପାଲ, ହାଇକୋର୍ଟଙ୍କ ପକ୍ଷରୁ ଏନ.କେ ମହାନ୍ତି ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ୨ଜଣ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରାଯାଇଛି। କେବେ ରତ୍ନଭଣ୍ଡାର ଖୋଲାଯିବ ସେଥିନେଇ ଦିନ ଓ ସମୟ ଧାର୍ଯ୍ୟ କରାଯାଇ ନାହିଁ। ରତ୍ନଭଣ୍ଡାର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି। ସେଥିରେ ରହିଥିବା ସର୍ତ୍ତ ଅନୁଯାୟୀ କମିଟିର କୌଣସି ସଭ୍ୟ ରତ୍ନଭଣ୍ଡାର ବାକ୍ସ ସ୍ପର୍ଶ କରିପାରିବେ ନାହିଁ। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ କେବଳ ଛାତ, କାନ୍ଥ ଓ ଚଟାଣ ସ୍ଥିତି ଅନୁଧ୍ୟାନ କରାଯିବ। ରତ୍ନଭଣ୍ଡାର ଭିତରେ ପ୍ରବେଶ ପୂର୍ବରୁ ମନୋନୀତ ୧୦ଜଣଙ୍କୁ ମନ୍ଦିର ପ୍ରଶାସନ ନୂତନ ବସ୍ତ୍ର ପ୍ରଦାନ କରିବ। କୌଣସି ଅଳଙ୍କାର ପିନ୍ଧି ସେମାନେ ଭିତରକୁ ଯାଇପାରିବେ ନାହିଁ। ଅତ୍ୟାଧୁନିକ ସ୍କାନର ମାଧ୍ୟମରେ ପ୍ରବେଶ ଓ ପ୍ରସ୍ଥାନ ପୂର୍ବରୁ ସେମାନଙ୍କୁ ଟିକିନିଖି ଭାବେ ଯାଞ୍ଚ କରାଯିବ। ରତ୍ନଭଣ୍ଡାରକୁ ଯିବାପାଇଁ ମନୋନୀତ ଅଫିସର, କର୍ମଚାରୀ ଓ ବିଶେଷଜ୍ଞଙ୍କ ସମ୍ପୂର୍ଣ୍ଣ ନାମ, ଠିକଣା ପୁସ୍ତିକାରେ ଲିପିବଦ୍ଧ କରାଯିବ।
ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ଆବଶ୍ୟକୀୟ ଆଲୋକ ଏବଂ ଅକ୍ସିଜେନ ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି। ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଦୃଶ୍ୟ ଭିଡିଓ ରେକର୍ଡିଂ କରାଯିବା ପ୍ରସ୍ତାବକୁ ନେଇ ବିବାଦ ଦେଖାଦେଇଛି। ଅନୁଧ୍ୟାନ ରିପୋର୍ଟରେ ୧୦ଜଣିଆ କମିଟିଙ୍କ ସମ୍ପୂର୍ଣ୍ଣ ସ୍ୱାକ୍ଷର ରହିବ। ଗୋପନୀୟ ତଥ୍ୟ ସାଧାରଣରେ ସେମାନେ ପ୍ରଘଟ କରିପାରିବେ ନାହିଁ। ଅନୁଧ୍ୟାନ ରିପୋର୍ଟ ଜଉମୁଦ ଲଫାପାରେ ଓଡ଼ିଶା ହାଇକୋର୍ଟରେ ଦାଖଲ କରାଯିବ। ରତ୍ନଭଣ୍ଡାର ଭିତରେ ପ୍ରବେଶ ପୂର୍ବରୁ ଏବଂ ବାହାରିବା ପରେ ଭଣ୍ଡାର ମେକାପଙ୍କ ସମେତ ପୁଲିସ କମିଟି ସଭ୍ୟଙ୍କୁ ଯାଞ୍ଚ କରିବେ। ବାହାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ପ୍ରଶାସକ (ଉନ୍ନୟନ) ବିଶ୍ୱନାଥ ସାହୁ ଏବଂ ପ୍ରଶାସକ (ସୁରକ୍ଷା) ପ୍ରଫୁଲ ଚନ୍ଦ୍ର ମିଶ୍ରଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories