ବିଜେପି ପକ୍ଷରୁ ପିପିଲି-ନିମାପଡ଼ା ରାଜପଥ ଅବରୋଧ

ବିନାୟକପୁର-ଜଗନ୍ନାଥପୁର କେନାଲବନ୍ଧ ରାସ୍ତାର ତୁରନ୍ତ ମରାମତି ସହ ବାଲିବୋଝେଇ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଦାବି

ପିପିଲି: ପିପିଲି ଥାନା ଅନ୍ତର୍ଗତ ଜଗନ୍ନାଥପୁରଠାରୁ ବିନାୟକପୁରକୁ ସଂଯୋଗ କରୁଥିବା କେନାଲବନ୍ଧ ରାସ୍ତାରେ ବାଲିବୋଝେଇ ଟ୍ରକ୍‌‌ ଓ ହାଇୱା ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯିବା ଓ ରାସ୍ତାରେ ହୋଇଥିବା ଖାଲଖମାକୁ ତୁରନ୍ତ ମରାମତି କରିବା ଦାବିରେ ବିଜେପି ପକ୍ଷରୁ ପିପିଲି-ନିମାପଡ଼ା ରାସ୍ତାକୁ ଜଗନ୍ନାଥପୁରଠାରେ ଅବରୋଧ କରାଯାଇଛି। ସୋମବାର ପୂର୍ବାହ୍ନରେ ଅଧଘଣ୍ଟା କାଳ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିବା ବେଳେ ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ଭାର୍ଗବୀ ନଦୀ ପାର୍ଶ୍ବ ଦେଇ ଯାଇଥିବା ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲର ଦକ୍ଷିଣପାର୍ଶ୍ବ ବନ୍ଧ ରାସ୍ତାରେ ୫ଟି ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ଜଗନ୍ନାଥପୁରଠାରୁ ବିନାୟକପୁର ପର୍ଯ୍ୟନ୍ତ ଯାଇଥିବା ଏହି କେନାଲବନ୍ଧ ରାସ୍ତା ଏବେ ଖାଲ ଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଏହାର ମରାମତି ପାଇଁ ବିଭାଗୀୟ ଅର୍ଥ ମଞ୍ଜୁର ହୋଇଅଛି। ତେବେ ବାଲିପାଟଣା ତହସିଲ ଅନ୍ତର୍ଗତ ଭାର୍ଗବୀ ନଦୀର ସୋମଣା ବାଲିଘାଟରୁ ଏବେ ବାଲି ଉତ୍ତୋଳନ କରାଯାଉଛି। ନଦୀର ବାମପାର୍ଶ୍ବ ବନ୍ଧରେ ବାଲିପାଟଣା ତହସିଲ ଅଞ୍ଚଳ ଦେଇ ବାଲିବୋଝେଇ ଗାଡି ଚଳାଚଳକୁ ଉକ୍ତ ଅଞ୍ଚଳବାସୀ ବିରୋଧ କରିବା ପରେ ପିପିଲି ତହସିଲ ଅନ୍ତର୍ଗତ ଗଙ୍ଗାପଡ଼ା ନିକଟରେ ଉକ୍ତ ନଦୀରୁ ବାଲି ଉତ୍ତୋଳନ କରାଯାଉଥିବା ଓ ବହୁ ସଂଖ୍ୟାରେ ବାଲିବୋଝେଇ ଭାରିଯାନ ଗୁଡିକ ଜଗନ୍ନାଥପୁରଠାରୁ ବିନାୟକପୁରକୁ ସଂଯୋଗ କରୁଥିବା ଏହି କେନାଲବନ୍ଧ ରାସ୍ତାରେ ଯାତାୟତ କରୁଛି। ଫଳରେ ଏହି କେନାଲ ବନ୍ଧ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହେବା ସହ ଅତି ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାରେ ଲକ୍ଷ୍ମୀନାରାୟଣପୁର, ଗୋବିନ୍ଦପୁର, ଜଗନ୍ନାଥପୁର, ପୁବା ଆଦି ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ବ ଗ୍ରାମର ଅଧିବାସୀ ମାନେ ନିର୍ଭର କରୁଥିବା ବେଳେ ପିପିଲି, ହରିପୁର ଓ ନିମାପଡ଼ା ଯିବା ପାଇଁ ଏହା ସେମାନଙ୍କ ମୁଖ୍ୟରାସ୍ତା ଅଟେ। ବାଲିବୋଝେଇ ଗାଡି ଯାତାୟତ କରିବା ଫଳରେ ଏହା ଉପରେ ନିର୍ଭର କରୁଥିବା ୧୦ହଜାରୁ ଊର୍ଦ୍ଧ୍ବ ଅଞ୍ଚଳବାସୀଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। କେନାଲବନ୍ଧ ରାସ୍ତାରେ ବଡବଡ ଖାଲଖମା ସୃଷ୍ଟି ହେବା ଫଳରେ ବୟସ୍କଙ୍କଠାରୁ ଆରମ୍ଭ କରି ସ୍କୁଲ, କଲେଜର ଛାତ୍ରଛାତ୍ରୀ, ରୋଗୀ ଓ ଚାଷୀମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ସ୍କୁଲ ଗାଡ଼ି ଓ ଆମ୍ବୁଲାନ୍ସ ଉକ୍ତ ରାସ୍ତାରେ ସହଜରେ ଯାଇପାରୁନାହିଁ। ପ୍ରତ୍ୟେକ ଦିନ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି। ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ସୁଫଳ ନ ମିଳିବାରୁ ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଓ ପୂର୍ବତନ ସରପଞ୍ଚ ଶୁଭାଶିଷ ରଥଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ, ସମର୍ଥକ ଓ ପ୍ରଭାବିତ ହେଉଥିବା ବିଭିନ୍ନ ଗ୍ରାମର ପୁରୁଷ ଓ ମହିଳାମାନେ ପିପିଲି-ନିମାପଡ଼ା ମୁଖ୍ୟରାସ୍ତାକୁ ଜଗନ୍ନାଥପୁରଠାରେ ପୂର୍ବାହ୍ନ ୧୧ଟାଠାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ।

ପିପିଲି ତହସିଲଦାର ପୁନମ ମହାପାତ୍ର ଓ ଥାନାଧିକାରୀ ଅଭିମନ୍ୟୁ ନାୟକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ। ବିନାୟକପୁର-ଜଗନ୍ନାଥପୁର କେନାଲ ବନ୍ଧ ରାସ୍ତାରେ ବାଲିପାଟଣା ତହସିଲ ସୋମଣା ବାଲିଘାଟରୁ ବାଲି ବୋଝେଇ କରି ଆସୁଥିବା ଗାଡ଼ିଗୁଡ଼ିକର ଯାତାୟତକୁ ତୁରନ୍ତ ବନ୍ଦ କରାଯିବା ଓ ଜରୁରୀକାଳୀନ ଭିତ୍ତିରେ ଉକ୍ତ ରାସ୍ତାର ମରାମତି କରାଯିବା ସଂପର୍କରେ ଏକ ଦାବୀପତ୍ର ଆନ୍ଦୋଳନକାରୀଙ୍କ ପକ୍ଷରୁ ପୁରୀ ଜିଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ତେବେ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବଡ ଧରଣର ଜନଆନ୍ଦୋଳନକୁ ବିଜେପି ଓହ୍ଲାଇବ ବୋଲି ଦଳର ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠନେତା ସୁବୋଧ ମହାନ୍ତି, ଶୁଭାଶିଷ ରଥ, ସୁକାନ୍ତ ଦାଶ, ସୁଧୀର ବିଶ୍ୱାଳ, ଅଭୟ ପ୍ରସାଦ ମିଶ୍ର, ଶ୍ୟାମସୁନ୍ଦର ସାହୁ, କୁଶ ବରାଳଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ଥିଲେ।

Comments are closed.