ଘୂର୍ଣ୍ଣିଝଡ଼ ପ୍ରଭାବିତଙ୍କୁ ସହାୟତା ଦାବିରେ ବିଜେପିର ଗଣଧାରଣା

କଲମପୁର: ଗତ ମେ’ ମାସ ୨୬ ତାରିଖ ଦିନ କଲମପୁର ଅଞ୍ଚଳରେ ଦେଖା ଦେଇଥିଲା ଭୟାବହ ଘୂର୍ଣ୍ଣିଝଡ଼। ଯାହାର ପ୍ରଭାବରେ ଉପୁଡ଼ ପଡ଼ିଥିଲା ବଡ ବଡ ଗଛ। ଭାଙ୍ଗି ଧରାଶାୟୀ ହେଇଥିଲା ବିଦ୍ୟୁତ୍‌‌ ଖୁଣ୍ଟ। ଅନେକ ଘର ଉପରେ ଗଛ ଏବଂ ବିଦ୍ୟୁତ୍‌‌ ଖୁଣ୍ଟ ପଡ଼ିଯିବାରୁ ଘର ସବୁ ଭାଙ୍ଗି ଯାଇଥିଲା। କିଛି ଘରର ଆଜବେଷ୍ଟ ଛାତ ଉଡ଼ିଯାଇଥିଲା। ଯେଉଁଥିପାଇଁ କିଛି ପରିବାର ଘର ଶୂନ୍ୟ ହୋଇ କିଏ କାହାର ଓଳି ତଳେ ତ ପୁଣି କିଏ କାହାର ଗୁହାଳ ଘରେ ଆଶ୍ରୟ ନେଇଥିଲେ। ପ୍ରଶାସନ ତରଫରୁ ଘଟଣାର ତିନି ଦିନ ପରେ କିଛି ପ୍ରଭାବିତଙ୍କୁ କେବଳ ପଲିଥିନ ଖଣ୍ଡକ ଦେଇ ନିଜ ନିଜ କର୍ତ୍ତବ୍ୟ ସାରି ଦେଇଥିଲେ। ସାଧାରଣ ଜନତାଙ୍କ ଏଭଳି ଅସମୟରେ କେହି ଲୋକ ପ୍ରତିନିଧି ନିଜର ସୌଜନ୍ୟତାମୂଳକ ଅଂଚଳ ପରିଦର୍ଶନ କଲେ ନାହିଁ, ଯାହା ପରିତାପର ବିଷୟ। ପରବର୍ତ୍ତୀ ସମୟରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ନେତୃତ୍ୱରେ ବିଜେପି ନେତୃବୃନ୍ଦ ଘୂର୍ଣ୍ଣିଝଡ଼ ପ୍ରଭାବିତ ଗାଁ ସବୁ ପରିଦର୍ଶନ କରିବା ସହ ପ୍ରଭାବିତଙ୍କ ସହ ସେମାନଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲେ। ପୁନଃ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ଦାବି କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ। କିନ୍ତୁ ମାସାଧିକ କାଳ ବିତି ସାରିଥିଲେ ମଧ୍ୟ ଅଦ୍ୟାବଧି ଘୂର୍ଣ୍ଣିଝଡ଼ ପ୍ରବାବିତ ପାଇ ନାହାନ୍ତି ସରକାରୀ ସହାୟତା। ତେଣୁ ସୋମବାର କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଲମପୁର ବ୍ଲକ ବିଜେପି ପକ୍ଷରୁ ଘୂର୍ଣ୍ଣିଝଡ଼ ପ୍ରଭାବିତଙ୍କୁ ସରକାରୀ ସହାୟତା ଦାବି ନେଇ ଗଣ ଧାରଣା ଦିଆଯାଇଛି।

prayash

କଲମପୁର ଅଂଚଳରେ ଦେଖା ଦେଇଥିବା ଭୟାବହ ଘୂର୍ଣ୍ଣିଝଡ଼ର ପ୍ରଭାବରେ କଲମପୁର, ବରଗାଁ, ଶାଗବାରୀ, ଘୋଡାବନ୍ଧା, ପାଜେନ, ଗଞ୍ଜେଇଗୁଡ଼ା, ପୋଟେସ ଏବଂ ବରଦୋଳି ଗ୍ରାମର ଲୋକ ପ୍ରଭାବିତ ହେଇଥିଲେ। ୫୦ ଗୋଟି ପରିବାର ଗୃହ ଶୂନ୍ୟ ହୋଇଥିଲେ। ମାସାଧିକ କାଳ ବିତି ସାରିଥିଲେ ମଧ୍ୟ ଏହି କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନାହିଁ। ଗତ ଏକ ମାସ ତଳେ ବିଜେପି ନେତୃବୃନ୍ଦଙ୍କ ସହଯୋଗରେ ଘୂର୍ଣ୍ଣିଝଡ ପ୍ରଭାବିତ ତହସିଲଦାରଙ୍କ ଦ୍ୱାରସ୍ଥ ହେଇଥିଲେ। କିନ୍ତୁ ମାସାଧିକ କାଲ ବିତି ସାରିଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ ତରଫରୁ କୌଣସି ସହାୟତା ଯୋଗାଇ ଦିଆଯାଇ ନାହିଁ। ତେଣୁ ବିଜୟ କୁମାର ପଣ୍ଡା, କମଳ ବାଗ, କ୍ଷିରୋଦ ଚନ୍ଦ୍ର ନାଏକ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ଲକ୍ଷ୍ମୀକାନ୍ତ ବାଗ, ଜନ୍ମେଜୟ ନାଏକ, ହରେକୃଷ୍ଣ ସାହୁ, ସୁଧିର କୁମାର ବାଗ, ସୁଧିର କୁମାର ରାଉତ ପ୍ରମୁଖ ବିଜେପି ନେତୃବୃନ୍ଦଙ୍କ ନେତୃତ୍ୱରେ ଘୂର୍ଣ୍ଣିଝଡ଼ ପ୍ରଭାବିତ ପରିବାର ସ୍ଥାନୀୟ ନିର୍ମାଲ୍ୟ କ୍ଷେତ୍ର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଏହି ଆନ୍ଦୋଳନରେ ସାମିଲ ହୋଇ ଗଣ ଧାରଣାରେ ବସି ରହିଥିଲେ। ଏହାସହ କଲମପୁର ମଣ୍ଡଳ ସଭାପତି କମଳ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ସରକାର ଏବଂ ସେମାନଙ୍କ ପ୍ରତିନିଧି ସାଧାରଣ ଜନତାଙ୍କୁ ହେୟ ମଣୁଥିବା ଅଭିଯୋଗ କରି ନିନ୍ଦା କରିଥିଲେ। ଏହାସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ଆନ୍ଦୋଳନ ଚାଲୁଥିବା ବେଳେ ଅହଂକାରୀ ସରକାରର ଅହଂକାରୀ ପ୍ରଶାସନିକ ଅଧିକାରୀ ଜନ ଶୁଣାଣୀର ବାହାନା କରି କାର୍ଯ୍ୟାଳୟ ଛାଡି ଚାଲିଯିବା ଘଟଣାକୁ ନିନ୍ଦା କରିଥିଲେ। ଆସନ୍ତାକାଲି ତାର ଜବାବ ବିଜେପି ପକ୍ଷରୁ ଦିଆଯିବ। ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବବୋଲି ବିଜେପିର କର୍ମକର୍ତା ପ୍ରକାଶ କରିଛନ୍ତି। ଏନେଇ ତହସିଲଦାର ରୁଦ୍ର ମୋହନ ନାୟକହ୍‌‌କ ସହ ଯୋଗାଯୋଗ କରାଯାଇଥିଲା ଘୂର୍ଣ୍ଣିଝଡ଼ କ୍ଷୟକ୍ଷତି ଆକଳନ କରାଯାଇଛି। ତାର ଏକ ରିପୋର୍ଟ ଜିଲା ପ୍ରଶାସନକୁ ଜଣାଇ ଦିଆଯାଇଛି। ଯାହା ସହାୟତା ଆସିବ ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।

Comments are closed.