ଆଠଗଡ଼: ଆଠଗଡ଼ରୁ ପ୍ରକାଶ ପାଉଥିବା ମାସିକ ସାହିତ୍ୟ ପତ୍ରିକା ଲାବଣ୍ୟବତୀର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଶୁଭଦୀପା କଲ୍ୟାଣ ମଣ୍ଡପରେ ବୁଧବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ପତ୍ରିକା ଲାବଣ୍ୟବତୀର ସଂପାଦକ ଲଲାଟେନ୍ଦୁ ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଧାପତିପୁରସ୍ଥିତ ଶିଳାଧାମ ଆଶ୍ରମାଧିଶ ଯଶୋଦାନନ୍ଦନ ଦାସ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ନିୟମିତ ପୁସ୍ତକ ପଠନ ଦ୍ୱାରା ପ୍ରକୃତ ଜ୍ଞାନବୃଦ୍ଧି ହୋଇଥାଏ ବୋଲି ମତବ୍ୟକ୍ତ କରିବା ସହିତ ବିଭିନ୍ନ ଗ୍ରନ୍ଥ ଓ ଆଧ୍ୟାତ୍ମିକ ରଚନାବଳୀ ପାଠ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ତଥା ସାମ୍ବାଦିକ ସୁବାସ ଚନ୍ଦ୍ର ପାଢ଼ୀ ଯୋଗଦେଇ ଆଠଗଡ଼ ମାଟି ସାରସ୍ୱତ ସାଧକଙ୍କ ଆଦ୍ୟ ସାଧନା ପୀଠ ବୋଲି କହିବା ସହ ଏହି ମାଟିରେ ସାଧନା କରି ବହୁ ସାରସ୍ୱତ ସାଧକ ସାହିତ୍ୟ କ୍ଷେତ୍ରରେ ସିଦ୍ଧି ଲାଭ କରିଛନ୍ତି ବୋଲି ମତପ୍ରକାଶ କରିଥିଲେ। ସାହିତ୍ୟ ପତ୍ରିକା ଲାବଣ୍ୟବତୀ ଓଡିଆ ଭାଷା, ସାହିତ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବେ ଉଦ୍ଭାସିତ ହେବ ବୋଲି ଶ୍ରୀ ପାଢ଼ୀ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଠଗଡ଼ ସାହିତ୍ୟ ସମାଜର ଉପସଭାପତି ତଥା ଆଇନଜୀବୀ ବିଷ୍ଣୁପ୍ରସାଦ ସାହୁ ଯୋଗଦେଇ ଲାବଣ୍ୟବତୀର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରାଣକୃଷ୍ଣ ଦାଶ ଓ ପୁଲିନ ମିଶ୍ରଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟ ସମାଜର ସଭାପତି ସୁରେଶ ଚନ୍ଦ୍ର ପରିଡ଼ା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ତ୍ରିଲୋଚନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କବି ପ୍ରମୋଦ କୁମାର ବିଶୋଇ, ତ୍ରିଲୋଚନ ଦାଶ, ଡାକ୍ତର ଭୁବନାନନ୍ଦ ଦାସ, ସଂକୀର୍ତ୍ତନ ଗୁରୁ ଅଜୟ କୁମାର ଦାସ, କବି ଗାୟତ୍ରୀ ଆଚାର୍ଯ୍ୟ, ସରୋଜ ମହାନ୍ତି, ଦୀପାଳି ଦାଶ, ଅଶୋକ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
Popular Categories



