www.samajalive.in
Saturday, December 13, 2025
26.1 C
Bhubaneswar

ଟଳିଲା ଗୃହଯୁଦ୍ଧ ; ପୁତିନଙ୍କ ପାଇଁ ବଢିଲା ଆହ୍ବାନ

ମସ୍କୋ : ରୁଷ୍‌ରେ ଦେଖାଯାଇଥିବା ସାମୟିକ ଗୃହଯୁଦ୍ଧ ଟଳିଯାଇଛି। ୱାଗନର ଗ୍ରୁପ୍ ପକ୍ଷରୁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବିରୋଧରେ ଆରମ୍ଭ କରାଯାଇଥିବା ଗୃହଯୁଦ୍ଧକୁ ବେଲାରୁଷ୍‌ର ମଧ୍ୟସ୍ଥତାରେ ଏଡାଯାଇଛି। ଗୃହଯୁଦ୍ଧକୁ ଏଡାଯାଇଥିଲେ ମଧ୍ୟ ଏହି ବିଦ୍ରୋହ ଆଗାମୀ ଦିନରେ ପୁତିନଙ୍କ କ୍ଷମତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ୱାଗନର ଗ୍ରୁପ୍‌ ବିଦ୍ରୋହର ଅନ୍ୟତମ କାରଣ ଥିଲା ପୁତିନଙ୍କୁ କ୍ଷମତାରୁ ହଟାଇବା। ୱାଗନର ଗ୍ରୁପ୍‌ର ବ୍ରିଦ୍ରୋହକୁ ଏଡାଇବା ଲାଗି ରୁଷ୍ ସରକାର ଏହା ସହିତ ତରବରିଆ ଭାବେ ବୁଝାମଣା କରିଛନ୍ତି।
ଏହି ବୁଝାମଣା ଅନୁଯାୟୀ ୱାଗ୍‌ନର୍‌ ଗ୍ରୁପ୍‌ ବିଦ୍ରୋହରୁ ଓହରି ଯାଇଥିବାରୁ ସଂଗଠନ ଉପରୁ ସଶସ୍ତ୍ର ବିଦ୍ରୋହ ଅଭିଯୋଗ ଉଠାଇ ନିଆଯିବ ଏବଂ ବିଦ୍ରୋହରେ ଯୋଗ ଦେଇଥିବା ସୈନିକମାନଙ୍କ ବିରୋଧରେ ଆଇନଗତ ବିଚାର କରାଯିବ ନାହିଁ। ଯେଉଁ ସୈନିକମାନେ ବିଦ୍ରୋହରେ ଭାଗ ନେଇ ନ ଥିଲେ ସେମାନଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଠିକା ନିଯୁକ୍ତି ଦିଆଯିବ। ପୁତିନଙ୍କ ଉପରେ ଦେଖାଯାଇଥିବା ସଂକଟକୁ ଟାଳିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଥିବା କ୍ରେମଲିନ ମୁଖପାତ୍ର ଡିମିଟ୍ର ପେସକୋଭ କହିଛନ୍ତି। ବେଲାରୁଷ୍ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେନକୋଙ୍କ ମଧ୍ୟସ୍ଥତାରେ ୱାଗନର ଗ୍ରୁପ୍ ସହିତ ରୁଷ୍ ସରକାରଙ୍କ ଶାନ୍ତି କଥାବାର୍ତ୍ତା ହେବା ପରେ ଏପରି ବୁଝାମଣା ହୋଇଛି। ବୁଝାମଣା ପରେ ମସ୍କୋ ଅଭି‌ମୁଖେ ଯାତ୍ରା କରିବାକୁ ଆଦେଶ ପାଇଥିବା ୱାଗନର ସୈନିକମାନଙ୍କୁ ଯାତ୍ରା ସ୍ଥଗିତ ରଖି ୟୁକ୍ରେନ୍‌ସ୍ଥିତ ଶିବିରକୁ ଫେରି ଆସିବା ପାଇଁ ନିର୍ଦେଶ ଦିଆଯାଇଥିଲା। ମାତ୍ର ୱାଗନର ଗ୍ରୁପ୍‌ ମୁଖ୍ୟ ୟେଭଜେନି ପ୍ରିଗୋଜିନ୍ କହିଥିଲେ ଯେ ରୁଷ୍ ନାଗରିକଙ୍କ ମଧ୍ୟରେ ରକ୍ତପାତ ଏଡାଇବା ଲାଗି ନିଜ ସୈନିକଙ୍କୁ ଫେରିଆସିବାକୁ କୁହାଯାଇଥିଲା। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ଓ ସେନାଧ୍ୟକ୍ଷ ଭାଲେରି ଗେରାସିମୋଭଙ୍କୁ ବହିଷ୍କାର କରିବା ଲାଗି ପ୍ରିଗୋଜିନ କରିଥିବା ଦାବି ଉପରେ କିଛି ବିଚାର କରାଯାଇ ନାହିଁ। ଅନ୍ୟପଟେ ୟେଭଜେନି ପ୍ରିଗୋଜିନ୍ ଗିରଫ ଏଡାଇବା ଲାଗି ବେଲାରୁଷ୍‌ ଯିବାକୁ ଯୋଜନା କରିଛନ୍ତି। ପୁତିନଙ୍କ ବିରୋଧରେ ହଠାତ୍ ବିଦ୍ରୋହ ଘୋଷଣା କରିବା ଓ ପରେ ବିଦ୍ରୋହରୁ ଓହରିଯିବାକୁ ପ୍ରିଗୋଜିନ୍ ନିଷ୍ପତ୍ତି ନେବା ପରେ ନିଜେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିଷ୍ପତ୍ତି ନେଇଥିବା କ୍ରେମଲିନ୍ ପକ୍ଷରୁ କୁହାଯାଇଛି। ଆମେରିକା ଗୁଇନ୍ଦା ଏଜେନ୍ସି କହିଛି ଯେ ୟେଭଜେନି ପ୍ରିଗୋଜିନଙ୍କ ଏପରି ଉତ୍ଥାନ ପୁଟିନଙ୍କ ପାଇଁ ଆଗାମୀ ଦିନରେ ବଡ ଆହ୍ବାନ ହେବ। ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ କହିଛନ୍ତି ଯେ ପ୍ରିଗୋଜିନଙ୍କ ବିଦ୍ରୋହ ପୁଟିନଙ୍କ ପ୍ରଶାସନର ବିଫଳତାକୁ ପଦାରେ ପକାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories