ଆଠଗଡ : ଆଠଗଡରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କଟକ ଜିଲ୍ଲାରେ ଥିବା ସମସ୍ତ ଗ୍ରାହକ ସେବା କେନ୍ଦ୍ରଗୁଡିକର ବ୍ୟାଙ୍କିଙ୍ଗ ସହଭାଗିତା ସମ୍ପର୍କିତ ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୨୪୭ଟି ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରର ପରିଚାଳକମାନେ ଯୋଗଦାନ କରିଥିଲେ। ଏହି ବୈଠକରେ ଷ୍ଟେଟ ବ୍ୟାଙ୍କର କଟକ ଜିଲ୍ଲା ଆଞ୍ଚଳିକ ପ୍ରବନ୍ଧକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଷ୍ଟେଟ ବ୍ୟାଙ୍କ ସବୁବେଳେ ଉତ୍ତମ ଗ୍ରାହକ ସେବାକୁ ପ୍ରାଥମିକତା ଦେଇ ଆସିଛି ବୋଲି ପ୍ରକାଶ କରିଥିଲେ। ସରକାରଙ୍କର ଲୋକାଭିମୁଖୀ ଯୋଜନା ବିଶେଷକରି ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାଗୁଡିକୁ ସଫଳ କରିବା ଲାଗି ଷ୍ଟେଟ ବ୍ୟାଙ୍କ ଅଗ୍ରାଧିକାର ଦେଉଛି। ଏହିସବୁ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଗ୍ରାମାଞ୍ଚଳର ଗ୍ରାହକ ସେବା କେନ୍ଦ୍ରଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜି ମଧ୍ୟ ତୃଣମୂଳ ସ୍ତରରେ ବ୍ୟାଙ୍କିଙ୍ଗ ସେବା ଅପହଞ୍ଚ ରହିଛି। ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ବ୍ୟାଙ୍କ ସମୟ ମଧ୍ୟରେ ଅର୍ଥ ଦେଣନେଣ ଓ କାଗଜାତ କାମରେ ବ୍ୟସ୍ତ ରହିବା ଯୋଗୁଁ ନିୟମିତ କ୍ଷେତ୍ର ପରିଦର୍ଶନ ତଥା ତୃଣମୂଳ ସ୍ତରରେ ପହଞ୍ଚି ସାଧାରଣ ଲୋକଙ୍କ ସମସ୍ୟା ଲାଘବ କରିବା କଷ୍ଟସାଧ୍ୟ ହୋଇପଡୁଛି । ଏପରି କ୍ଷେତ୍ରରେ ବ୍ୟାଙ୍କ ଦ୍ବାରା ନିଯୁକ୍ତ ଗ୍ରାହକ ସେବା କେନ୍ଦ୍ରଗୁଡିକର ଗୁରୁଦାୟୀତ୍ୱ ରହିଛି ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ବ୍ୟାଙ୍କରେ ନୂତନ ଖାତା ଖୋଲି ନିର୍ଦ୍ଧାରିତ ପରିମାଣର ଅର୍ଥ ନେଣଦେଣ ସହ ବ୍ୟାଙ୍କର ବିଭିନ୍ନ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଅଧିକରୁ ଅଧିକ ଖାତା ଖୋଲିବା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଜୀବନ ଜ୍ୟୋତି ବୀମା, ସୁକନ୍ୟା ସମୃଦ୍ଧି ଯୋଜନା,ଅଟଳ ପେନସନ ଯୋଜନା, ମୁଦ୍ରା ଯୋଜନା ଆଦି ଲୋକାଭିମୁଖୀ ଯୋଜନାରେ ଅଧିକରୁ ଅଧିକ ଗ୍ରାହକଙ୍କୁ ସାମିଲ କରିବା ଲାଗି ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ବେହେରା ଗୁରୁତ୍ଵାରୋପ କରିଥିଲେ ।
ବିଭିନ୍ନ ଘାତପ୍ରତିଘାତ ସତ୍ତ୍ୱେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଘରୋଇ ତଥା ରାଷ୍ଟ୍ରାୟତ ବ୍ୟାଙ୍କ ମଧ୍ୟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପ୍ରତିପାଦିତ କରିପାରିଛି ବୋଲି ସେ କହିଥିଲେ । ଏଥିରେ ଆଠଗଡ ଶାଖା ମୁଖ୍ୟ ପରିଚାଳକ ସବ୍ୟସାଚୀ ତ୍ରିପାଠୀ, ବ୍ୟାଙ୍କିଙ୍ଗ ସେବା ଯୋଗାଣକାରୀ ଘରୋଇ ସଂସ୍ଥାର ପରିଚାଳକ ସଞୟ ଦାସ, ମନୋଜ ଦାସ ଓ ହିମାଂଶୁ ଆଚାର୍ଯ୍ୟ ପ୍ରମୁଖ ବ୍ୟାଙ୍କର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଆଞ୍ଚଳିକ କାର୍ଯ୍ୟାଳୟର ଆର୍ଥିକ ଅନ୍ତର୍ଭୁକ୍ତିକରଣ ପରିଚାଳକ ଅନୁରାଧା ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଏହି ବିଭାଗର ସହପରିଚାଳକ ଦୀପକ କୁମାର ନାୟକ କମ୍ପ୍ୟୁଟର ପ୍ରୋଜେକ୍ଟର ମାଧ୍ୟମରେ ସିଏସପି ଗୁଡିକର କାର୍ଯ୍ୟଧାରା ଓ ବ୍ୟାଙ୍କର ନୂତନ ନିୟମ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କେତେକ ସିଏସପିର ପରିଚାଳକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୋଦ କୁମାର ସ୍ବାଇଁ, ଯୁଗଳ କୁମାର ରାଉତ, ବିକ୍ରମାଦିତ୍ୟ ଜେନା, ଅନୁପ କୁମାର ମଲ୍ଲ, ପ୍ରଭାସ ସିଂହ, ସୁଧାଂଶୁ ଶେଖର ସାହୁ ପ୍ରମୁଖଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।



