ଚେନ୍ନଇ : ତାମିଲ ଚଳଚ୍ଚିତ୍ର ‘ସରକାର’ର କେତେକ ଦୃଶ୍ୟକୁ ଏଆଇଏଡିଏମ୍କେ କର୍ମୀଙ୍କ ବିରୋଧ ପରେ ଚଳଚ୍ଚିତ୍ରଟିରେ ତିନୋଟି ପରିବର୍ତ୍ତନ କରିବାକୁ ନିର୍ମାତା ସହମତି ପ୍ରକାଶ କରିଛନ୍ତି। ଅନ୍ୟପଟେ ଚଳଚ୍ଚିତ୍ରର ନିର୍ଦେଶକ ଏ.ଆର୍. ମୁରୁଗୋଡାସଙ୍କୁ ମାଡ୍ରାସ ହାଇକୋର୍ଟ ନଭେମ୍ବର ୨୭ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଚଳଚ୍ଚିତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ଏଆଇଏଡିଏମ୍କେ ନେତ୍ରୀ ସୁଶ୍ରୀ ଜୟଲଳିତାଙ୍କୁ ଭୁଲ୍ ଉପସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଥିବା ‘କୋମଳ’ ଶବ୍ଦଟି କୋମଳବଲି ଅର୍ଥାତ୍ ଜୟଲଲିତାଙ୍କ ବାସ୍ତବ ନାମରୁ ଉଦ୍ଧୃତ ବୋଲି ଦଳୀୟ କର୍ମୀ ଅଭିଯୋଗ ଉଠାଇଥିଲେ। ଏହାକୁ ନେଇ ରାଜନୈତିକ ବିତର୍କ ସୃଷ୍ଟି ହେବା ସହିତ ବିକ୍ଷୋଭ ଉଗ୍ର ରୂପ ଧାରଣ କରିଥିଲା। ଅନ୍ୟପଟେ ପୁଲିସ ତାଙ୍କୁ ଗିରଫ କରିବାକୁ ଗୁରୁବାର ରାତିରେ ତାଙ୍କ ବାସଭବନ କବାଟ ବାରମ୍ବାର ବାଡାଇଥିବା ଦର୍ଶାଇ ଚଳଚ୍ଚିତ୍ରର ନିର୍ଦେଶକ ମୁରୁଗୋଡାସ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ନଭେମ୍ବର ୨୭ ପର୍ଯ୍ୟନ୍ତ ତାଙ୍କୁ ଗିରଫ ନ କରିବାକୁ ହାଇକୋର୍ଟ ପୁଲିସକୁ ନିର୍ଦେଶ ଦେଇଛନ୍ତି।
Popular Categories



