www.samajalive.in
Saturday, December 13, 2025
26.1 C
Bhubaneswar

ଓଡ଼ିଆଙ୍କ ଗୁଣସୂତ୍ରରେ ଅଛି ସର୍ଜନାର ପ୍ରବହମାନ ଧାରା: ରାଜ୍ୟପାଳ

ଭୁବନେଶ୍ୱର: ପୁରୁଷ ଓ ପ୍ରକୃତି, ପରା-ଅପରା ବିଦ୍ୟା ମଧ୍ୟରେ ଚିରନ୍ତନ ଦ୍ୱନ୍ଦ୍ୱ ଲାଗିରହିଛି। ଏଭଳି ସଂଘର୍ଷ ଓ ସମନ୍ୱୟରୁ ସୃଷ୍ଟି ହୋଇଥାଏ ଆଧ୍ୟାତ୍ମିକ ଭାବନା ଓ ଚେତନା। ଓଡ଼ିଆଙ୍କ ଗୁଣସୂତ୍ରରେ ଅଛି ସର୍ଜନାର ପ୍ରବହମାନ ଧାରା ଓ ଅଧ୍ୟାତ୍ମଭାବ। ପଣ୍ଡିତ କବିଚନ୍ଦ୍ର ଭୁବନେଶ୍ୱର ରଥ ଶର୍ମଣାଙ୍କ ‘ଶ୍ରୀ ଲକ୍ଷ୍ମଣା ପରିଣୟଂ’ ମହାକାବ୍ୟ ଓ ‘ଉତ୍କଳ କାଳିଦାସ କବିଚନ୍ଦ୍ର ଭୁବନେଶ୍ବର ରଥ’ ସେହି ସାରସ୍ୱତ ଦର୍ଶନର ଦ୍ୟୋତକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି।

ରାଜଭବନରେ ମଙ୍ଗଳବାର ମଧ୍ୟାହ୍ନରେ ଆୟୋଜିତ ଏକ ଉତ୍ସବରେ ପଣ୍ଡିତ କବିଚନ୍ଦ୍ର ଭୁବନେଶ୍ୱର ରଥ ଶର୍ମଣାଙ୍କ ‘ଶ୍ରୀ ଲକ୍ଷ୍ମଣା ପରିଣୟଂ’ ମହାକାବ୍ୟର ପଣ୍ଡିତ ଚନ୍ଦ୍ରଶେଖର ରଥଶର୍ମାଙ୍କ ଓଡ଼ିଆ ପଦ୍ୟାନୁବାଦ ଓ ନିରଞ୍ଜନ ରଥଙ୍କ ରଚିତ ଓ ସମ୍ପାଦିତ ‘ଉତ୍କଳ କାଳିଦାସ କବିଚନ୍ଦ୍ର ଭୁବନେଶ୍ୱର ରଥ’ ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ, ସଂସ୍କୃତ ମହାକାବ୍ୟର ଓଡ଼ିଆ ପଦ୍ୟାନୁବାଦ ଏକ ଉଲ୍ଲେଖନୀୟ ପ୍ରୟାସ। ଓଡ଼ିଶାରେ ସଂସ୍କୃତ ସାହିତ୍ୟର ଏକ ସମୃଦ୍ଧ ପରମ୍ପରା ରହିଛି। ସେହି ପରମ୍ପରାର ପରିପୁଷ୍ଟି ଓ ପ୍ରସାର ପାଇଁ ବିଶେଷ ଉଦ୍ୟମ ହେବା ଦରକାର।

- Advertisement -

ବିଶିଷ୍ଟ ବିଦ୍ୱାନ, ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମିଶ୍ର ପ୍ରକାଶିତ ପୁସ୍ତକ ଦ୍ବୟର ସମୀକ୍ଷା କରିବା ସହ ଏଭଳି ଅନନ୍ୟ ଓ ଦୁର୍ଲଭ କୃତି ବିଶ୍ୱ ସାରସ୍ୱତ ଦରବାରରେ ଆମ ପାଇଁ ବିଶେଷ ପରିଚୟ ଓ ପ୍ରତିଷ୍ଠା ଆଣିପାରିବ ବୋଲି ମତବ୍ୟକ୍ତ କରିଥିଲେ। ଉତ୍କଳର ପ୍ରତିଟି କୋଣ ଅନୁକୋଣରେ ସର୍ଜନାର ଧାରା ପ୍ରବାହିତ ହେଉଛି। ଅଗଣିତ କବି, ଲେଖକ ଏହି ଧାରାକୁ ଉଜ୍ଜୀବିତ କରି ରଖିଛନ୍ତି ବୋଲି ସେ କହିଥିଲେ।

ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ଭୁବନେଶ୍ୱର ରଥ ଶର୍ମଣାଙ୍କ ସାଧନା, ସିଦ୍ଧି, ଜୀବନ ଓ ସୃଜନ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଭୁବନେଶ୍ବର ରଥଶର୍ମଣା ଥିଲେ ଆଠଗଡ଼ ରାଜାଙ୍କର ସଭା ପଣ୍ଡିତ। ରାଜତନ୍ତ୍ର ଓ ପ୍ରଜାତନ୍ତ୍ର ସମ୍ପର୍କରେ ସେ ଆଲୋକପାତ କରି କହିଥିଲେ, ରାଜତନ୍ତ୍ର କେବଳ ପ୍ରଜା ଉତ୍ପୀଡ଼ନ କରୁନଥିଲା; ବରଂ ଜ୍ଞାନୀ, ଗୁଣୀ ବି ଅନେକାଂଶରେ ପ୍ରଭାବିତ ହେଉଥିଲେ। ସେମାନଙ୍କ ସୃଷ୍ଟିକୁ ନେଇ ରାଜାମାନେ ସମ୍ମାନିତ ହେଉଥିଲେ। ଭୁବନେଶ୍ବର ରଥଶର୍ମଣା ଏଥିରୁ ବର୍ତ୍ତି ନଥିଲେ। ଏହି ଅବସରରେ ସେ ମଧ୍ୟ ଭୁବନେଶ୍ବର ରଥଶର୍ମଣାଙ୍କ ସୁପୁତ୍ର ତଥା ଆଦର୍ଶ ଶିକ୍ଷକ ପଣ୍ଡିତ ଚନ୍ଦ୍ରଶେଖର ରଥଶର୍ମାଙ୍କ ବ୍ୟକ୍ତିତ୍ବ-କୃତିତ୍ବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

କବିଚନ୍ଦ୍ର ଭୁବନେଶ୍ବର ପୁସ୍ତକର ରଚୟିତା ନିରଞ୍ଜନ ରଥ ଏହି ଦୁଇ ପୁସ୍ତକ ପ୍ରକାଶନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପୁସ୍ତକଦ୍ବୟର ପ୍ରକାଶକ ‘ପକ୍ଷୀଘର’ର ମୁଖ୍ୟ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ଉତ୍ସବରେ ବହୁ ବିଦ୍ୱାନ ଓ ସାହିତ୍ୟିକ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories