ବିଶ୍ୱ ମାସିିକ ଋତୁସ୍ରାବ ସ୍ୱଚ୍ଛତା ଦିବସ
ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ରାଧାଗୋବିନ୍ଦପୁରଠାରେ ରବିବାର ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ମେଘା ସେକ୍ଟରର ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମ ସଂଯୋଜନା କରି ମାସିକ ଋତୁସ୍ରାବ ଏକ ସାଧାରଣ ଜୀବନଚକ୍ରର ଅଂଶ ଏବଂ ଏହି ସମୟରେ ଝିଅ ଓ ମହିଳାମାନେ ସ୍ୱଚ୍ଛତା ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସମୟରେ ପ୍ରତିଦିନ ସ୍ନାନ କରିିବା ସହିତ ଶରୀରକୁ ପରିସ୍କାର ରଖିବା ଏବଂ ବ୍ୟବହାର କରୁଥିବା ପ୍ୟାଡ ୪-୬ଘଣ୍ଟା ଅନ୍ତରରେ ବଦଳାଇବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ ।
ସରକାରଙ୍କ ପକ୍ଷରୁ କିଶୋରୀ ଓ ମହିଳାମାନଙ୍କ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ପାଇଁ ଖୁସି ଯୋଜନା ମାଧ୍ୟମରେ ଖୁସି ପ୍ୟାଡ୍ ବଣ୍ଟନ କରାଯାଉଛି । ସେହିପରି ବିଦ୍ୟାଳୟସ୍ତରରେ ମଧ୍ୟ ୬ଷ୍ଠ ରୁ ୧୨ଶ ଶ୍ରେଣୀର ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ପ୍ରଦାନ କରାଯାଉଛି । ଏ ସବୁର ସଠିକ୍ ବ୍ୟବହାର କରିବା ସହିତ ଋତୁସ୍ରାବଜନିତ ଯେ କୌଣସି ସମସ୍ୟା ଦେଖାଦେଲେ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ନେବା ପାଇଁ ସେ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନୱାଡି କର୍ମୀ ସୁନିତା ଦାସ, ଆଶାକର୍ମୀ କୁନି ସାହୁ, ବନିତା ରାଉତ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦାନ କରି ସହଯୋଗ କରିଥିଲେ।
Comments are closed.