www.samajalive.in
Wednesday, December 10, 2025
14.1 C
Bhubaneswar

ଜଳୁଛି ପଶ୍ଚିମ ; ଉପକୂଳରେ ବିତ୍ପାତ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ଣରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ତାଣ୍ଡବ ରଚିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୪୦କିମିରୁ ୫୦ କିମି ବେଗରେ ପବନ ବହିବା ଦ୍ବାରା ଗଛଡାଳ ଭାଙ୍ଗି ରାସ୍ତା ଉପରେ ପଡିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ଯୋଗୁଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଛି। ପ୍ରବଳ ବେଗରେ ପବନ ବହିବା ଯୋଗୁଁ ଘର ଛପର ଉଡ଼ି ଯାଇଛି। ବିଜୁଳି ଘଡ଼ଘଡ଼ି ସହ ଝଡ଼ତୋଫାନ ଯୋଗୁଁ ଭୁବନେଶ୍ବର, ଖୋର୍ଦ୍ଧା, କଟକ, ପୁରୀ, ସମ୍ବଲପୁର, ସୁନ୍ଦରଗଡ, ନବରଙ୍ଗପୁର, କୋରାପୁଟ ଏବଂ ଢେଙ୍କାନାଳ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଘନ ଘନ ବୁକୁଫଟା ବଜ୍ରପାତ ଲୋକମାନଙ୍କୁ ଏକପ୍ରକାର ଆତଙ୍କିତ କରି ରଖିଥିଲା।
ଗୁରୁବାର ସକାଳ ୭ଟା ବେଳକୁ ଆରମ୍ଭ ହୋଇଯାଇଥିଲା ଖରା। ମଧ୍ୟାହ୍ନ ବେଳକୁ ମଧ୍ୟ ପ୍ରବଳ ଖରାରେ ବାହାରକୁ ମୁହାଁଇ ହେଉ ନ ଥିଲା; କିନ୍ତୁ ଅପରାହ୍ଣ ୨ଟା ବେଳକୁ ହଠାତ ପାଗରେ ପରିବର୍ତ୍ତନ ଆସିଥିଲା। ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପୁରୀ, ଜଗତସିଂହପୁର, ଯାଜପୁର, ନୟାଗଡ଼, ଢେଙ୍କାନାଳ, ଚାନ୍ଦବାଲି, ପାରାଦ୍ବୀପ, ବାରିପଦା, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ଭୁବନେଶ୍ବର ଏବଂ କଟକରେ କାଳବୈଶାଖୀ ତାଣ୍ଡବ ରଚିଛି। ଘରଦ୍ବାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ କ୍ଷୟକ୍ଷତି ଆକଳନ କରି ତୁରନ୍ତ ବିବରଣୀ ଦେବାକୁ ଜିଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ (ଏସଆରସି) ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି ବିଦ୍ୟୁତ ସରବରାହ ବ୍ୟବସ୍ଥା ତୁରନ୍ତ କରିବା, ଗଛ ପଡ଼ିଥିଲେ ଅଗ୍ନିଶମ କର୍ମଚାରୀଙ୍କ ସହାୟତା ନେଇ ରାସ୍ତା ସଫା କରିବା, କାହାରି ଜୀବନହାନି ଘଟିଥିଲେ ବା କେହି ଆହତ ହୋଇଥିଲେ ବିବରଣୀ ଦେବା, ଝଡ଼ରେ ଭାଙ୍ଗିଥିବା ଘର ଓ ଅନ୍ୟାନ୍ୟ କ୍ଷୟକ୍ଷତି ବିବରଣୀ ଦେବାକୁ ନିର୍ଦେଶ ଦିଆଯାଇଛି। କାଳବୈଶାଖୀ ଦ୍ବାରା ଢେଙ୍କାନାଳରେ ସର୍ବାଧିକ ୪୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଖୋର୍ଦ୍ଧା ୨୮, କଟକ ୧୫.୪, ଭୁବନେଶ୍ବର ୧୪.୫, ପୁରୀ ୧୦.୨, ଭଦ୍ରକ ୧୧.୧ ଏବଂ ବାରିପଦାରେ ୮ମିମି ରେକର୍ଡ ହୋଇଛି। ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହିତ ଘଣ୍ଟା ପ୍ରତି ୪୦ କିମିରୁ ୫୦ କିମି ବେଗରେ ପବନ ବହିଛି। କିଛି ସ୍ଥାନରେ ଦୋକାନ ଛପର ଉଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ରାସ୍ତାରେ ଗଛଭାଙ୍ଗି ପଡ଼ିଥିବା ସୂଚନା ମିଳିଛି। ଘଡ଼ଘଡ଼ି ସହିତ ବର୍ଷା ହେବା ଫଳରେ ଉପକୂଳବାସୀଙ୍କୁ ଗରମ ଓ ଗୁଳୁଗୁଳିରୁ କିଛିଟା ଆଶ୍ବସ୍ତି ମିଳିଛି। ବର୍ଷା ୨ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଥିବା ବେଳେ ଅପରାହ୍ଣ ସାଢେ ୫ଟା ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିଥିଲା। ଦ୍ଵୈତନଗରୀରେ କାଳବୈଶାଖୀ କାରଣରୁ ବିପଜ୍ଜନକ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଏବଂ କିଛି ଅଞ୍ଚଳରେ କୁଆପଥର ବୃଷ୍ଟିପାତ ହୋଇଛି।
ଆଠଗଡ଼ ରାଜନଗର ଛକରେ ଥିବା ଏକ ହୋଟେଲରେ ଲୋକ ବସି ଖାଉଥିବା ବେଳେ କାଳବୈଶାଖୀ ଝଡ଼ରେ ୨ଶହ ମିଟର ଦୂରକୁ ଉଡ଼ି ଯାଇଥିଲା ଟିଣ ଛପର। ହୋଟେଲର ସମସ୍ତ ଖାଦ୍ୟ ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ପାଖରେ ଥିବା ଅଞ୍ଜଳି ହୋଟେଲର ମଧ୍ୟ ପାଚେରି ଭାଙ୍ଗି ପଡିଛି। ପ୍ରଚଣ୍ଡ ଶବ୍ଦ ସହ ବଜ୍ରପାତ ସାଙ୍ଗକୁ ପବନ ଓ ବର୍ଷା ହେବାରୁ ଉପକୂଳ ଓଡ଼ିଶାର ଭୁବନେଶ୍ୱର, କଟକ, ପିପିଲି, ପୁରୀ, ଢେଙ୍କାନାଳ ଏବଂ ଖୋର୍ଦ୍ଧାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ପୁରୀ ଜିଲାର ବିଭିନ୍ନ ବ୍ଲକରେ ଝଡ଼ ବର୍ଷାରେ ବହୁ ନଡ଼ିଆ, ଗୁଆ, କଦଳୀ, ଆମ୍ବ ପ୍ରଭୃତି ଗଛ ଭାଙ୍ଗିଛି। ଚାଳ ଓ ଆଜବେଷ୍ଟସ ଛପର ଉଡ଼ାଇ ନେଇଥିବାରୁ ଲୋକେ ଖୋଲା ଆକାଶ ତଳେ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି। ଝଡ଼ତୋଫାନ ପ୍ରଭାବରେ ପୁରୀ-ଭୁବନେଶ୍ୱର ରାସ୍ତାର ପିପିଲି ନିକଟ ରାଜପଥରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶତାଧିକ ଦୁଇଚକିଆ, ୪ଚକିଆ ଯାନ ଅଧାରେ ଅଟକି ରହିଥିଲା। ଜିଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିବା ଯୋଗୁଁ ଜିଲାର ବହୁ ପଞ୍ଚାୟତ ଅନ୍ଧାରରେ ରହିଛି। ଲୋକଙ୍କୁ ତତ୍କାଳ ବିଦ୍ୟୁତ ସେବା ମିଳିପାରିନି। ଝଡ଼ବର୍ଷା ଯୋଗୁଁ ରଥ ଖଳାରେ ରଥ ନିର୍ମାଣ କାମ ମଧ୍ୟ ପ୍ରଭାବିତ ହୋଇଛି। ରଥ ଖଳାରେ ପାଣି ଜମିଥିବାରୁ କାରିଗର ରଥ ନିର୍ମାଣ କରିପାରି ନ ଥିଲେ। କୋଣାର୍କର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡ଼ିବା ସହିତ ଚାଳଘର ଛାତ ଉଡିଯାଇଛି। କେତେକ ସ୍ଥାନରେ ଘର ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଥିବା ଦେଖିବାକୁ ମିଳିଛି। କୋଣାର୍କ ପୁରୀ ବେଳାମାର୍ଗ ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ଫଳରେ ପର୍ଯ୍ୟଟକ ଦୀର୍ଘ ସମୟ ଧରି ଅଟକି ରହିଥିଲେ। କୋଣାର୍କ ଏନ୍‌ଏସି ସମେତ ସୁତନ, ତରକୋର, ବନାଖଣ୍ଡି ଆଦି ପଞ୍ଚାୟତର ଶତାଧିକ ବ୍ୟକ୍ତିଙ୍କ କଚ୍ଚା ଘର ଓ ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ନୟାଗଡ଼ ଜିଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପବନ ବହିବା ଦ୍ବାରା ବ୍ୟାପକ କ୍ଷତି ହୋଇଛି। ତେବେ ସରକାରୀ ସ୍ତରରେ ତଦନ୍ତ କରାଯାଇ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories