ସମ୍ବଲପୁର: ସମ୍ବଲପୁର ସହରରେ ଦିନକୁ ଦିନ ବେଆଇନ ଭାବରେ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ଗୁଡିକ ବ୍ୟାପକ ମାତ୍ରାରେ ବିକ୍ରି ହେଉଥିବା ବେଳେ ଏଥିରେ ନିଶା କଫ ସିରଫ ପ୍ରମୁଖ ରହିଛି। ଏଣୁ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସହରର ଧନୁପାଲି ଅଞ୍ଚଳରେ ଥିବା ୬ଟି ଔଷଧ ଦୋକାନ ଗୁଡିକରେ ଅଚାନକ ଡ୍ରଗ ବିଭାଗ, ଅବକାରୀ ବିଭାଗ, ରାଜସ୍ୱ ଓ ପୁଲିସ ପକ୍ଷରୁ ମିଳିତ ଭାବରେ ଶୁକ୍ରବାର ଚଢ଼ଉ କରାଯାଇଥିଲା। ଧନୁପାଲି ଥାନାଞ୍ଚଳ ଅର୍ନ୍ତଗତ ଧନୁପାଲି, ଗୋବିନ୍ଦତୋଲା, ସାକ୍ଷୀପଡ଼ା ଆଦି ଅଞ୍ଚଳରେ ଅଚାନକ ପୁର୍ବାହ୍ନରେ ଏହି ମିଳିତ ଦଳ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ କୌଣସି ସନ୍ଦିଗ୍ଧ କାରବାର କୁ ଠାବ କରାଯାଇ ପାରି ନାହିଁ।
ଏ ସମ୍ପର୍କରେ ସମ୍ବଲପୁର ଜିଲା ଡ୍ରଗ ଇନିସ୍ପକେଟର ସତ୍ୟ ନାରାୟଣ ମଲ୍ଲିକ ଙ୍କ ଅନୁଯାୟୀ ମୁଖ୍ୟତଃ ମାରାତ୍ମକ ନିଶା ଦ୍ରବ୍ୟ ଯଥା ନିଶା କଫ ସିରଫ ଓ ନିଶା ବଟିକା ଉପରେ ଅଙ୍କୁଶ ଲଗାଇବା ପାଇଁ ମିଳିତ ଅଭିଯାନ କରାଯାଉଛି। ଏବେ ଆମେ ଔଷଧ ଦୋକାନ ଗୁଡିକୁ ପ୍ରଥମ ପର୍ଯ୍ୟାୟରେ ଚେକିଂ କରୁଛୁ। ଆଜି ବିଭିନ୍ନ ଔଷଧ ଦୋକାନ ଗୁଡିକୁ ଚେକିଂ କରାଯାଇଛି ଏବଂ ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ। ଯୁବ ପିଢ଼ିକୁ ନିଶା କବଳରୁ ମୁକ୍ତି କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ହାତକୁ ନିଆଯାଇଛି ବୋଲି ଡ୍ରଗ ଅଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି।
ଏ ସମ୍ପର୍କରେ ସମ୍ବଲପୁର ଜିଲା ଅବକାରୀ ଅଧିକ୍ଷକ ଅଧିକ୍ଷକ ଅଶୋକ ସେଟ କହିଛନ୍ତି ଯେ, ନିଶା କାରବାରକୁ ପ୍ରଭାବୀ ରୂପେ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ଉ କରାଯାଉଛି ଏବଂ ବିପୁଳ ମାତ୍ରାରେ ନିଶା ସାମଗ୍ରୀ ଗୁଡିକୁ ଧରାଯିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଉଛି। ଏବେ ଏହି କାରବାରର ମୁଖ୍ୟ ଚେନକୁ ଧରିବା ପାଇଁ ମିଳିତ ଭାବରେ ଅବକାରୀ, ଡ୍ରଗ, ପୁଲିସ ଓ ରାଜସ୍ୱ ବିଭାଗ ଗୁଡିକୁ ନେଇ ଏକ ସ୍କ୍ୱାର୍ଡ ଗଠନ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ସେଟ କହିଛନ୍ତି।
ଅନ୍ୟ ପଟରେ ସମ୍ବଲପୁର ସହରରେ ଦିନକୁ ଦିନ ବେଆଇନ ନିଶା କଫ ସିରଫ ଓ ନିଶା ବଟିକା ବିକ୍ରି ବେଶ ବୃଦ୍ଧି ପାଉଛି। ଅନେକ ଚେଷ୍ଟା ସତ୍ୱେ ଏହି ବେଆଇନ ନିଶା କାରବାରକୁ ସରକାର ଙ୍କ ବିଭିନ୍ନ ବିଭାଗ ମାନେ ପ୍ରଚେଷ୍ଟା ସତ୍ୱେ ବନ୍ଦ କିମ୍ବା ଅଙ୍କୁଶ ଲଗାଇ ପାରୁ ନାହାନ୍ତି। ପ୍ରଥମରୁ ସ୍ଥାନୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଏହି ନିଶା କାରବାର ଗୁଡିକର ମୂଳ ଚେର ଗୁଡିକରେ ଅଙ୍କୁଶ ଲଗାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଉଛି। ତେବେ ଏହି ଅଭିଯାନ କେତେ ଫଳପ୍ରଦ ହେଉଛି ଏବଂ ଯୁବ ପିଢ଼ି କିଭଳି ନିଶା କବଳରୁ ବର୍ତ୍ତି ପାରିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।



