ଆଠଗଡ: କୁଲାଇଲୋ ପଞ୍ଚାୟତ ଅଧିନ ଗଉଡଝରି ଗ୍ରାମରୁ ଏକ ବିବାହ ଭୋଜି ଖାଇ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଘଟଣାଟି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୩୦ ବେଳେ ଆଠଗଡ ରଥଗଡା ଛକରେ ଘଟିଛି। ପ୍ରକାଶ ଯୋଗ୍ୟ ଆଠଗଡ ଥାନା ଅନ୍ତର୍ଗତ ଗଉଡଝରି ମନ୍ଦିରରେ ଚାଲିଥିବା ଏକ ବିବାହ ଭୋଜିରେ ଯୋଗଦେବାକୁ ବରର ସାଙ୍ଗମାନେ ଖୁଣ୍ଟକଟାର ବିଷ୍ଣୁ ପ୍ରସାଦ ନାୟକ, ରାଜେନ୍ଦ୍ର ନାୟକ ଓ ପିଣ୍ଟୁ ନାୟକ ବାଇକରେ ଯାଇଥିଲେ। ସେଠାକୁ ଯାଇଥିବା ଆଠଗଡ ସହର ନିକଟବର୍ତ୍ତୀ ରାଧାଗୋବିନ୍ଦପୁର ଗ୍ରାମର ହାପି ଓରଫ ସଞ୍ଜିବ ଦାସ ନାମକ ଜନୈକ ଯୁବକଙ୍କ ସହ କୈଣସି କାରଣରୁ ଖୁଣ୍ଟକଟାର ସଂପୃକ୍ତ ତିନି ଜଣଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ ଉଭୟେ ବାଇକରେ ଫେରୁଥିବା ବେଳେ ଫେରୁଥିବା ସମୟରେ ପ୍ରଥମେ ହାପି ଆଠଗଡ ସହରର ହେମମାଳପୁରରେ ଥିବା ହିରୋହୋଣ୍ତା ସୋ ରୁମ ଠାରେ ଗାଡି ଅଟକାଇ ଗାଳିଗୁଲଜ କରିବାରୁ ସେମାନେ ପଳାଇ ଆସିଥିଲେ। ସେମାନେ ଆସି ଆଠଗଡ ସହରର ରଥଗଡା ଛକଠାରେ ପହଞ୍ଚିବା ସମୟରେ ପୁଣି ହାପି ତାର ଗାଡିକୁ ଆଡ ପକାଇ ବିଷ୍ଣୁକୁ ଖଣ୍ତାରେ ହାଣିପକାଇ ଥିଲା। ତୁରନ୍ତ ବିଷ୍ଣୁଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ରକ୍ତାକ୍ତ ଅବସ୍ଥାରେ ନିଆଯାଇଥିଲା। ଖଣ୍ଡା ଚୋଟରେ ବିଷ୍ଣୁର ମୁଣ୍ଡ, ପେଟ ଓ ଡାହାଣ ହାତରେ ଗୁରୁତର ଆଘାତ ହୋଇଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇଁ ଆଠଗଡ ଏସଡିପିଓ ବିଜୟ କୁମାର ବିଶି ଓ ଆଠଗଡ ଥାନା ଆଇ ଆଇ ସି ବାମଦେବ ସ୍ବାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଆଠଗଡ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଆଇଆଇସିଙ୍କ ସୂତ୍ରରୁ ପ୍ରକାଶ।
Popular Categories



