www.samajalive.in
Saturday, December 13, 2025
17.1 C
Bhubaneswar

ବଜାର ସ୍ଥାନାନ୍ତର ନେଇ ମନ୍ତ୍ରୀଙ୍କୁ ଅସନ୍ତୋଷ ଜଣାଇଲେ ବ୍ୟବସାୟୀ ସଂଘ

ବୌଦ୍ଧ: ଗତ ଶୁକ୍ରବାର ଦିନ ଜିଲା ପ୍ରଶାସନ ଓ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବୁଦ୍ଧଦେବ ପଡ଼ିଆଠାରୁ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାରକୁ ଦୈନିକ ବଜାର ସ୍ଥାନାନ୍ତର କରାଯାଇଥିଲା। ପ୍ରଥମ ଦିବସରେ ସ୍ୱଳ୍ପ ସଂଖ୍ୟାରେ ଚାଷୀ ଆଦର୍ଶ କୃଷକ ବଜାରକୁ ଆସିବାପରେ ଦ୍ୱିତୀୟ ଦିବସରେ ପୋଲିସ ଫୋର୍ସ ମୃତୟନ କରି ବୁଦ୍ଧଦେବ ପଡ଼ିଆ ଭିତରକୁ ପନିପରିବା ବ୍ୟବସାୟୀମାନଙ୍କୁ ଯିବାକୁ ଦିଆଯାଇନଥିଲା। ଶନିବାର ବୌଦ୍ଧରେ ସାପ୍ତାହୀକ ହାଟ ଥିବାରୁ ବହୁ ସଂଖ୍ୟାରେ ଚାଷୀ ଓ ବ୍ୟବସାୟୀ ଦୂରଦୂରାନ୍ତରୁ ପୁରୁଣା ହାଟ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କୁ ଆଦର୍ଶ କୃଷକ ବଜାରକୁ ପଠାଇ ଦିଆଯାଇଥିଲା। ଦୈନିକ ବଜାର ପୂର୍ବରୁ ଗଣେଷ ବଜାରଠାରେ ଚାଲି ଆସୁଥିବା ବେଳେ କରୋନା ମହାମାରୀ ଯୋଗୁଁ ସହରର ବୁଦ୍ଧଦେବ ପଡ଼ିଆକୁ ଅସ୍ଥାୟୀ ଭାବରେ ଉଠାଇ ଅଣାଯାଇଥିଲା। ପରେ ଏହି ବଜାର ଆଉ ପୂର୍ବ ସ୍ଥାନକୁ ଫେରିବା ନେଇ ବ୍ୟବସାୟୀ ଓ ଉଠାଦୋକାନୀଙ୍କ ମଧ୍ୟରେ ବୁଝାମଣା ହୋଇପାରୁନଥିଲା। ଏନେଇ ଏନଏସି ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଇଥିଲେ ମଧ୍ୟ ଆଲୋଚନା ବିଫଳ ହେବା ପରେ ସହରର ତିନୋଟି ସ୍ଥାନରେ ଭାଗ ଭାଗ କରି ବଜାର ବସାଇବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

ଉଠାଦୋକାନୀମାନେ ବଜାର ପାଇଁ ବସିବା , ପାନୀୟଜଳ,ଶୌଚାଳୟ ପାର୍କିଂ ଆଦି ସୁବିଧା ଯୋଗାଇଦେଲେ ଯେକୌଣସି ସ୍ଥାନକୁ ଏପରିକି ପୂର୍ବ ସ୍ଥାନକୁ ମଧ୍ୟ ବଜାର ଫେରାଇ ସେମାନଙ୍କର କୌଣସି ଆପତ୍ତି ନଥିବା କୁହାଯାଇଥିଲା। କିନ୍ତୁ ଏହି ନିଷ୍ପତି କାର୍ଯ୍ୟକାରୀ ହେବା ପୂର୍ବରୁ ଗତ ସୋମବାର ଦିନ ଏନଏସିରେ ଚାଲିଥିବା ଅଭିଯୋଗ ଶୁଣାଣି ଶିବିରରେ ପହଞ୍ଚି ପୂର୍ବସ୍ଥାନକୁ ଦୈନିକ ବଜାର ଉଠାଇବାକୁ ଜିଲାପାଳ ସତ୍ୟରଂଜନ ସାହୁଙ୍କୁ ନିବଦେନ କରିଥିଲେ। କିନ୍ତୁ ଦିନକୁ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟା ଦୃଷ୍ଟିରୁ ଟ୍ରାଫିକ ସମସ୍ୟା ସହିତ ବଜାର ପାଇଁ ସୁବିଧା ସୁଯୋଗ ନଥିବା ଦର୍ଶାଇ ପୂର୍ବସ୍ଥାନକୁ ବଜାର ଫେରାଇବା ସମ୍ଭବ ନଥିବା କହିବା ସହିତ ଆଦର୍ଶ କୃଷକ ବଜାର ମଧ୍ୟକୁ ବଜାର ସ୍ଥାନାନ୍ତର ପାଇଁ ହୋଇଥିବା ପୂର୍ବ ନିଷ୍ପତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତି ଦିନ ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବଜାର ସ୍ଥାନାନ୍ତର ନେଇ ପ୍ରଚାର କରାଯିବା ସହିତ ପ୍ରଶାସନ ପକ୍ଷରୁ ବଳ ପ୍ରୟୋଗ କରି ବୁଦ୍ଧଦେବ ପଡ଼ିଆରୁ ଆଦର୍ଶ ବଜାର ମଧ୍ୟକୁ ଚାଷୀ ଓ ଉଠା ଦୋକାନୀମାନଙ୍କୁ ଯିବାକୁ ବାଧ୍ୟ କରାଯାଇଥିଲା। ତେବେ ଆଦର୍ଶ କୃଷକ ବଜାରକୁ ଦୈନିକ ପନିପରିବା ବଜାର ସ୍ଥାନାନ୍ତର ହେବାପରେ ସହରରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବ୍ୟବସାୟୀ ସଂଘ ଓ ଉଠାଦୋକାନୀ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।

- Advertisement -

ବଡ ବଡ ବ୍ୟବସାୟୀମାନେ ଦୈନିକ ବଜାର ସ୍ଥାନାନ୍ତର ନିଷ୍ପତିରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହିତ ସେମାନଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେହିପରି ସ୍ଥାୟୀ ଦୋକାନ କରି ପନିପରିବା ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ବଜାର ସ୍ଥାନାନ୍ତର ପ୍ରତିବାଦରେ ଶନିବାର ସେମାନଙ୍କ ଦୋକାନ ସବୁ ବନ୍ଦ ରଖିଛନ୍ତି। ଖାଉଟିମାନେ ଆଦର୍ଶ କୃଷକ ବଜାରରେ ସମସ୍ତ ସୁବିଧା ଥିବାରୁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବଜାର ସ୍ଥାନାନ୍ତର ନିଷ୍ପତି ଠିକ୍‌‌ ବୋଲି ମତପ୍ରକାଶ ପାଉଥିବାବେଳେ ଅନ୍ୟକିଛି ଖାଉଟି ସହରର ବିଭିନ୍ନ ସ୍ଥାନରେ ବଜାର ବସାଇବା ସପକ୍ଷରେ ମତପ୍ରକାଶ କରିଛନ୍ତି। ଶନିବାର ଦିନ ମା ଅନ୍ନପୁର୍ଣ୍ଣା ଦୈନିକ ପରିବା ବ୍ୟବସାୟୀ ସଂଘ ପକ୍ଷରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭେଟି ଦୈନିକ ବଜାର ସ୍ଥାନାନ୍ତର ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି। ବ୍ୟବସାୟୀମାନଙ୍କ ଅଭିଯୋଗ ହେଲାଯେ, ଦୈନିକ ବଜାର ସ୍ତାନାନ୍ତର ହେଲା କିଛି ଅସୁବିଧା ନାହିଁ କିନ୍ତୁ ଆମ୍ଭ ମାନଙ୍କ ପାଇଁ ସେଠାରେ କିଛି ବ୍ୟବସ୍ଥା କରାଯାଇନାହିଁ। ବ୍ୟବସାୟୀମାନେ ପ୍ରତିଦିନ ପରିବା ନିଜ ଘରୁ ଅଟୋ ରିକସା କିମ୍ବା ଟ୍ରଲି ରିକସାରେ ଭଡା ସୁତ୍ରରୁ ଆଣି ପରିବା ବିକ୍ରି କରିବା ସାରିବା ପରେ ପୁଣି ସେଗୁଡିକ ଘରକୁ ନେଇଥାନ୍ତି। କିନ୍ତୁ ଆଦର୍ଶ କୃଷକ ବଜାର ବ୍ୟବସାୟୀ ମାନଙ୍କ ଘର ଠାରୁ ଦୂରରେ ହେଉଥିବାରୁ ଆମ୍ଭେ ମାନେ ଭଡା ଦେବାରେ ବହୁ କଷ୍ଟ ହେବ। ଏଣୁ ସେଠାରେ ପ୍ରଶାସନ ପକ୍ଷରୁ ଆମ୍ଭ ମାନଙ୍କୁ ବଳକା ପରିବା ରଖିବା ପାଇଁ ଘର ଯୋଗାଇଦେବା ସହ ବସିବା ପାଇଁ ଛାଇ ସ୍ଥାନ ଯୋଗଇ ଦେଲେ ଅସୁବିଧା ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଅମାତ ବ୍ୟବସାୟୀଙ୍କ ଅଭିଯୋଗ ଶୁଣିବା ପରେ ଜିଲା ପ୍ରଶାସନ ସହ ଏନେଇ ଆଲୋଚନା କରିବାକୁ ପ୍ରତିଶୃତି ଦେବା ସହିତ ସେମାନେ ମଧ୍ୟ ଜିଲାପାଳଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ। ଏନେଇ ପରିବା ବ୍ୟବସାୟୀ ସଂଘର ସମ୍ପାଦକ ବିରୁପାକ୍ଷ କରଡିଆଙ୍କ ପଚାରିବାରୁ ଦୀର୍ଘ ବର୍ଷ ହେବ ଆମ୍ଭେମାନେ ପରିବା ବ୍ୟବସାୟ କରି ଆସୁଥିବା ବେଳେ କିନ୍ତୁ ଆମ୍ଭ ମାନଙ୍କ ପାଇଁ କୌଣସି ସୁବିଧା ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇନାହିଁ। ଏନେଇ ଜିଲାପାଳଙ୍କୁ ଭେଟି ସମସ୍ୟା ଜଣାଇବୁ ବୋଲି ସମ୍ପାଦକ ଶ୍ରୀ କରଡିଆ ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories