ଯୁଗ ଆସି କୋଉଠି ହେଲାଣି ! ସମୟ ଏହାର ଠିକ୍ ନେତୃତ୍ବ ନଉଚି , ତମେ ସବୁ ପୁରୁଣାକାଳିଆ ଚୁପ୍ଚାପ୍ ବସ। ସବୁ ଠିିକ୍ ଚାଲିଛି….।
ସକାଳୁ ନିତ୍ୟକର୍ମ ସାରି ଗୋଟେ ହାଲ୍କା ଓ ଖୋଲାମନରେ ଜଣେ ‘ଖବରକାଗଜ’ ବା ସମ୍ବାଦ ପତ୍ରଟିଏ ପଢ଼ିବା ଆରମ୍ଭ କରିଥାଏ। ସାଥିରେ ଚା’ କପଟିଏ ଥାଏ। ଜଣେ ସଚେତନ, ସାଧାରଣ ନାଗରିକଟିଏ ତା’ ପରେ ‘ମୁଣ୍ଡ ଉପରେ’ କେତେ ଯେ ଅନୁଭବ କରେ କହି ହୁଏନି। ଆରେ, ଏଇଟା ପରା ‘ମଣିଷ ସମାଜ’! ଏମିତି କ’ଣ ସବୁ ଘଟୁଛି? (୧) ‘ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଯୌନାପରାଧରେ ଜେଲ ଦଣ୍ଡାଦେଶ ଓ ଜୋରିମାନା।’ (୨)‘କରୋନା ସମୟରେ ଏନ.ସି.ଆର.ଟି.ସି(କେନ୍ଦ୍ରୀୟ ଶିକ୍ଷା ପରିଷଦ) ଗାନ୍ଧୀଙ୍କ ସମ୍ପର୍କିତ ବିଷୟକୁ ପାଠ୍ୟକ୍ରମରୁ ବିନା ବିଜ୍ଞପ୍ତିରେ ହଟାଇ ଦିଆଯାଇଥିଲା’। (୩)‘ଟିଭି ଚାନେଲ ଲାଇସେନ୍ସ ରଦ୍ଦ କେନ୍ଦ୍ରୀୟ ନିର୍ଦେଶକୁ ସୁପ୍ରିମକୋର୍ଟଙ୍କ ଖାରଜ। ସରକାରଙ୍କ ଆଭିମୁଖ୍ୟକୁ ନାପସନ୍ଦ।’ (୪) ‘ତେଲେଙ୍ଗାନା ବିଜେପି ମୁଖ୍ୟ ଗିରଫ।’ ପୃଥିବୀର ସର୍ବଶକ୍ତିମାନ ରାଷ୍ଟ୍ର ଆମେରିକାର ସର୍ବୋଚ୍ଚ କ୍ଷମତାଶାଳୀ ରାଷ୍ଟ୍ରପତି ଗିରଫ ଆଦି ସମ୍ବାଦ ମୁଣ୍ଡକୁ ଯେଉଁ ଝାଙ୍କ ଦେଇଥିଲା ସେଥିରୁ ମୁକ୍ତି ମିଳୁ ନମିଳୁ, ଏ ଖବରଗୁଡ଼ିକରେ ଆକାଶ ଫାଟି ପଡ଼ୁଛି ପରି ଲାଗିଲା। ସତେ କି ସର୍ବସୁରକ୍ଷା ପ୍ରଦାନକାରୀ ଏ ଆକାଶରୁ ଏବେ ସତେ ଯେମିତି ନିଆଁ ବର୍ଷୁଛି।
ଆଉ ସବୁ କଥା ଛାଡ଼, ପିଠେଇ ନିଅ। ମାତ୍ର ପ୍ରତିଦିନ ଇସ୍କୁଲ ପଠାଉଥିବା କିଶୋର କିଶୋରୀ ଯଦି ପ୍ରଧାନ ଶିକ୍ଷକଙ୍କ ଦ୍ବାରା ଯୌନାଚାରିତ ହେବେ, ତେବେ ତ ଜାଣ ଫସଲ ନଷ୍ଟ ହିଁ ନଷ୍ଟ। ଏ ବାଡ଼ ବଦମାସ, କ୍ଷେତଖିଆ, କ୍ଷେତରକ୍ଷକ ନୁହଁ। ଗୋଟେ ଦି’ଟା ଝିଅ ନୁହଁ ବିଦ୍ୟାଳୟର ଏଗାରଟା ଝିଅଙ୍କ ପ୍ରତି ଏପରି ଆଚରଣ ଦିନକର ନୁହେଁ। ୟାର ସୀମା କେତେ, କେତେ ଦିନ େକ୍ଷତ ଓ କେତେ ଲୁଣ୍ଡି ପରେ ଏ ଦକ୍ଷ ପରିଚାଳନା ସମିତି, ଅନ୍ୟ ଶିକ୍ଷକଗଣ, ଭାଷଣବାଜିର ଅଭିଭାବକଗଣ ଜାଣିଲେ, ତା’ର ବିଶଦ ବିବରଣୀ ଅବଶ୍ୟ ଏ ସମ୍ବାଦ ସଂଲଗ୍ନ ନୁହେଁ। ମାନ୍ୟବର ଅଦାଲତ ୬୨ ବର୍ଷୀୟ ଉପାଧିପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ସତଚାଳିଶ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଏତଦ୍ଭିନ୍ନ ଜିଲା ଆଇନ ସେବା କର୍ତ୍ତୃପକ୍ଷ ଆହୁରି ଏଗାରଲକ୍ଷ ଟଙ୍କା ଜୋରିମାନା ବାବଦ ସଂପୃକ୍ତ ପୀଡ଼ିତା ବାଳିକାମାନଙ୍କୁ ବାଣ୍ଟିବାକୁ ନିର୍ଦେଶ ଦେଇଛନ୍ତି।
ଏ ମୋକଦ୍ଦମା ୨୦୧୫ ନଭେମ୍ବର ୩୦ତାରିଖରେ ଜଣେ ୧୦ ବର୍ଷର ବାଳିକା ଦ୍ବାରା ପୋକ୍ସୋ ଅଦାଲତରେ ଦାଖଲ ହୋଇଥିଲା। ୪୩ ଜଣ ଏଥିରେ ସାକ୍ଷ୍ୟ ଦେଇଥିଲେ। ଗତ ବୁଧବାର ଦିନ ମାନ୍ୟବର ପୋକ୍ସୋ ଅଦାଲତ ଏ ଦଣ୍ଡାଦେଶ ଶୁଣାଇଛନ୍ତି। ଏମିତି ଘଟଣାମାନ ବିଭିନ୍ନ ସ୍ଥାନରେ ଘଟି ଚାଲିଛି। ମାତ୍ର ୟା’ର ପ୍ରତିକାର କ’ଣ? ନାରୀ ସଶକ୍ତୀକରଣର ଏ ଯୁଗରେ ଯଦି ସେମାନେ ପୁରୁଷ ପ୍ରଧାନଶିକ୍ଷକଙ୍କ ଦ୍ବାରା ନିର୍ଯାତିତ ହେବେ ତାଙ୍କ ଚରିତ୍ରରେ ଦାଗ ଲଗାଇ ଦିଆଯିବ, ଏଥିକୁ କି ପ୍ରତିକ୍ରିୟା ମାନନୀୟା ନାରୀ ନେତ୍ରୀମାନଙ୍କର? ଇଏ କ’ଣ ଏକମାତ୍ର ଓ ପ୍ରଥମ ଘଟଣା? ଆମ ସଂସ୍କାର ଓ ସଂସ୍କୃତିରେ ଯୁବକ ଯୁବତୀର ଅବାଧ ମିଳାମିଶା, ଅଧ୍ୟୟନକୁ କଠୋର ଭାେବ ନିଷିଦ୍ଧ କରାଯାଇଥିଲା। ମାତ୍ର ଆମେ ଏକୁ ଗ୍ରହଣ କଲେନି, ସତ ଘଟଣାଟେ। ଗୋଟେ ଅଞ୍ଚଳରେ ଦୁଇଟି ହାଇସ୍କୁଲ ଯଥା ଗୋଟିଏ ବାଳକ ଓ ଅନ୍ୟଟି ବାଳିକା ହାଇସ୍କୁଲ ଥାଏ। ବାଳିକା ବିଦ୍ୟାଳୟ ଥିବା ଅଞ୍ଚଳରେ ବାଳିକାମାନଙ୍କୁ ବାଳକ ବିଦ୍ୟାଳୟରେ ନାମ ଲେଖା ନ ଯିବାର ସ୍ପଷ୍ଟ ବିଭାଗୀୟ ନିର୍ଦେଶ ଥିଲା। ଇୟେ କୁଆଡ଼େ ନାରୀ ସ୍ବାଧୀନତା ଉପରେ ଅଙ୍କୁଶ, ନାରୀକୁ ନ୍ୟୂନ କରି ରଖାଯିବାର ଏକ ସଂକୀର୍ଣ୍ଣ ବ୍ୟବସ୍ଥା!! ସଂପୃକ୍ତା ଛାତ୍ରୀ ବାଳକ ବିଦ୍ୟାଳୟରେ ପଢ଼ିବା ଜିଦ୍କୁ ପ୍ରଧାନଶିକ୍ଷୟିତ୍ରୀ ଗ୍ରହଣ କଲେନି। ଅଭିଭାବକ ଜଣେ େଷଣ୍ଢମାର୍କିଆ ନାଗରିକ, ଦୋହଲାଇଲେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ। ଆଇନ ବଦଳିଲା, ଯଦି କୌଣସି ବାଳିକା ବାଳକ ବିଦ୍ୟାଳୟରେ ପାଠ ପଢିବାର ପ୍ରବଣତା ଅନୁଭବ କରିବେ, ସେ ପ୍ରୋକ୍ତ ବାଳକ ବିଦ୍ୟାଳୟରେ ପାଠ ପଢ଼ିପାରିବେ। ମାତ୍ର କୌଣସି ବାଳକ, ବାଳିକା ବିଦ୍ୟାଳୟରେ ପଢ଼ିପାରିବେ ନାହିଁ। ଜିନ୍ଦାବାଦ ନାରୀ ସଶକ୍ତୀକରଣ। ତେବେ ରକ୍ଷଣଶୀଳତା ନାଁରେ ନାରୀକୁ ଘର କ’ଣରେ ଚାପି ରଖିବା, ‘ସତୀ’ ନାଁରେ ଜଣେ ରୂପସୀ ଷୋଡ଼ଶୀକୁ ଆଜନ୍ମ ଧଳା ଲୁଗା ପିନ୍ଧାଇ ବିଧବାର କ୍ରୂର ଓ କଠୋର ଜୀବନମାର୍ଗୀ କରାଇବା ଚିନ୍ତା ଚେତନା ଏବେ ଦୂରନ୍ତ। ‘ସତ୍ୟ’ ଏକ ପୁରୁଷସମାଜ ପ୍ରବର୍ତ୍ତିତ ଏକ ପାଖିଆ ସତ। ସ୍ତ୍ରୀର ମୃତ୍ୟୁ ପରେ ପୁରୁଷ ସାରେ କାଇଁ କୁ ‘ସତ’ ରହୁଛନ୍ତି। ଏବେ ନୂଆ ଯୁଗ, ରେନାଁସା, ଜ୍ଞାନ ଓ ଚେତନା ଝଡ଼ ଏବେ ବରଂ କାଉଲବାଉଲ କରିଦେଉଛି। ଏ ଘଟଣାରେ, ପୁରୁଣାକାଳିଆ ‘ସତୀ’ ଝୁଙ୍କିଆ ବାଲା ଏମିତି ହଉଛନ୍ତି ନା ! ଇଏ ତ ଏବେ ସଭିଙ୍କ ଦିହ ମଳି ବନିଗଲାଣି। ମୁହଁ ଅନ୍ଧାର ଧଇଲାଣି। ଚପଳ ଯୁବକ ଯୁବତୀ ହଷ୍ଟେଲକୁ ନେଫରି, ଘରକୁ ନ ଫେରି ହଳିହଳି ହୋଇ ପାର୍କରେ ମିଳନ ମଜ୍ଜା ପର୍ବରେ ଥିଲେ ତ କ’ଣ ହୋଇଗଲା? ‘ପ୍ୟାର କିଆ ତୋ ଡରନା କ୍ୟା’ ଜଣେ ପୁଲିସ ହାକିମଙ୍କ ଆଖିକୁ ଏକଥା ଗଲାନି। ସେ ସେଗୁଡ଼ାଙ୍କୁ ଥାନାକୁ ଧରି ଆଣିଲେ। କୁକୁର ଭଳି ଏମିତି ଘର ଜନସାଧାରଣ ସ୍ଥାନରେ ହୋଇ ଚରିତ୍ର ଓ ମଣିଷପଣିଆର ବଦ୍ନାମ୍ କରୁଛ, ଜୀବନ ନଷ୍ଟ କରୁଛ କହି ଧମକାଇଲେ। ମୋକଦ୍ଦମା କଲେ ତରୁଣ ତରୁଣୀମାନଙ୍କ ଜୀବନ ନଷ୍ଟ ହେବ। ତାଙ୍କୁ ଆକଟିବାକୁ ଥାନା ଆଗରେ ଆଣ୍ଠେଇ ଦେଲେ। ଆମ ପିଲାଗୁଡ଼ା ତ! ଏବେ ବିଚରା ପୁଲିସ ହାକିମଙ୍କ ନିଦ ଭାଙ୍ଗିଯାଇଛି। ମାନବିକ ଅଧିକାର କମିସନ ବି ଏହା ମାନବିକତା ଉପରେ ହସ୍ତକ୍ଷେପ ପଏଣ୍ଟକୁ ଧରିଛନ୍ତି। ବେଟା, ଏବେ ଯିବ କୁଆଡ଼େ!!! ଯୁଗ ଆସି କୋଉଠି ହେଲାଣି ! ସମୟ ଏହାର ଠିକ୍ ନେତୃତ୍ବ ନଉଚି ତମେ ସବୁ ପୁରୁଣାକାଳିଆ ଚୁପ୍ଚାପ୍ ବସ। ସବୁ ଠିିକ୍ ଚାଲିଛି। ବେପାରପତ୍ର ନ ପଢ଼ିବ ତ ନ ପଢ଼। ଓଡ଼ିଆ ଭାଗବତ ବି ମିଳୁଛି ବଜାରରେ ଭଲ ରିଆତିରେ।



