ବେଆଇନ ବାଲି କାରବାର ବନ୍ଦ ଦାବି କଲା ନଦୀ ସୁରକ୍ଷା ସମିତି
କେନ୍ଦୁଝରଗଡ଼: ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର, ଘସିପୁରା ଓ ହାଟଡିହି ତହସିଲ ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ବେଆଇନ ବାଲି ଚାଲାଣ ହୋଇ ଆସୁଛି। ହେଲେ ଏଭଳି ବେଆଇନ କାର୍ଯ୍ୟପ୍ରତି ତହସିଲ ଓ ପୁଲିସ ପ୍ରଶାସନ ଆଖିବୁଜି ଦେବା ସାଧାରଣରେ ଚିନ୍ତାଜନକ ବିଷୟ ହୋଇଥିବା ବିଜେପି ନଦୀ ସୁରକ୍ଷା ସମିତି ରାଜ୍ୟ ସଭାପତି ମହେଶ୍ୱର ସାହୁ କ୍ଷୋଭର ସହ ଏହା କହିଛନ୍ତି। ହାଟଡ଼ିହି ତହସିଲ ଅନ୍ତର୍ଗତ ଅମୃତପୁର ଗ୍ରାମର ବୈତରଣୀ ନଦୀ ବାଲିଘାଟର ପଟାଦାର ଜାତୀୟ ସବୁଜ ପ୍ରାଧିକରଣ ଗାଇଡ଼ଲାଇନ ଉଲ୍ଲଂଘନ କରି ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବାରୁ ପରିବେଶ ପ୍ରଦୂଷିତ ହେବା ସହିତ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ସବୁଜ ପ୍ରାଧିକରଣ ଗାଇଡ଼ଲାଇନ ଓ ରାଜ୍ୟ ଲଘୁଖଣିଜ ଦ୍ରବ୍ୟ ଆଇନ ଅନୁଯାୟୀ ବାଲିଘାଟ ସକାଳ ୭ ଘଟିକାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବା କଥା। କିନ୍ତୁ ପଟାଦାର ଦିନ ରାତି ୨୪ଘଣ୍ଟା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ କରି ୧୦ଚକିଆ, ୧୨ଚକିଆ ଓ ୧୪ଚକିଆ ଶତାଧିକ ଭାରିଯାନରେ ବାଲି ଚାଲାଣ କରାଯାଉଥିବାରୁ ରାସ୍ତାଘାଟ ଓ ନଦୀ ପଠା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ରାସ୍ତା ମରଣଯନ୍ତା ପାଲଟିଛି। ବେଆଇନ ଭାବେ ନଦୀ ଜଳସ୍ରୋତ ଭିତରୁ ବାଲି ଉଠାଇବା ମନା ହୋଇଥିଲେ ମଧ୍ୟ ଏହି ବାଲିଘାଟରୁ ଷ୍ଟିମରଲଞ୍ଚ ମାଧ୍ୟମରେ ବୈତରଣୀ ନଦୀର ଜଳସ୍ରୋତ ଭିତରୁ ବାଲି ଉତ୍ତୋଳନ କରାଯାଉଥିବାରୁ ଜଳଚର ପ୍ରାଣୀମାନଙ୍କର ମୃତ୍ୟୁ ହେଉଛି। ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଭାରୀଯାନରେ ବାଲି ପରିବହନକୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏଠାରେ ଭାରିଯାନ ଯୋଗେ ବାଲି ପରିବହନ କରାଯାଉଛି ଯାହା ଫଳରେ ରାସ୍ତାଘାଟ ନଷ୍ଟ ହେବାସହ ପରିବେଶ ପ୍ରଦୁଷିତ ହେବାରେ ଲାଗିଛି। ଘସିପୁରା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ଶାଳଦେଇ ବାଲିଘାଟ ନେଇଥିବା ପଟାଦାର ଜାତୀୟ ସବୁଜ ପ୍ରାଧିକରଣ ଗାଇଡ଼ଲାଇନ ଓ ରାଜ୍ୟ ଲଘୁଖଣିଜ ଦ୍ରବ୍ୟ ଆଇନକୁ ଖୁଲମଖୁଲା ଉଲଂଘନ କରି ଦିନ ରାତି ୨୪ଘଣ୍ଟା ବାଲି ଉତ୍ତୋଳନ କରୁଛନ୍ତି। ଲୋକଙ୍କ ଦ୍ୱାରା ବାଲି ଗାଡ଼ିରେ ବୋଝେଇ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ପୋକଲିନ୍ ମେସିନ୍ ସାହାର୍ଯ୍ୟରେ ଜଳସ୍ରୋତ ମଧ୍ୟରୁ ବାଲି ଉତ୍ତୋଳନ କରାଯାଉଛି। ଯାନରେ ୯ସିଏମ. ବାଲି ପରିବହନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ ୧୨ ଚକିଆ ୧୪ଚକିଆ ହାଇୱା ଯାନରେ ବାଲି ପରିବହନ କରାଯାଉଥିବାରୁ ରାସ୍ତାଘାଟ ନଷ୍ଟ ହେବାକୁ ବସିଛି। ସୂଚନାଯୋଗ୍ୟ ଯେ, ଉକ୍ତ ଘାଟରୁ ବେଆଇନ ବାଲି ଚାଲାଣକୁ ବିରୋଧ କରିବାକୁ କେନ୍ଦ୍ର କରି ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ନଦେବାରୁ ସଂଘର୍ଷ ଘଟି ଶାଳଦେଇ ଗ୍ରାମର ମଲ୍ଲି ଯେନାଙ୍କ ମୃତ୍ୟୁ ଘଟିବା ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛି। ଏଭଳିସ୍ଥିତିରେ ବାଲିଘାଟର ପଟାଦାର ସରକାରୀ ଆଇନକୁ ଉଲଂଘନ କରୁଥିବାରୁ ଉକ୍ତ ବାଲିଘାଟ ନିଲାମକୁ ତୁରନ୍ତ ରଦ୍ଦ କରାଯାଉ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି। ଆନନ୍ଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀଘାଟ ନିଲାମ ହୋଇ ନାହିଁ କିନ୍ତୁ ଏହି ଘାଟରୁ ବାଲି ମାଫିଆମାନେ ଦିନ ରାତି ୨୪ଘଣ୍ଟା ମେସିନ୍ ସାହାଯ୍ୟରେ ଖୁଲମଖୁଲା ବାଲି ଚାଲାଣ କରିଆସୁଥିଲେ ହେଁ ସ୍ଥାନୀୟ ତହସିଲ ଓ ପୁଲିସ ପ୍ରଶାସନ ଆଖିବୁଜି ଦେବା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଉଗ୍ର ରୂପ ଧାରଣ କରିବାକୁ ଯାଉଛି।
ବିଜେପି ନଦୀ ସୁରକ୍ଷା ସମିତି ରାଜ୍ୟ ସଭାପତି ଶ୍ରୀ ସାହୁଙ୍କ ସମେତ ଜିଲା ବିଜେପି ନେତା ଅନୁବ୍ରତ ବେହେରା, ଭାଗିରଥୀ ନାଏକ, ସତ୍ୟବ୍ରତ ନାଏକ, ପ୍ରକାଶ ଚନ୍ଦ୍ର ସୂତ୍ରଧର, ଅଖିଳ ଚନ୍ଦ୍ର ନାଏକ, ମାୟାଧର ନାଏକ, ଅସିତ ନନ୍ଦନ ମହାନ୍ତି, ପ୍ରାଣବନ୍ଧୁ ସାହୁ, ସଞ୍ଜୟ କୁମାର ମହାନ୍ତି, ସୁଶୀଲ କୁମାର ପରିଡ଼ା, ଶ୍ୟାମ କୁମାର ଯାଦବ ଓ ସାବିତ୍ରୀ ବିଶ୍ୱାଳ ପ୍ରମୁଖ ମଙ୍ଗଳବାର ଜିଲାପାଳ ଆଶିଷ ଠାକରେଙ୍କୁ ଭେଟି ଉପରୋକ୍ତ ଅଭିଯୋଗଗୁଡିକର ନିରପେକ୍ଷ ତଦନ୍ତ କରି ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
Comments are closed.