www.samajalive.in
Thursday, December 11, 2025
18.1 C
Bhubaneswar

ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ,  ମନ୍ତ୍ରୀ ଓ ସଚିବଙ୍କ ନାମରେ ଏତଲା

ଭୁବନେଶ୍ୱର/ଢେଙ୍କାନାଳ ସଦର (ନି.ପ୍ର)/କଣ୍ଟାବଣିଆ: ଢେଙ୍କାନାଳ ଜିଲା କମଳାଙ୍ଗରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ହାତୀ ମୃତ୍ୟୁ ପଛରେ କୌଣସି ଅପରାଧିକ ଅବହେଳା ହୋଇଥିବା ତଥ୍ୟ ହସ୍ତଗତ ହୁଏ ତେବେ ଏଥିରେ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କ୍ରାଇମବ୍ରାଞ୍ଚ ଏସ୍‍ପିଙ୍କୁ ସେଠାକୁ ଯାଇ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ତଦନ୍ତ ଆରମ୍ଭ କରିବାକୁ କୁହାଯାଇଛି। ହାତୀ ମୃତ୍ୟୁ ପାଇଁ ତ୍ରୁଟି ବିଚ୍ୟୁତିର ସମସ୍ତ ଦିଗ ସହ କେଉଁ ପରିସ୍ଥିତିରେ ଓ କେଉଁମାନଙ୍କ ଅବହେଳା ପାଇଁ ଏଭଳି ଘଟିଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ପୁଲିସ ମହା ନିର୍ଦେଶକ ସନ୍ତୋଷ ଉପାଧ୍ୟାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ରବିବାର ଅପରାହ୍ଣ ସାଢେ ୫ଟାରେ କ୍ରାଇମ୍‍ବ୍ରାଞ୍ଚର ଏସ୍‍ପି ଏମ୍‍ ଏସ୍‍ ସଂପଦ, ଡିଏସ୍‍ପି ଦେବୀଦତ୍ତ ବିଶ୍ୱଜୀବନ ମିଶ୍ର, ଦିଲ୍ଲୀପ ସିଂ, ପ୍ରସାଦ ମହାପାତ୍ର ପ୍ରମୁଖ କମଳାଙ୍ଗରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବାହ୍ଣରେ ରାଜ୍ୟର ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀଙ୍କ ସମେତ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡଃ ସୁଦର୍ଶନ ପଣ୍ଡା, ଡିଏଫ୍‍ଓ ସୁଦର୍ଶନ ପାତ୍ର ପ୍ରମୁଖ କମଳାଙ୍ଗ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଶନିବାର ୭ଟି ମୃତ ହାତୀଙ୍କ ମଧ୍ୟରୁ ୪ଟିର ବ୍ୟବଚ୍ଛେଦ କରାଯାଇଥିବାବେଳେ ଅନ୍ୟ ୩ଟି ମୃତଦେହକୁ ଆଜି ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହରେ ଲୁଣ ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ଦିଆଯାଇ ବିଲବାହାଳରେ ପୋତି ଦିଆଯାଇଛି। ଶବକୁ ସେହି ସ୍ଥାନରେ ପୋତିବା ପାଇଁ ଚାଷୀମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ବନବିଭାଗ ଦେବାପରେ ଚାଷୀମାନେ ଜମି ଛାଡିଥିଲେ।
ହାତୀ ମୃତ୍ୟୁ ଘଟଣାକୁ ନେଇ ବନବିଭାଗ ପକ୍ଷରୁ ସେସୁର ଯନ୍ତ୍ରୀ ଏବଂ କର୍ମଚାରୀମାନଙ୍କ ନାମରେ କଣ୍ଟାବଣିଆ ଥାନାରେ ଏତଲା ଦିଆଯାଇଛି। ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର ନାଥ ଦାସ କଣ୍ଟାବଣିଆ ଥାନାରେ ସେସୁ ଢେଙ୍କାନାଳ ମଣ୍ଡଳର ଅଧୀକ୍ଷଣ ଯନ୍ତ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ, ଚାଇଁପାଳ ଡିଭିଜନ୍‍ ନିର୍ବାହୀଯନ୍ତ୍ରୀ ନିହାର ରଞ୍ଜନ ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ନାୟକ, କନିଷ୍ଠଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି, ଲାଇନ୍‍ ମ୍ୟାନ୍‍ ଫିରୋଜ ପଣ୍ଡାଙ୍କ ନାମରେ ମାମଲା ରୁଜୁ କରାଯାଇଛି। କଣ୍ଟାବଣିଆ ଥାନା ଅଧିକାରୀ ପ୍ରଦୀପ ପ୍ରଧାନ ୧୧୬/୧୮ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି।
ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି ଘଟଣାସ୍ଥଳ ପରିଦର୍ଶନ କରିବା ପରେ କଣ୍ଟାବଣିଆ ଥାନାରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଶକ୍ତି ସଚିବ ହେମନ୍ତ ଶର୍ମା ଓ ଜଙ୍ଗଲ ପରିବେଶ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନାମରେ ମାମଲା ରୁଜୁ କରିବା ସହ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ ଏହି ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ସେସୁର ମେରାମୁଣ୍ଡୁଳିରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଜଙ୍ଗଲ ବିଭାଗର ୩ଜଣ ଓ ସେସୁର ୩ଜଣଙ୍କୁ ନିଲମ୍ବିତ କରାଯାଇଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories