www.samajalive.in
Monday, December 8, 2025
13.1 C
Bhubaneswar

ହାତୀ ମୃତ୍ୟୁ ଘଟଣା: ସରକାରଙ୍କୁ ଦାୟୀ କଲେ ବିରୋଧୀ

ଭୁବନେଶ୍ୱର: ଢ଼େଙ୍କାନାଳର କମଳାଙ୍ଗରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ହେବା ଘଟଣାରେ ବିରୋଧୀ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଜଙ୍ଗଲ ଓ ଶକ୍ତି ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ସରକାର ଉଭୟ ଜଙ୍ଗଲ ଓ ଶକ୍ତି ବିଭାଗର ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ବିଜେପି ଦାବି କରିଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ହାତୀଙ୍କ ମୃତ୍ୟୁ ଘଟଣାରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇବାକୁ ଶକ୍ତି ବିଭାଗ ଉପରେ ଦୋଷ ଲଦିଛନ୍ତି। ଉଭୟ ବିଭାଗ କିଛି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି। ଉଭୟ ମନ୍ତ୍ରୀଙ୍କୁ ବହିଷ୍କାର କରି ଘଟଣାର ତଦନ୍ତ କରାଗଲେ ତଦନ୍ତରେ ନିରପେକ୍ଷତା ଅବଲମ୍ବନ ସମ୍ଭବ ହେବ। ଏହା ନକରି ସରକାର କେବଳ ତଦନ୍ତ ନିର୍ଦେଶ ଦେଇଛନ୍ତି। ଏଥିରୁ ସରକାର ଘଟଣାକୁ ଗୁରୁତ୍ୱ ଦେଉନଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ହାତୀଙ୍କ ଚଲାପଥରେ କୌଣସି ପ୍ରତିବନ୍ଧକ ନରହିବା ନିୟମ ରହିଛି। ବିଜୁଳି ବିଭାଗ ଏହାକୁ ସମ୍ପୂର୍ଣ୍ଣ ଉଲ୍ଲଘଂନ କରିଥିବା ବେଳେ ଜଙ୍ଗଲ ବିଭାଗ ମଧ୍ୟ ଏଥିପାଇଁ ଦାୟୀ। ଏହି ଘଟଣା ପାଇଁ ସେସୁର ମୁଖ୍ୟ ଏବଂ ଜଙ୍ଗଲ ବିଭାଗ ମୁଖ୍ୟ ବନ୍ୟଜନ୍ତୁ ୱାଡେନଙ୍କୁ ନିଲମ୍ବିତ କରିବା ଆବଶ୍ୟକ। ସେମାନଙ୍କ ଦାୟିତ୍ୱହୀନତାରୁ ଏଭଳି ଏକ ଅଘଟଣ ଘଟିଛି। ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଶାସ୍ତି ବିଧାନର ଆବଶ୍ୟକତା ରହିଥିବା ସେ କହିଛନ୍ତି। ମୁଖ୍ୟ ଅଭିଯୁକ୍ତମାନଙ୍କୁ ବଞ୍ଚେଇବା ପାଇଁ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିବା ସେ ପ୍ରକାଶ କରିଛନ୍ତି। ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି, ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ଗ୍ରହଣୀୟ ନୁହେଁ। ଗୋଟିଏ ବିଭାଗ ଆଉ ଗୋଟିଏ ବିଭାଗ ଉପରେ ଦୋଷ ଲଦୁଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ପାଇଁ ତୃତୀୟ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ବିଜେପି ରାଜ୍ୟ ସରକାରଙ୍କୁ ଦୋଷ ନଦେଇ କେନ୍ଦ୍ର ସରକାରଙ୍କ ଆଚରଣର ସମୀକ୍ଷା କରିବା ଉଚିତ ବୋଲି ସେ କହିବା ସହ କାହାକୁ ସୁରକ୍ଷା ଦେବା ବିଜେଡି ସରକାରର ଲକ୍ଷ୍ୟ ନୁହେଁ। ଘଟଣାର ତଦନ୍ତ କରି ଦୋଷୀଙ୍କୁ ଶାସ୍ତିବିଧାନ ପାଇଁ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିବା ସେ ପ୍ରକାଶ କରିଛନ୍ତି।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories