+୩ରେ ୬୭ ହଜାର ସିଟ୍ ବଳକା, ୧୪ରୁ ତୃତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷା ବର୍ଷ ଲାଗି ତୃତୀୟ ପର୍ଯ୍ୟାୟ +୩ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ୧୦୨୪ଟି ଡିଗ୍ରୀ କଲେଜ ରହିଛି। କଳା, ଫିଜିକାଲ ସାଇନ୍ସ, ବାୟୋଲଜିକାଲ ସାଇନ୍ସ, ବାଣିଜ୍ୟ ଏବଂ ସଂସ୍କୃତ ଶାସ୍ତ୍ରୀ ପାଠ୍ୟକ୍ରମରେ ପୂର୍ବରୁ ୨ଟି ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବା ବେଳେ ସିଟ୍ ବଳକା ରହିଥିବାରୁ ପୁଣି ୩ୟ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହେବ।

ଆସନ୍ତା ନଭେମ୍ବର ୧୪ରୁ ନାମଲେଖା ଲାଗି ଅନଲାଇନରେ ଫର୍ମ ଉପଲବ୍ଧ ହେବ। ପୂର୍ବାହ୍ନ ୧୧ଟାରୁ ଆବେଦନ କରାଯିବ। ଆବେଦନର ଶେଷ ତାରିଖ ୧୭ ଧାର୍ଯ୍ୟ ହୋଇଛି। ୨୨ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୩ ଏବଂ ୨୪ରେ ନାମଲେଖା ହେବ। ସେହିପରି ୨୯ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ଚୂଡ଼ାନ୍ତ ନାମଲେଖା ତଥ୍ୟ ୱେବସାଇଟରେ ଅପଲୋଡ୍ କରାଯିବା ସହ ନଭେମ୍ବର ୩୦ ସୁଦ୍ଧା ନାମ ଲେଖାଇଥିବା ଛାତ୍ରଛାତ୍ରୀ ନାମଲେଖା ଫି’ ପୈଠ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, ୨ୟ ପର୍ଯ୍ୟାୟ ନାମଲେଖା ସୁଦ୍ଧା ମୋଟ ୨ ଲକ୍ଷ ୫୫ ହଜାର ୯୧୩ଟି ଆସନ ମଧ୍ୟରୁ ୧ ଲକ୍ଷ ୮୮ ହଜାର ୭୪୯ଟି ଆସନ ପୂରଣ ହୋଇଥିବା ବେଳେ ୬୭ ହଜାର ୧୬୪ଟି ବଳକା ଆସନ ରହିଛି। ଯୁକ୍ତ ୩ କଳାରେ ୧ ଲକ୍ଷ ୪୩ ହଜାର ୧୪୫ଟି ଆସନ ମଧ୍ୟରୁ ୨୪ ହଜାର ୨୭୯ଟି ବଳକା ଥିବା ବେଳେ ଫିଜିକାଲ ସାଇନ୍ସରେ ୪୩ ହଜାର ୨୩୯ଟି ଆସନ ମଧ୍ୟରୁ ୧୮ ହଜାର ୬୮୭, ବାୟୋଲଜିକାଲ ସାଇନ୍ସରେ ୨୭ ହଜାର ୧୯୬ଟି ଆସନ ମଧ୍ୟରୁ ୮ ହଜାର ୮୦୬ଟି, ବାଣିଜ୍ୟରେ ୩୧ ହଜାର ୪୪୩ଟି ଆସନ ମଧ୍ୟରୁ ୧୧ ହଜାର ୬୫୯ଟି, ସେଲ୍ଫ ଫାଇନାନ୍ସରେ ୧୮୦୬ଟି ଆସନ ମଧ୍ୟରୁ ୭୪୬ଟି ଓ ସଂସ୍କୃତ ଶାସ୍ତ୍ରୀ ପାଠ୍ୟକ୍ରମରେ ୯୦୮୪ଟି ଆସନ ମଧ୍ୟରୁ ୨ ହଜାର ୯୮୭ଟି ଆସନ ବଳକା ରହିଛି।

Comments are closed.